ETV Bharat / city

ଆବାସ ଯୋଜନା: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ? କେନ୍ଦ୍ରର ରିପୋର୍ଟକୁ ବିତିଲା 4 ମାସ

author img

By

Published : Oct 3, 2022, 10:27 PM IST

ରାଜ୍ୟରେ ଆବାସ ବଣ୍ଟନରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ପରେ ଲାଗି ରହିଛି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆବାସ କଳି । କେନ୍ଦ୍ରୀୟ ଟିମର ତଦନ୍ତ ପରେ ବି ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ରାଜ୍ୟ ସରକାର । ଏହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆବାସ କଳି, ବଳି ପଡ଼ୁଛନ୍ତି ହିତାଧିକାରୀ
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆବାସ କଳି, ବଳି ପଡ଼ୁଛନ୍ତି ହିତାଧିକାରୀ

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆବାସ ଯୋଜନାକୁ ନେଇ ଲାଗି ରହିଥିବା କଳିରେ ବଳି ପଡୁଛନ୍ତି ହିତାଧିକାରୀ । ଆବାସ ଯୋଜନାରେ ଦୁର୍ନୀତି ନେଇ କେନ୍ଦ୍ରୀୟ ଟିମର ରିପୋର୍ଟକୁ ୪ ମାସ ବିତିଥିଲେ ମଧ୍ୟ ଏଥିରେ ଲିପ୍ତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତୁରନ୍ତ ରାଜ୍ୟ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି କଂଗ୍ରେସ ।

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆବାସ କଳି, ବଳି ପଡ଼ୁଛନ୍ତି ହିତାଧିକାରୀ

ବଡ଼ବଡ଼ିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

କେନ୍ଦ୍ର ସରକାରଙ୍କ ଆବାସ ପୋର୍ଟାଲ ପ୍ରାୟ ୨ ବର୍ଷ ଧରି ବନ୍ଦ ରହିଥିଲା । ରାଜ୍ୟରେ ଆବାସ ବଣ୍ଟନରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଏହାର ତଦନ୍ତ କରିଥିଲେ କେନ୍ଦ୍ରୀୟ ଟିମ । ରିପୋର୍ଟ ବି ଦେଲେ । ହେଲେ ଏଥିରେ ଲିପ୍ତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କେନ୍ଦ୍ରୀୟ ଟିମ ତଦନ୍ତ କରି ରିପୋର୍ଟରେ ନିର୍ଦ୍ଦିଷ୍ଟ ବିଡିଓ ଓ ଜିଲ୍ଲାପାଳଙ୍କୁ ଆବାସ ଦୁର୍ନୀତି ନେଇ ଦାୟୀ କରିଥିଲେ । ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା, ଘର ନଥାଇ ବିଲ କରିବା ଏବଂ ଅଧା ଖଣ୍ଡିଆ ଘରକୁ ସମ୍ପୂର୍ଣ୍ଣ ଦେଖାଇବା ଭଳି ଦୁର୍ନୀତି ମାନ ହୋଇଥିବା କେନ୍ଦ୍ରୀୟ ଟିମ ତାଙ୍କ ରିପୋର୍ଟରେ ଦର୍ଶାଇଲେ । ହେଲେ ତଳତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି କାମ ସାରି ଦେଲେ ରାଜ୍ୟ ସରକାର ବୋଲି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ।

ମୁଖ୍ୟମନ୍ତ୍ରୀ ଲେଖିକରି ଦେଲେ ମିଳିବ ୮ ଲକ୍ଷ ଘର

ଆବାସ ଯୋଜନାରେ ଘର ଆବଣ୍ଟନ କରିବା ପାଇଁ କେନ୍ଦ୍ରର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ରାଜ୍ୟ ସରକାରଙ୍କ ପ୍ରତିନିଧି । ହେଲେ କେନ୍ଦ୍ର ସରକାରଙ୍କ ଉତ୍ତର ଥିଲା ଆଉ ଦୁର୍ନୀତି ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ ଲେଖିକରି ଦେଲେ ଆଉ 8 ଲକ୍ଷ ଘର ଅନୁମୋଦନ ହେବ । ହେଲେ ତାହା ବି ଏବେ ସୁଦ୍ଧା ହୋଇ ପାରିନାହିଁ । କେନ୍ଦ୍ରର ରିପୋର୍ଟକୁ 3ରୁ 4ମାସ ସମୟ ବିତିଯାଇଥିଲେ ବି ଏଯାଏଁ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିପାରିଲା ନାହିଁ । ଏହା ଭିତରେ ବନ୍ୟା ଆସି ଅନେକ ଲୋକଙ୍କ ଘର ଭାଙ୍ଗିଛି । ହେଲେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିନି । ତୁରନ୍ତ ରାଜ୍ୟ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି କଂଗ୍ରେସ ।

'ବନ୍ୟା ବାତ୍ୟାକୁ ନାହିଁ ଡର, ମୁଣ୍ଡ ଉପରେ ପକ୍କାଘର' ନେଇ ରାଜ୍ୟ ସରକାରଙ୍କ ସ୍ଲୋଗାନ କେବଳ ସ୍ଲୋଗାନରେ ରହିବା ପରି ମନେ ହେଉଛି । କେବଳ ଗୋଟିଏ ବନ୍ୟା ନୁହେଁ, ଆଗକୁ ପୁଣି ବର୍ଷା ହେବ ଓ ବନ୍ୟା ଆସିବ । ଜିରୋ କାଜୁଆଲିଟିର କଥା କହୁଥିବା ରାଜ୍ୟ ସରକାର ଯଦି ଏବେଠୁ ସଚେତନ ନହେବେ, ମୁଣ୍ଡ ଉପରେ ପକ୍କା ଘର ନଦେବେ, ତେବେ ଯୋଗ୍ୟ ହିତାଧିକାରୀଙ୍କ ଦୁର୍ଦ୍ଦଶା ଆହୁରି ବଢିଯିବ । ଏହି ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.