ETV Bharat / city

ରାଜ୍ୟରେ ସୁରକ୍ଷିତ କି ଶିଶୁ ?

author img

By

Published : Dec 14, 2020, 10:51 AM IST

Updated : Dec 14, 2020, 11:05 AM IST

ରାଜ୍ୟରେ ସୁରକ୍ଷିତ କି ଶିଶୁ ?
ରାଜ୍ୟରେ ସୁରକ୍ଷିତ କି ଶିଶୁ ?

ଦାଣ୍ଡରେ ଖେଳିବା ବେଳେ ନିଖୋଜ ହୋଇ ଯାଉଛନ୍ତି ଶିଶୁ । ଅପହରଣ-ହତ୍ୟାର ଶିକାର ହେଉଛନ୍ତି କଅଁଳ କଢି । ଏହା ପଛରେ କାମ କରୁଛି କି କିଛି ରାକେଟ୍‌ ? ଅଧିକ ପଢନ୍ତୁ...

ଭୁବନେଶ୍ବର: ଶୀର୍ଷକ ପଢି ଆପଣ ଭାବୁଥିବେ ଆମେ ଏ ପ୍ରଶ୍ନ କାହିଁକି ପଚାରିଛୁ । ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ଗାଁ ଦାଣ୍ଡରେ ଶିଶୁ ଖେଳିଲେ ବାପା ମା’ ଖୁସି ହେବା ପରିବର୍ତ୍ତେ ମାଡି ବସୁଛି ଚିନ୍ତା । ଛାତିରେ ପଶୁଛି ଛନକା । କାଳେ କିଏ ପିଲା ଚୋରି କରି ନେଇ ଯିବ କି ? ଏହି ଚିନ୍ତା ଏବେ ପ୍ରାୟ ମା’ ବାପାଙ୍କୁ ଚିନ୍ତିତ କରିଦେଇଛି । କାରଣ ରାଜ୍ୟର କୁନି ଝିଅ ପରୀକୁ ହତ୍ୟା କରାଯିବା ପରେ ଶାନ୍ତିରେ ଶୋଇ ପାରୁନାହାନ୍ତି କୁନି କୁନି ଶିଶୁଙ୍କ ମା’ ବାପା । ପ୍ରଥମେ ପରୀ, ପିହୁ, ସ୍ବାତୀ, ପରେ ଏବେ ବାଲେଶ୍ବରର ବିଷ୍ଣୁପ୍ରିୟା ।

ମାତ୍ର 5 ବର୍ଷର ପରୀ ଥିଲା ବାପା ମା’ଙ୍କ ଆଖିର ତାରା । ଗାଁ ଦାଣ୍ଡର ଖେଳ ତା’ ଜୀବନରେ ଶେଷ ଖେଳ ବୋଲି ଜାଣି ନଥିଲା କଅଁଳ କଢି । ପ୍ରଥମେ ଅପହରଣ ଆଉ ପରେ ଘର ବାଡି ପଛପଟୁ ମୃତଦେହ । ଝିଅକୁ ହରାଇ ବାପା ମା’ ନ୍ୟାୟ ଅପେକ୍ଷାରେ ଥିବାବେଳେ ଏବେ ସାମ୍ନାକୁ ଗୋଟିଏ ପରେ ଗୋଟିଏ ଶିଶୁର ନିଖୋଜ ଘଟଣା ।

ନଜର ପକାନ୍ତୁ ଶିଶୁ ନିଖୋଜ ଘଟଣା ଉପରେ...

ଯାଜପୁର ବିଞ୍ଝାରପୁରର 2 ବର୍ଷର ଶିଶୁ ପିହୁ ଗତ 4 ମାସ ହେଲା ନିଖୋଜ ଅଛି । ଗତ ଅଗଷ୍ଟ ୯ ତାରିଖ ଅପରାହ୍ନ ସମୟରେ ଶୁଭଲକ୍ଷ୍ମୀ ନାୟକ(ପିହୁ) ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା । ତା ପରେ ତାର କୌଣସି ଖୋଜ ଖବର ନାହିଁ ।

ସେପଟେ ନୟାଗଡରେ କିଏ ପରୀର ହତ୍ୟାକାରୀ ତାର କୌଣସି ଖୋଜ ଖବର ମିଳିନଥିବା ବେଳେ ଏବେ ରଣପୁର ଥାନା ଅଧୀନସ୍ଥ ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ଗ୍ରାମରେ 3 ବର୍ଷର ଶିଶୁ କନ୍ୟା ହରପ୍ରିୟା ସାହୁ(ସ୍ବାତୀ) ନିଖୋଜ ହୋଇଯାଇଛି । ଆଉ ସ୍ବାତୀକୁ ପାଇବା ପାଇଁ ଦିନରାତି ଏକ କରିଦେଇଛି ପ୍ରଶାସନ । ପୋଲିସର ଏକ ଟିମ୍ ଡେରା ପକାଇ ସ୍ବାତୀ ସନ୍ଧାନରେ ଲାଗି ପଡିଛନ୍ତି । ଖୋଦ୍ ଏସପି ଘଟଣାର ତଦନ୍ତ କରୁଛନ୍ତି ।

ଆଉ ଏପଟେ ବାଲେଶ୍ବର ବାଲିଆପାଳ ଅଞ୍ଚଳର ସାତ ବର୍ଷର ଝିଅ ବିଷ୍ଣୁପ୍ରିୟା ଗତ 3 ଦିନ ହେଲା ନିଖୋଜ ଥିଲା । ଆଜି ଶିଶୁଟିର ମୃତଦେହ ପୋଖରୀ ହୁଡାରୁ ମିଳିଛି । ସମାନ ଭାବରେ ଝିଅଟି ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ।

କେବଳ ପରୀ-ପିହୁ-ସ୍ବାତୀ- କିମ୍ବା ବିଷ୍ଣୁପ୍ରିୟା ନୁହେଁ । ଗାଁ ଦାଣ୍ଡରେ ଖେଳୁଥିବା ଅନେକ ଶିଶୁ ନିଖୋଜ ହେଉଛନ୍ତି । ଯାହାର ଖୋଜ ଖବର ପାଇବାରେ ପୋଲିସ ବିଫଳ । ରାଜ୍ୟରେ ଏସବୁ ଘଟଣା ବାପା ମା’ଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ପିଲାକୁ ଏକୁଟିଆ ଛାଡିବାକୁ ଡରୁଛନ୍ତି ପରିବାର ଲୋକେ । ସମସ୍ତଙ୍କ ମନରେ ଏକ ପ୍ରକାର ଛନକା ପଶୁଛି । ଏବେ ପ୍ରଶ୍ନ ଉଠୁଛି ଏସବୁ ଘଟଣା ପଛରେ କାହାର ରହୁଛି ହାତ ? ପ୍ରତିଶୋଧ ନେବାକୁ କରାଯାଉନି ତ ଶିଶୁଙ୍କୁ ଟାର୍ଗେଟ ? ନା ଏହା ପଛରେ ରହିଛି ଅଙ୍ଗ ତସ୍କରୀ ଗ୍ୟାଙ୍ଗ ? ନା ଏହା ପଛରେ ରହିଛି ଗୁଣିଗାରେଡି ହାତ ?ତେବେ ଏ ଦିଗରେ ସରକାର ପଦକ୍ଷେପ ନେବା ଆବଶ୍ୟକ ହୋଇ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 14, 2020, 11:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.