ETV Bharat / city

କମୁଛି ସୁବର୍ଣ୍ଣରେଖା ଜଳସ୍ତର, ବଢୁଛି ଦୁର୍ଦ୍ଦଶା

author img

By

Published : Aug 23, 2022, 7:49 AM IST

flood affected people facing many problem even after subarnarekha flood water level decline
କମୁଛି ସୁବର୍ଣ୍ଣରେଖା ଜଳସ୍ତର, ବଢୁଛି ଦୁର୍ଦ୍ଦଶା

ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲା ଏବେ ବନ୍ୟା ଘେରରେ ରହିଛି । ସୁବର୍ଣ୍ଣରେଖାର ଜାମଶୋଳାଘାଟରେ ଜଳପତ୍ତନ ୫୦.୪ ରହିଛି । ସେହିପରି ରାଜଘାଟରେ ଜଳସ୍ତର ୧୧.୯୦ ରହିଛି । ଉଭୟ ସ୍ଥାନରେ ଜଳସ୍ତର ହ୍ରାସ ପାଉଛି । ଏ ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର । ଅଧିକ ପଢନ୍ତୁ

ଭୁବନେଶ୍ବର: ମହାନଦୀରେ ବନ୍ୟା ପରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ହୋଇଥିଲା । ଫଳରେ ଜିଲ୍ଲାର ଗ୍ରାମ ଗୁଡିକ ମଧ୍ୟରେ ପ୍ରବେଶ କରିଛି ବନ୍ୟାଜଳ। ସୁବର୍ଣ୍ଣରେଖାରେ ଜଳସ୍ତର କମିଥିଲେ ମଧ୍ୟ ଏବେ ଯାଏଁ ଦୁର୍ଦ୍ଦଶା ଟଳିନି । ନଦୀର ଜଳସ୍ତର କମିଥିଲେ ସୁଦ୍ଧା ଏବେବି ବିପଦ ସଂକେତ ଉପରେ ରହିଛି । ତେବେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲା ଏବେ ବନ୍ୟା ପାଣି ଘେରରେ ରହିଛି । ସୁବର୍ଣ୍ଣରେଖାର ଜାମଶୋଳାଘାଟରେ ଜଳପତ୍ତନ ୫୦.୪ ରହିଥିବାବେଳେ ରାଜଘାଟରେ ଜଳସ୍ତର ୧୧.୯୦ ରହିଛି । ଉଭୟ ସ୍ଥାନରେ ଜଳସ୍ତର ହ୍ରାସ ପାଉଛି । ଏ ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ।

କମୁଛି ସୁବର୍ଣ୍ଣରେଖା ଜଳସ୍ତର, ବଢୁଛି ଦୁର୍ଦ୍ଦଶା

ତେବେ ସର୍ବୋଚ୍ଚ ଯନ୍ତ୍ରୀଙ୍କ କହିବା ଅନୁସାରେ, "ଅପରାହ୍ନ ସୁଦ୍ଧା ହୀରାକୁଦର ଜଳପତ୍ତନ ୬୨୨.୪୫ ଫୁଟ୍‌ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୯୧ ହଜାର ୮୭୪ କ୍ୟୁସେକ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୯୨ ହଜାର ୪୫୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ଖଇରମାଳରେ ୨ ଲକ୍ଷ ୭୭ ହଜାର ୫୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେପଟେ ବଡମୂଳରେ ୩ ଲକ୍ଷ ୮୧ ହଜାର ୨୫୦ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ସହ ମୁଣ୍ଡଳିରେ ୪ ଲକ୍ଷ ୯୮ ହଜାର ୩୪୪ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୩ଟି ଜିଲ୍ଲାର ୭୮ ଟି ବ୍ଲକ୍‌ ୬୪୫ଟି ଗାଁ ପଞ୍ଚାୟତ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୨୪୮୯ଟି ଗ୍ରାମ ପ୍ରଭାବିତ ହୋଇଛି । ରାଜ୍ୟର ୯୦୨ଟି ଗ୍ରାମ ଜଳ ଘେରରେ ରହିଥିବାବେଳେ ୬ ଲକ୍ଷ ୪୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ପ୍ରାୟ ୯ ଲକ୍ଷ ୬୬ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ ୪୪୦ ଟି ରିଲିଫ କେନ୍ଦ୍ରରେ ୧ ଲକ୍ଷ ୭୧ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ବନ୍ୟା ପ୍ରଭାବରେ ୫ ଲକ୍ଷ ୬୧ ହଜାର ୪୧୮ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥିମଧ୍ୟରୁ ୫ ଲକ୍ଷ ୨୧ ହଜାର ୫୬୦ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ।

ଏହା ବି ପଢନ୍ତୁ-ସୁବର୍ଣ୍ଣରେଖାରେ ବନ୍ୟା, ପାଣି ଅଞ୍ଚଳକୁ ନ ଯିବାକୁ ଜିଲ୍ଲାପାଳଙ୍କ ଅନୁରୋଧ

ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୧୦ ଟି ମେଡିକାଲ ରିଲିଫ କେନ୍ଦ୍ର ଖୋଲା ଯାଇଥିବାବେଳେ ୧୨୫ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଚିକିତ୍ସା ଟିମ୍‌ ମୁତୟନ ହୋଇଛି । ୧ ଲକ୍ଷ ୨୨ ହଜାରଟି ଓଆରଏସ୍‌ ପ୍ୟାକେଟ, ୫ ଲକ୍ଷ ୩୮ ହଜାରଟି ହାଲୋଜିନ ବଟିକା ବଣ୍ଟାଯାଇଛି । ଏହି ସମୟରେ ୨୩,୩୬୭ ସାଧାରଣ ରୋଗର ଚିକିତ୍ସିତ ହୋଇଥିବାବେଳେ ୩୨ ଟି ସାପ କାମୁଡା ଘଟଣାର ଚିକିତ୍ସା କରାଯାଇଛି । ଗୋସମ୍ପଦର ସୁରକ୍ଷା ପାଇଁ ବନ୍ୟାଞ୍ଚଳରେ ୧୯୩ଟି ଭେଟେନାରୀ ଟିମ ନିୟୋଜିତ ହୋଇଛନ୍ତି । ଏଥିସହ ୪୦୭ଟି କ୍ୟାମ୍ପ ଆୟୋଜିତ କରାଯାଇ ୧୮ ହଜାରରରୁ ଉର୍ଦ୍ଧ୍ବ ପଶୁଙ୍କୁ ଚିକିତ୍ସା କରାଯାଇଛି ।

୧୦ ଟି ଜିଲ୍ଲାକୁ ୯୧୩.୯୨ ମେଟ୍ରିକ ଟନ ଗୋଖାଦ୍ୟ ଯୋଗାଇ ଦିଆଯାଇଅଛି । ବନ୍ୟାଞ୍ଚଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୨ ଲକ୍ଷ ୯୩ ହଜାର ପାଣି ବୋତଲ ଓ ୧୨ ଲକ୍ଷ ୨୯ ହଜାର ପାଣି ପାଉଚ ବଣ୍ଟାଯାଇଛି । ଏହା ସହ ୨୦୩ଟି ଭ୍ରାମ୍ୟମାଣ ପାଣି ଟ୍ୟାଙ୍କର ଯୋଗାଇ ଦିଆଯାଇଛି । ବନ୍ୟାଞ୍ଚଳରେ ୧୧ଟି ଜିଲ୍ଲାରେ ୧୬ ଟି ଏନଡିଆରଏଫ, ୧୭ ଟି ଓଡ୍ରାଫ, ୫୫ ଟି ଅତିରିକ୍ତ ଫାୟର ସର୍ଭିସ ଟିମ ମୁତୟନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.