ETV Bharat / city

ଏଥର ଭକ୍ତଙ୍କ ଗହଣରେ ଜମିବ ଗଣେଶ ପୂଜା, ଗାଇଡଲାଇନ ମାନିବାକୁ BMCର ଅନୁରୋଧ

author img

By

Published : Aug 25, 2022, 9:50 AM IST

ଭକ୍ତଙ୍କ ଗହଣରେ ହେବ ଗଣେଶ ପୂଜା, କୋଭିଡ ଗାଇଡଲାଇନ ମାନିବାକୁ ବିଏମସିର ଅନୁରୋଧ
ଭକ୍ତଙ୍କ ଗହଣରେ ହେବ ଗଣେଶ ପୂଜା, କୋଭିଡ ଗାଇଡଲାଇନ ମାନିବାକୁ ବିଏମସିର ଅନୁରୋଧ

ଗଣେଶ ପୂଜାକୁ ନେଇ ସରକାରଙ୍କର କୌଣସି କଟକଣା ନାହିଁ । ତେବେ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବା ସହ ବିଭିନ୍ନ ଗାଇଡଲାଇନ ମାନିବା ପାଇଁ ଅନୁରୋଧ କଲେ ବିଏମସି କମିଶନର ଓ ମେୟର । ମୂର୍ତ୍ତି ବିସର୍ଜନ ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଦୁଇ ବର୍ଷର କୋରୋନା କଟକଣା ପରେ ରାଜଧାନୀରେ ଧୁମଧାମରେ ଗଣେଶ ପୂଜା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ପୂଜା କମିଟି । ମଣ୍ଡପ ଗୁଡ଼ିକରେ ଭକ୍ତମାନେ ସିଧାସଳଖ ଯାଇ ଠାକୁରଙ୍କୁ କରିପାରିବେ ଦର୍ଶନ । ମୂର୍ତ୍ତି ଓ ପୂଜା ବ୍ୟବହୃତ ସାମଗ୍ରୀ ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ୪ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । ତେବେ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବା ସହ ବିଭିନ୍ନ କୋଭିଡ ଗାଇଡଲାଇନ ମାନିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏବଂ ମେୟର ସୁଲୋଚନା ଦାସ ।

ଭକ୍ତଙ୍କ ଗହଣରେ ହେବ ଗଣେଶ ପୂଜା, କୋଭିଡ ଗାଇଡଲାଇନ ମାନିବାକୁ ବିଏମସିର ଅନୁରୋଧ

ଆସନ୍ତା ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ହେବ ଗଣେଶ ପୂଜା । କୋରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଏହି ପୂଜା ଅନୁଷ୍ଠିତ ହେବ । ଏନେଇ ତତ୍ପର ହୋଇ ଉଠିଛନ୍ତି ବିଭିନ୍ନ ପୂଜା କମିଟି । ଚଳିତ ବର୍ଷ ରାଜଧାନୀରେ ପ୍ରାୟ ୫୦ରୁ ଅଧିକ ମଣ୍ଡପରେ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ୩ ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । ପୂଜାରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ପକାଇ ପରିବେଶ ଓ ଜଳ ପ୍ରଦୂଷଣକୁ ରୋକିବା ପାଇଁ ସମସ୍ତ ପୂଜା କମିଟିକୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର ।

ତେବେ କୋଭିଡ କଟକଣା ହଟିଥିଲେ ମଧ୍ୟ ସଂକ୍ରମଣ ଭୟ ଟଳି ନଥିବାରୁ ବିଏମସି ପକ୍ଷରୁ କେତେକ ଗାଇଡଲାଇନ ଜାରି କରାଯାଇଛି । ପୂଜା ସମୟରେ ଭକ୍ତ ଓ କମିଟି ସଦସ୍ୟମାନଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର । ଏନେଇ କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, "ସମସ୍ତେ ପୂଜା ମଣ୍ଡପକୁ ଯିିବା ବେଳେ ସାଙ୍ଗରେ ମାସ୍କ ନେଇ ଯିବାକୁ ଅନୁରୋଧ । ପୂଜା କମିଟି ମାନେ ମଣ୍ଡପ ନିକଟରେ ସାନିଟାଇଜରର ବ୍ୟବସ୍ଥା କରନ୍ତୁ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଡଷ୍ଟବିନର ବ୍ୟବହାର କରନ୍ତୁ । ପୂଜା ସରିବା ପରେ ସେଥିରେ ବ୍ୟବହୃତ ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ହିଁ ପକାନ୍ତୁ ।" ତେବେ ସରକାରଙ୍କ ତରଫରୁ କୌଣସି ନିୟମ ବାଧ୍ୟତାମୂଳକ ହୋଇ ନଥିଲେ ମଧ୍ୟ ସମସ୍ତେ ନିଜର ଦାୟୀତ୍ବବୋଧ ଅନୁସାରେ ସଜାଗ ରହିବାକୁ ଅନୁରୋଧ କରିଛନ୍ତି କମିଶନର ।

ଏହାକୁ ନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ ମଧ୍ୟ ନିଜର ପ୍ରତିକ୍ରିୟାରେ କହିଛନ୍ତି, "ଯେହେତୁ ଭକ୍ତଙ୍କ ସଂଖ୍ୟାକୁ ନେଇ କୌଣସି କଟକଣା ନାହିଁ, ଶତାଧିକ ସଂଖ୍ୟାରେ ଭକ୍ତ ଠାକୁରଙ୍କୁ ସିଧାସଳଖ ଦର୍ଶନ କରି ପାରିବେ । ତେବେ କୋଭିଡକୁ ନଜରରେ ରଖି ପୂଜା କମିଟି ଗୁଡ଼ିକ ଏଥିପ୍ରତି ସଜାଗ ହେବା ଦରକାର । ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ସହରର ସମସ୍ତ କମିଟି ପୂଜା ବ୍ୟବହୃତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ବିସର୍ଜନ କରନ୍ତୁ । ପୂଜା ମଣ୍ଡପରେ ଆୟୋଜନ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ସମସ୍ତେ ମାସ୍କ ଲଗାନ୍ତୁ ।" ଆମେ ସଚେତନ ରହିଲେ ହିଁ ସହରରେ ସୁସ୍ଥ ବାତାବରଣ ଆସିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.