ETV Bharat / city

୧୦୦ ଟପିଲାଣି ତୈଳଦର, ଉତ୍ତରଦାୟୀ ରହିବେ ଏନ୍‌ଡିଏ ସରକାର: ସଞ୍ଜୟ ଦାସବର୍ମା

author img

By

Published : Jun 6, 2021, 10:50 PM IST

Bjd leader sanjay das verma slams center for fuel price hike
୧୦୦ ଟପିଲାଣି ତୈଳଦର, ଉତ୍ତରଦାୟୀ ରହିବେ ଏନ୍‌ଡିଏ ସରକାର: ସଞ୍ଜୟ ଦାସବର୍ମା

ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା । ଅଧିକ ପଢନ୍ତୁ...

ଭୁବନେଶ୍ବର: କୋରୋନା ମହାମାରୀ ଦେଶର ଅର୍ଥନୀତିକୁ ରସାତଳଗାମୀ କରିସାରିଲାଣି । ଦୁଇବର୍ଷ ହେଲା ସମ୍ପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଭୟଙ୍କର ମାନ୍ଦାବସ୍ଥା ଲାଗି ରହିଛି । ମହାମାରୀ ପାଇଁ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଛନ୍ତି । ସାଧାରଣ ଜନତାଙ୍କ ପକେଟ୍ ଖାଲି । ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେବା ବଦଳରେ କୁଠାରଘାତ କରାଯାଉଥିବା ଅଭିଯଏାଗ ହେଉଛି । ବାରମ୍ବାର ତୈଳଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ।

ସଞ୍ଜୟ କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲର ମାତ୍ରାଧିକ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇଛି । ଜନସାଧାରଣ ଏବେ ଭୀଷଣ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି । ହେଲେ ଏଥିପ୍ରତି ଆଦୌ ଦୃଷ୍ଟି ନାହିଁ । ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କା ପାର କରିସାରିଲାଣି । ଓଡ଼ିଶା ପୂର୍ବରୁ ଦେଶର ଅନ୍ୟ ସହରରେ ବି ପେଟ୍ରୋଲ ଦର ସେଞ୍ଚୁରୀ ମାରିସାରିଛି । ମାତ୍ରାଧିକ ଟିକସ ଯୋଗୁଁ ଦର ବୃଦ୍ଧି ହେଉଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ଏ ଦିଗରେ କେନ୍ଦ୍ର ସରକାର ଦୃଷ୍ଟି ଦେଉନାହାନ୍ତି । କେବଳ ମେ’ ରେ ୧୬ ଥର ତୈଳଦରରେ ପରିବର୍ତ୍ତନ ହୋଇଥିଲା ।

ଯଦି ହିସାବ କରାଯାଏ, ତାହେଲେ ମାତ୍ର ୫ ସପ୍ତାହରେ ଡିଜେଲ ଦର ୫ ଟଙ୍କା ବଢ଼ିସାରିଲାଣି । ପେଟ୍ରୋଲ୍ ବି ଏହାରି ମଧ୍ୟରେ ୫ ଟଙ୍କା ବଢ଼ିଲାଣି । ପରିତାପର କଥା ଯେ, ଏଭଳି ଏକ ସମ୍ବେଦନଶୀଳ ବିଷୟକୁ କୋରୋନା ଆଢୁଆଳରେ ଚପାଇ ଦିଆଯାଉଛି । ଦେଶର ପ୍ରମୁଖ ବିରୋଧୀ ଦଳ ଉପଭୋକ୍ତାଙ୍କ ସ୍ବାର୍ଥ ପ୍ରସଙ୍ଗରେ ଅସମ୍ଭବ ନୀରବତା ପ୍ରଦର୍ଶନ କରିବା ବିଡ଼ମ୍ବନାର ବିଷୟ କିନ୍ତୁ ଏ ପ୍ରସଙ୍ଗ ଜୀବନ୍ତ । ଜନସାଧାରଣଙ୍କ ସ୍କ୍ରୁଟିନିରେ ଏହା ରହିଛି । ଆଗାମୀ ଦିନରେ ଏଥିପାଇଁ କେନ୍ଦ୍ରରେ ନେତୃତ୍ବାଧୀନ ଏନ୍‌ଡିଏ ସରକାର ଉତ୍ତରଦାୟୀ ରହିବ । ୨୦୧୪ ପୂର୍ବରୁ ଯେତେବେଳେ ପେଟ୍ରୋଲ, ଡିଜେଲ ଦର ବଢୁଥିଲା, ସେ ସମୟରେ ବିଜେପିର ନେତାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଥିଲେ । ଏପରିକି ୨୦୧୩ରେ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଘରକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଦରଦାମ୍ ନିୟନ୍ତ୍ରଣରେ କେନ୍ଦ୍ରରେ ଥିବା ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ତୁମ୍ବିତୋଫାନ କରାଯାଉଥିଲା । ‘ଆମେ ଆସିଲେ ଦରଦାମ୍ ନିୟନ୍ତ୍ରଣ କରିବୁ’, ‘ଆମ୍ ଜନତାର ସରକାର ହେବ’ ଭଳି ବିଭିନ୍ନ ସ୍ଲୋଗାନ ଦେଇ କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ବିଜେପି ସରକାର ।

କିନ୍ତୁ ଏବେ ଦରଦାମ୍ ନିୟନ୍ତ୍ରଣ ବାହାରେ ହେଲାଣି । ପ୍ରତିଶୃତି କେବଳ ପାଣିର ଗାର ହୋଇଛି । ଗତ କେନ୍ଦ୍ର ବଜେଟ୍‌ରେ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଭାବେ କୃଷି ଭିତ୍ତିଭୂମି ଉନ୍ନତିକରଣ ସେସ୍ ଲଦି ଯାଇଛି । ବଜେଟ୍ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଏହାର ପ୍ରଭାବ ତୈଳଦର ଉପରେ ପଡ଼ିବନି । କିନ୍ତୁ ବାସ୍ତବରେ ଏହା ଥିଲା ଜନସାଧାରଣଙ୍କୁ ପ୍ରତାରଣା । କାରଣ ପ୍ରତିଦିନ ଏବେ ତୈଳଦର ବଢ଼ିବାରେ ଲାଗିଛି । କେନ୍ଦ୍ର ସରକାର ତୈଳ ଉପରୁ ଉତ୍ପାଦ ଶୁଳ୍କ କମାଇବା ସହ କୃଷି ସେସ୍‌ ପ୍ରତ୍ୟାହାର କଲେ ଦର କମିବ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସଞ୍ଜୟ ଦାବି କରିଛନ୍ତି । ନଚେତ ଜନସାଧାରଣ ଏହାର ଜବାବ୍ ଉଚିତ୍ ସମୟରେ ଦେବେ ବୋଲ ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.