ETV Bharat / business

Credit Score: ଏମିତି ବଢାନ୍ତୁ କ୍ରେଡିଟ୍ ସ୍କୋର, ଲୋନ ମିଳିବା ହେବ ସହଜ

author img

By

Published : Jan 24, 2023, 1:02 PM IST

କ୍ରେଡିଟ୍ ସ୍କୋର ବୃଦ୍ଧି ଟିପ୍ସ
କ୍ରେଡିଟ୍ ସ୍କୋର ବୃଦ୍ଧି ଟିପ୍ସ

ଯେକୌଣସି ବ୍ୟକ୍ତିଙ୍କ କ୍ରେଡିଟ୍ ସ୍କୋର ୭୫୦ରୁ କମ୍ ହେଲେ ଲୋନ ଆବଦେନ ଖାରଜ ହୋଇଯାଏ । ଯଦି ବି ଲୋନ ମିଳେ ତାହାହେଲେ ଅଧିକ ସୁଧ ଦେବାକୁ ପଡେ । ବିଭିନ୍ନ କାରଣ ଯୋଗୁଁ ଏହି ସ୍କୋର ପ୍ରଭାବିତ ହୋଇଥାଏ । ତେବେ କେମିତି ଏହାକୁ ବୃଦ୍ଧି କରିବେ ପଢନ୍ତୁ ବିସ୍ତୃତରେ

ହାଇଦ୍ରାବାଦ: ଲୋନ କ୍ଷେତ୍ରରେ କ୍ରେଡିଟ ସ୍କୋର ଭୂମିକା ଗୁରୁତ୍ବପୂର୍ଣ୍ଣ । ଯେକୌଣସି ଲୋନ ପାଇଁ ବ୍ୟାଙ୍କ ଗ୍ରାହକଙ୍କ ଆୟ, ପୂର୍ବ ଲୋନ, EMI ପ୍ରଦାନ ଇତ୍ୟାଦି ସାଙ୍ଗକୁ କ୍ରେଡିଟ ସ୍କୋର ଯାଞ୍ଚ କରିଥାଏ । ନୂଆ ଲୋନ ମଞ୍ଜୁର ପୂର୍ବରୁ କ୍ରେଡିଟ ହିଷ୍ଟ୍ରି ଦେଖିଥାଏ । ଯଦି ଆପଣଙ୍କ ସ୍କୋର ୭୫୦ରୁ କମ୍ ଥାଏ ତାହାହେଲେ ଲୋନ ନାମଞ୍ଜୁର ହୋଇଯାଏ । ଯଦି ବି ବ୍ୟାଙ୍କରୁ ଲୋନ ମିଳେ ତାହେଲେ ଲୋନଧାରକଙ୍କୁ ଏଥିପାଇଁ ଅଧିକ ସୁଧ ଦେବାକୁ ପଡିଥାଏ । ଆପଣ ପ୍ରଚଳିତ ଲୋନ କିସ୍ତି ପୈଠ କରିବାରେ କେତେ ଯତ୍ନବାନ ତାହା ଆପଣଙ୍କର କ୍ରେଡିଟ ରିପୋର୍ଟ ନିର୍ଦ୍ଧାରଣ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଥାଏ ।

ଲୋନ ନେବାଠୁ ଏହାର ସମ୍ପୂର୍ଣ୍ଣ ପରିଶୋଧ ଯାଏଁ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବା ଜରୁରୀ । ଏହାଦ୍ବାରା ଆପଣଙ୍କ କ୍ରେଡିଟ୍ ସ୍କୋର ହ୍ରାସ ପାଏ ନାହିଁ । ସମ୍ପ୍ରତି ସୁଧହାର ବୃଦ୍ଧି ପାଉଛି, ଅନୁରୂପ ଭାବେ ରିଟେଲ ଲୋନ ପାଇଁ ଲୋକଙ୍କ ମଧ୍ୟରେ ଚାହିଦା ବଢୁଛି । ଏପରି ସ୍ଥଳେ ବ୍ୟାଙ୍କ ଗ୍ରାହକଙ୍କୁ ଲୋନ ଦେବା ପୂର୍ବରୁ ପୂର୍ବାପେକ୍ଷା ଅଧିକ ଯତ୍ନବାନ ହେଉଛି । ବିଶେଷକରି ଲୋନ ମଞ୍ଜୁର ପାଇଁ ଏକ ଉତ୍ତମ କ୍ରେଡିଟ ରିପୋର୍ଟ ବାଧ୍ୟତାମୂଳକ ହୋଇଛି । ତେବେ ଉତ୍ତମ କ୍ରେଡିଟ ସ୍କୋର ଧାରଣ କରିବା ଅସମ୍ଭବ କାର୍ଯ୍ୟ ନୁହେଁ । କେବଳ ଠିକ୍ ସମୟରେ ଲୋନ କିସ୍ତି ଓ କ୍ରେଡିଟ କାର୍ଡ ବିଲ୍ ପେମେଣ୍ଟ କରି ଆପଣ ଏହା କରିପାରିବେ ।

ଆର୍ଥିକ ସମସ୍ୟା ସମୟରେ ଲୋକମାନେ EMI ଏବଂ କ୍ରେଡିଟ କାର୍ଡ ବିଲ୍ ପେମେଣ୍ଟରେ ବିଳମ୍ବ କରିଥାନ୍ତି । ଯାହାକି କ୍ରେଡିଟ ସ୍କୋର ଉପରେ ନକରାତ୍ମକ ପ୍ରଭାବ ପକାଏ । ଆପଣଙ୍କର କ୍ରେଡିଟ ସ୍କୋର ୭୦୦ରୁ କମ୍ ଥିଲେ ଲୋନ୍‌ ଆବେଦନ ଖାରଜ ହେବାର ସମ୍ଭବନା ଅଧିକ ଥାଏ । ଯଦି ବି ଲୋନ ମିଳେ ତାହାହେଲେ ବ୍ୟାଙ୍କ ଅଧିକ ସୁଧ ଚାର୍ଜ କରିଥାନ୍ତି । ଯଦି ଲାଗାତାର ତିନି ମାସ ପର୍ଯ୍ୟନ୍ତ କିସ୍ତି ପ୍ରଦାନ କରାନଯାଏ, ତେବେ ବ୍ୟାଙ୍କ ଏହାକୁ ନନ୍ ପର୍ଫମିଙ୍ଗ ଆସେଟ୍(NPA) ଭାବେ ବିଚାର କରେ ।

ଯଦି କିସ୍ତି ପ୍ରଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ତେବେ ବ୍ୟାଙ୍କ କିଛି ରାଶିକୁ ଡିଫଲ୍ଟ ଭାବି ରାଇଟ୍ ଅଫ କରିଥାଏ । ଏହାକୁ ସେଟଲମେଣ୍ଟ କହନ୍ତି । ଏ ସମ୍ପର୍କରେ ବ୍ୟାଙ୍କ କ୍ରେଡିଟ ବ୍ୟୁରୋକୁ ଅବଗତ କରିଥାନ୍ତି । ତେଣୁ ସର୍ବଦା ଯଥାସମ୍ଭବ ଲୋନ ପରିଶୋଧ କରିବା ନିତାନ୍ତ ଜରୁରୀ । କାରଣ ଯଦି ଆପଣଙ୍କ କ୍ରେଡିଟ ରିପୋର୍ଟ ଖରାପ ହୁଏ ତେବେ ଭବିଷ୍ୟତରେ ଆଉ ନୂତନ ଲୋନ ମିଳିନଥାଏ । ବ୍ୟାଙ୍କଗୁଡିକ ଉକ୍ତ ବ୍ୟକ୍ତିଙ୍କ ଲୋନ ଆବେଦନ ଖାରଜ କରିଦେଇଥାନ୍ତି । ଯାହାକି ଆବଶ୍ୟକତା ସମୟରେ ବଡ ସମସ୍ୟା ସୃଷ୍ଟି କରିଥାଏ ।

ସର୍ବଦା ଲୋନ କିସ୍ତି ଓ କ୍ରେଡିଟ କାର୍ଡ ବିଲ୍ ଠିକ ସମୟରେ ପ୍ରଦାନ କରିବା ଉଚିତ୍ । ପେମେଣ୍ଟରେ ଥରେମାତ୍ର ବିଳମ୍ବ ଦ୍ବାରା ଆପଣଙ୍କ କ୍ରେଡିଟ ସ୍କୋର ୧୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇଥାଏ । ତେଣୁ ଭଲ ସ୍କୋର ପାଇବାକୁ ହେଲେ ନିର୍ଦ୍ଧାରିତ ସମୟରେ ସମସ୍ତ ପେମେଣ୍ଟ କରାଯିବା ଉଚିତ୍ । ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଥାଏ ତେବେ ଠିକ୍ ସମୟରେ ସର୍ବନିମ୍ନ କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ କରାଯାଇପାରେ । ପରେ ବାକି ଅର୍ଥ ପୈଠ କରିପାରିବେ । ଯଦି ଆପଣଙ୍କ ବିଲ୍ ଅଧିକ, ତାହାହେଲେ ବ୍ୟାଙ୍କଗୁଡିକ ଭାବିବେ ଯେ ଆପଣ କାର୍ଡର କ୍ରେଡିଟ୍ ଲିମିଟଠାରୁ ଅତ୍ୟଧିକ ବ୍ୟବହାର କରୁଛନ୍ତି ।

ଅନେକ ସମୟରେ ଲୋକଙ୍କ ପାଖକୁ କ୍ରେଡିଟ କାର୍ଡ ଓ ଲୋନ ପାଇଁ ଫୋନ କଲ୍ ଆସିଥାଏ । ଏହି କଲ୍‌ର ଉତ୍ତର ଦେବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ । ଯଦି ଆପଣଙ୍କୁ କ୍ରେଡିଟ କାର୍ଡ ଦରକାର ନାହିଁ ତେବେ ସ୍ପଷ୍ଟ ମନା କରନ୍ତୁ । ହେଲେ ଯଦି ଆପଣ ଏହା ଉପରେ ବିଚାର କରିବେ ବୋଲି କହିବେ ତେବେ ସେମାନେ ଏକ ଆପ୍ଲିକେସନ ପଠାଇ ପାରନ୍ତି । ଯାହାର ଅର୍ଥ ଆପଣ ଲୋନ ପାଇଁ ଅପେକ୍ଷା କରିଛନ୍ତି ବୋଲି ବୁଝାଯାଏ । ଏହି ସୂଚନା କ୍ରେଡିଟ ବ୍ୟୁର ଯାଏଁ ପହଞ୍ଚିଥାଏ । ଫଳରେ ବ୍ୟୁରୋ ଆପଣଙ୍କ କ୍ରେଡିଟ ସ୍କୋର ହ୍ରାସ କରେ । ସେହିପରି ଏହି ଆପ୍ଲିକେସନକୁ ବାରମ୍ବାର ଖାରଜ କରିବା ଦ୍ବାରା ମଧ୍ୟ କ୍ରେଡିଟ୍ ରେକର୍ଡ ପ୍ରଭାବିତ ହୁଏ।

ଲୋନଧାରକ ପ୍ରତି ମାସରେ ନିଜର କ୍ରେଡିଟ ସ୍କୋର ଯାଞ୍ଚ କରିବା ଜରୁରୀ । ଏଥିପାଇଁ ଏବେ ଅନେକ ୱେବସାଇଟ ଉପଲବ୍ଧ ହୋଇଛି । ଯେଉଁଥିରେ ବିନା କୌଣସି ଚାର୍ଜରେ ସ୍କୋର ଯାଞ୍ଚ କରାଯାଇ ପାରିବ । ତେଣୁ ଏକ ଭରସାଯୋଗ୍ୟ ୱେବସାଇଟକୁ ଯାଇ ଯାଞ୍ଚ କରନ୍ତୁ । ଏଥିରେ କୌଣସି ପ୍ରକାର ତ୍ରୁଟି ଦେଖିଲେ ତୁରନ୍ତ ବ୍ୟାଙ୍କକୁ ଅବଗତ କରାନ୍ତୁ । କ୍ରେଡିଟ୍ କାର୍ଡ ବ୍ୟବହାର କମ୍ କରନ୍ତୁ । ଏସବୁ ଦ୍ବାରା ଆପଣ ନିଜ ସ୍କୋର ପୁଣିଥରେ ୭୫୦ ପଏଣ୍ଟ ଯାଏଁ ବୃଦ୍ଧି କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.