ETV Bharat / bharat

ପାରିତ ହେଲେ ସୁଦ୍ଧା 2029 ପୂର୍ବରୁ ଲାଗୁ ହେବନି ମହିଳା ସଂରକ୍ଷଣ ବିଲ୍‌ ! ଜାଣନ୍ତୁ କାହିଁକି

author img

By ETV Bharat Odisha Team

Published : Sep 19, 2023, 5:56 PM IST

ପାରିତ ହେଲେ ସୁଦ୍ଧା 2029 ପୂର୍ବରୁ ଲାଗୁ ହେବନି ମହିଳା ସଂରକ୍ଷଣ ବିଲ୍‌ ! ଜାଣନ୍ତୁ କାହିଁକି
ପାରିତ ହେଲେ ସୁଦ୍ଧା 2029 ପୂର୍ବରୁ ଲାଗୁ ହେବନି ମହିଳା ସଂରକ୍ଷଣ ବିଲ୍‌ ! ଜାଣନ୍ତୁ କାହିଁକି

ସଂସଦରେ ପାରିତ ହେଲେ ସୁଦ୍ଧା 2029 ପୂର୍ବରୁ ଲାଗୁ ହୋଇ ପାରିବନାହିଁ ମହିଳା ସଂରକ୍ଷଣ ବିଲ୍‌ । ସଂସଦୀୟ କ୍ଷେତ୍ର ପୁନଃସୀମା ନିର୍ଦ୍ଧାରଣ ପରେ ହେବ ଲାଗୁ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଡାକିଥିବା ସ୍ବତନ୍ତ୍ର ଅଧିବେଶନରେ ପ୍ରଥମ ବିଲ୍‌ ଭାବେ ଆଜି ଲୋକସଭାରେ ଆଗତ ହୋଇଛି ମହିଳା ସଂରକ୍ଷଣ ବିଲ୍‌ । ହେଲେ ଏହି ବିଲ୍‌ ଆଗତ ହୋଇ ପାରିତ ହେବାରେ ସଫଳ ହେଲେ ମଧ୍ୟ 2024 ସାଧାରଣ ନିର୍ବାଚନ ପୂର୍ବରୁ ଲାଗୁ ହେବା ପ୍ରାୟତଃ ସମ୍ଭବ ନୁହେଁ । ତେଣୁ ଏହା ସଂସଦର ଉଭୟ ଗୃହରେ ପାରିତ ହୋଇ ଆଇନରେ ପରିଣତ ହେଲେ ସୁଦ୍ଧା 2029 ସାଧାରଣ ନିର୍ବାଚନରେ ହିଁ ଲାଗୁ ହେବା ନେଇ ଆକଳନ ପ୍ରକାଶ ପାଇଛି ।

କାରଣ ଆଇନ ଅନୁସାରେ, ଏହି ସଂରକ୍ଷଣ ନିୟମକୁ ନିର୍ବାଚନ ମଣ୍ଡଳୀ ପୁନଃସୀମା ନିର୍ଦ୍ଧାରଣ ପରେ ହିଁ ଲାଗୁ କରାଯିବ । ତେବେ ଏହି ନିୟମ ଲାଗୁ ହେବା ପୂର୍ବରୁ ଜନଗଣନା ଓ ସଦ୍ୟତମ ତଥ୍ୟ ଅନୁସାରେ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ପୁନଃ ସୀମା ନିର୍ଦ୍ଧାରଣ ହେବା ଜରୁରୀ । ଏପରି ସ୍ଥିତିରେ ପରବର୍ତ୍ତୀ ଜନଗଣନା 2027 ମସିହାରେ ହେବାର ସମ୍ଭାବନା ରହିଛି । ଏହି ଜନଗଣନା ଫଳାଫଳ ଆଧାରରେ ଦେଶରେ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ପରିସୀମା ପୁନଃ ନିର୍ଦ୍ଧାରିତ ହେବ । ଅନେକ ନୂତନ ଆସନ ମଧ୍ୟ ଗଠନ ହେବ । ଏହା ପରେ ଏହି ଆଇନକୁ ଲାଗୁ କରାଯାଇପାରେ । ତେଣୁ ଏହି ଅଧିବେଶନରେ ଏହା ପାରିତ ହେଲେ ସୁଦ୍ଧା 2024 ସାଧାରଣ ନିର୍ବାଚନରେ ଏହାର କାର୍ଯ୍ୟକାରିତା ନେଇ କୌଣସି ପ୍ରଶ୍ନ ମଧ୍ୟ ଉଠୁନାହିଁ ।

ପ୍ରାୟ 27 ବର୍ଷ ପୂର୍ବରୁ ଭାରତୀୟ ରାଜନୀତିରେ ମହିଳାଙ୍କୁ ପ୍ରଭାବୀ ଅଂଶଗ୍ରହଣ ସୁଯୋଗ ଦେବା ପାଇଁ ଏହି ବିଚାର ଆରମ୍ଭ ହୋଇଥିଲେ ସୁଦ୍ଧା ଏହା ଆବଶ୍ୟକ ସଂଖ୍ୟା କାରଣରୁ କାର୍ଯ୍ୟକାରୀ ହୋଇପାରିନଥିଲା । ହେଲେ ଏଥର ବିଜେପି ନେତୃତ୍ବାଧୀନ ଏନଡିଏ ସରକାରରେ ଏହାକୁ ପାରିତ କରି ଆଇନରେ ପରିଣତ କରିବାରେ ପ୍ରାୟ ସମସ୍ତ ସମ୍ଭାବନା ରହିଛି । ଲୋକସଭା ଓ ରାଜ୍ଯ ବିଧାନସଭାଗୁଡିକରେ ମୋଟ ଆସନର 33 ପ୍ରତିଶତ ସଂରକ୍ଷଣ ପାଇବେ ମହିଳା । ହେଲେ ଏହି ବିଲ ରାଜ୍ୟସଭା ଓ ରାଜ୍ୟ ବିଧାନ ପରିଷଦରେ କୌଣସି ପ୍ରଭାବ ପକାଇବ ନାହିଁ ।

ଏହା ମଧ୍ୟ ପଢନ୍ତୁ:- Special Session: ଆସନ୍ତାକାଲି ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ, କାଲି ମହିଳା ସଂରକ୍ଷଣ ବିଲ ଉପରେ ଚର୍ଚ୍ଚା

ତେବେ ଆସନ୍ତା ଜନଗଣନା ପରେ ଦେଶ ଓ ବିଭିନ୍ନ ରାଜ୍ୟରେ ଲୋକସଂଖ୍ୟା ଦୃଷ୍ଟିରୁ ଉଭୟ ବିଧାନସଭା ଓ ସଂସଦୀୟ ଆସନ ବୃଦ୍ଧି ପାଇବା ଏକପ୍ରକାର ନିଶ୍ଚିତ । ଏହି ଆବଶ୍ୟକତା ହିଁ ନୂତନ ସଂସଦ ନିର୍ମାଣର ଆହ୍ବାନକୁ ଜନ୍ମ ଦେଇଥିଲା । 2027 ରେ ଜାତୀୟ ଜନଗଣନା ଶେଷ ହେବା ପରେ ସେହି ରିପୋର୍ଟ ଅନୁସାରେ ନିର୍ବାଚନୀ କ୍ଷେତ୍ରର ସୀମା ପୁର୍ନନିର୍ଦ୍ଧାରଣ ପରେ ସାଂସଦ ସଂଖ୍ୟା ମଧ୍ୟ ବଢିବାକୁ ଯାଉଛି । ତେଣୁ ଆଗମୀ ସ୍ଥିତିକୁ ଦୃଷ୍ଟିରେ ରଖି ନୂତନ ସଂସଦ ଭବନକୁ ଭବ୍ୟ ଓ ବିଶାଳ ଭିତ୍ତିଭୂମି ସହ ନିର୍ମାଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.