ETV Bharat / bharat

Joe Biden Departs: ଜି-୨୦ ସମ୍ମିଳନୀ ସାରି ଦିଲ୍ଲୀରୁ ଫେରିଲେ ବାଇଡେନ

author img

By ETV Bharat Odisha Team

Published : Sep 10, 2023, 12:25 PM IST

ଦିଲ୍ଲୀରୁ ଫେରିଲେ ବାଇଡେନ
ଦିଲ୍ଲୀରୁ ଫେରିଲେ ବାଇଡେନ

ଜି-୨୦ ଶିଖର ସମ୍ମିଳନୀ ସାରି ଦିଲ୍ଲୀ ଛାଡିଲେ ରାଷ୍ଟ୍ରପତି ବାଇଡେନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ସାରି ଦିଲ୍ଲୀରୁ ଫେରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆଜି ଜି-୨୦ର ତୃତୀୟ ସେସନ 'ୱାନ ଫ୍ୟୁଚର' ବା 'ଗୋଟିଏ ଭବିଷ୍ୟତ' ଥିବାବେଳେ ବାଇଡେନ ଦିଲ୍ଲୀରୁ ଭିଏତନାମା ଅଭିମୁଖେ ଯାତ୍ରା କରିଛନ୍ତି । ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଆଜି ସକାଳେ ଦିଲ୍ଲୀ ରାଜଘାଟକୁ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ସହିତ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରମୁଖ ଅନ୍ୟାନ୍ୟ ଜି-୨୦ ନେତା ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ବାଇଡେନ ଦିଲ୍ଲୀ ଛାଡିଥିବା ସୂଚନା ମିଳିଛି ।

ରାଷ୍ଟ୍ରପତି ବାଇଡେନ ଜି-୨୦ ସମ୍ମିଳନୀ ପାଇଁ ଗତ ଶୁକ୍ରବାର ଦିନ ୩ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିଲେ । ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ଥିଲା । ତାଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡା କରାଯାଇଥିଲା । ଦିଲ୍ଲୀରେ ପହଞ୍ଚିବା ପରେ ବାଇଡେନ ସେହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ୫୦ ମିନିଟ ମଧ୍ୟରେ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ଔଷଧ, ଖାଦ୍ୟ ସୁରକ୍ଷା, ଗବେଷଣା, ମହାକାଶ ଗବେଷଣା କେନ୍ଦ୍ର, ପୁଞ୍ଜି ନିବେଶ ୫ଜି, ୬ଜି ଭଳି ବହୁ କ୍ଷେତ୍ରରେ ଦୁଇ ନେତା ଆଲୋଚନା କରିବା ସହିତ ବୁଝାମଣା କରିଥିଲେ । ନିକଟରେ ଭାରତର ଚନ୍ଦ୍ର ମିଶନ ସଫଳତା ପାଇଁ ବାଇଡେନ ଭାରତକୁ ଅଭିନନ୍ଦନ ଜଣାଇଥିଲେ ।

ଏହାମଧ୍ୟ ପଢନ୍ତୁ : G20 Summit: ମହାଶକ୍ତି ମହାସମ୍ମିଳନୀରେ ଅନ୍ତିମ ଦିନ, ୱାନ ଫ୍ୟୁଚର ବିଷୟବସ୍ତୁ ଉପରେ ହେବ ଆଲୋଚନା

ବାଇଡେନଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରିଥିଲେ, ପ୍ରତିପକ୍ଷ ବାଇଡେନଙ୍କୁ ସ୍ବାଗତ କରି ମୁଁ ଖୁସି ଅନୁଭବ କରୁଛି । ଆମେ ଅନେକ ପ୍ରସଙ୍ଗରେ ଆଲୋଚନା କରିଛୁ । ଆମ ଦ୍ବିପାକ୍ଷିକ କଥାବାର୍ତ୍ତା ଫଳପ୍ରଦ ହୋଇଛି । ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବିଶ୍ବ କଲ୍ୟାଣ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ପ୍ରକାଶ ଥାଉକି, ଭାରତ ପ୍ରଥମ ଥର ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିଛି । ଏହି ସମ୍ମିଳନୀ ଉପରେ ସାରା ବିଶ୍ବର ନଜର ରହିଛି । ବୈଠକର ପ୍ରଥମ ଦିନରେ ଭାରତ ନୂଆଦିଲ୍ଲୀ ଜି୨୦ ଲିଡର୍ସ ସମ୍ମିଳନୀ ଘୋଷଣାପତ୍ର ଗୃହୀତ କରାଇ ବଡ ଉପଲବ୍ଧ ହାସଲ କରିଛି । କାଲି ଗୋଟିଏ ପୃଥିବୀ, ଗୋଟିଏ ପରିବାର ବିଷୟବସ୍ତୁ ଉପରେ ମାନସ ମନ୍ଥନ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.