ETV Bharat / bharat

ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି, ୩ ଶହ ଟଙ୍କାକୁ ବୃଦ୍ଧି ପାଇଲା ଉଜ୍ଜଳା ସବସିଡି

author img

By ETV Bharat Odisha Team

Published : Oct 4, 2023, 5:32 PM IST

ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି, ୩ଶହ ଟଙ୍କାକୁ ବୃଦ୍ଧି ପାଇଲା ଉଜ୍ଜଳା ସବସିଡି
ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି, ୩ଶହ ଟଙ୍କାକୁ ବୃଦ୍ଧି ପାଇଲା ଉଜ୍ଜଳା ସବସିଡି

ନିର୍ବାଚନ ପୂର୍ବରୁ ବଢିଲା ଉଜ୍ଜଳା ସବସିଡି ରାଶି । ଏବେ ହିତାଧିକାରୀ ସିଲିଣ୍ଡର ପିଚ୍ଛା ପାଇବେ ୩ଶହ ଟଙ୍କା ସବସିଡି । ପୂର୍ବ ରାଶି ଥିଲା ୨୦୦ । ଅଗଷ୍ଟରେ ୨ଶହ ଟଙ୍କା ହ୍ରାସ ପାଇଥିଲା ଘରୋଇ ସିଲିଣ୍ଡର ଦାମ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଏଲପିଜି ଦର ଉପରେ ପୁଣି ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ସବସିଡି ରାଶି ୩ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ରାଶି ୨୦୦ ଟଙ୍କା ଥିଲା । କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନଷ୍ପତ୍ତି ଗ୍ରହଣ କରଥିବା ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ପ୍ରେସମିଟରେ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ସବସିଡି ରାଶି ସିଲିଣ୍ଡର ପିଚ୍ଛା ୨ଶହ ଟଙ୍କା ଥିବା ବେଳେ ଏବେ ଏହି ପରିମାଣ ୧୦୦ ଟଙ୍କା ବୃଦ୍ଧି ପାଇ ୩ ଶହରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର 9.6 କୋଟି ହିତାଧିକାରୀ ଏବେ ଏହାର ଲାଭାଂଶ ପାଇବାକୁ ଯାଉଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ଉଜ୍ଜଳା ହିତାଧିକାରୀମାନେ ବର୍ତ୍ତମାନ 14.2 କିଲୋଗ୍ରାମ ଏଲପିଜି ସିଲିଣ୍ଡର ପିଚ୍ଛା 703 ଟଙ୍କା ଦେଉଥିବା ବେଳେ ଏହାର ଖୋଲା ବଜାର ମୂଲ୍ୟ 903 ଟଙ୍କା ରହିଛି । କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ପରେ ସେମାନେ ଏବେ 603 ଟଙ୍କା ମୂଲ୍ୟରେ ସିଲିଣ୍ଡର ପାଇପାରିବେ । ତେବେ ଏହା ପୂର୍ବରୁ କେନ୍ଦ୍ର ସରକାର ଗତମାସ (ଅଗଷ୍ଟ)ରେ ସମସ୍ତ ଗ୍ରାହକଙ୍କ ପାଇଁ ଏଲପିଜି ସିଲିଣ୍ଡର ମୂଲ୍ୟରେ ୨ଶହ ଟଙ୍କା ହ୍ରାସ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- Nobel Prize In Chemistry 2023: ୩ ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର

ତେବେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଆର୍ଥିକ ବର୍ଷ 2023-24 ରୁ 2025-26, ଅର୍ଥାତ ଆସନ୍ତା ତିନି ବର୍ଷ ମଧ୍ୟରେ 75 ଲକ୍ଷ ନୂଆ ଏଲପିଜି ସଂଯୋଗୀକରଣ ସହ ଯୋଜନାର ମୋଟ ହିତାଧିକାରୀ ସଂଖ୍ୟା 10.35 କୋଟିରେ ପହଞ୍ଚାଇବା ନେଇ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ତେବେ ଅଗଷ୍ଟରେ ଏଲପିଜି ଦର ହ୍ରାସକୁ ନିଷ୍ପତ୍ତିକୁ ନିର୍ବାଚନ ସହ ଯୋଡି ବିରୋଧୀ ମୋଦି ସରକାରଙ୍କୁ ସମାଲୋଚନା କରଥିଲେ । ଏବେ ଚଳିତ ବର୍ଷ ଶେଷ ସୁଦ୍ଧା ୫ ରାଜ୍ୟର ବିଧାନସଭା ନିର୍ବାଚନ ଥିବା ବେଳେ ଆସନ୍ତା ବର୍ଷ ୨୦୨୪ ପ୍ରାରମ୍ଭରେ ସାଧାରଣ ନିର୍ବାଚନ ମଧ୍ୟ ରହିଛି । ମୋଦି ସରକାର ଦରଦାମ ଓ ମୁଦ୍ରାସ୍ଫିତିକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ଥିବା ବେଳେ ଏହି ସବସିଡି ରାଶି ବୃଦ୍ଧି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.