ETV Bharat / bharat

Tripura Assembly Election: କ୍ଷମତାକୁ ଆସିଲେ ବେକାରୀ ଭତ୍ତା ଦେବ ଟିଏମସି

author img

By

Published : Feb 6, 2023, 9:19 AM IST

Tripura Assembly Election
Tripura Assembly Election

ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ଟିଏମସି । କ୍ଷମତାକୁ ଆସିଲେ 2ଲକ୍ଷ ନିଯୁକ୍ତି ସହ ବେକାରୀ ଭତ୍ତା ପ୍ରଦାନ ନେଇ କଲା ଘୋଷଣା । ଅଧିକ ପଢନ୍ତୁ

ଅଗରତାଲା: ପାଖେଇ ଆସୁଛି ତ୍ରିପୁରା ବିଧାନସଭା ନିର୍ବାଚନ । କ୍ଷମତା ହାତେଇବାକୁ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି କସରତ । ବିଜେପି, କଂଗ୍ରେସ ଓ ଟିଏମସି ପ୍ରାର୍ଥୀ ତାଲିକା ଜାରି କରିବା ପରେ ଭୋଟ ହାତେଇବାକୁ ଟିଏମସି ଖୋଲିଛି ପ୍ରତିଶୃତିର ପେଡି । ରବିବାର ତୃଣମୂଳ କଂଗ୍ରେସ ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି । ଚଳିତ ନିର୍ବାଚନରେ କ୍ଷମତାକୁ ଆସିଲେ ଦଳ ଦୁଇ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବା ସହ 1000 ଟଙ୍କା ଭତ୍ତା ଦେବା ନେଇ ଘୋଷଣା କରିଛି । ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏକ ହଜାର ଟଙ୍କା ଷ୍ଟାଇପେଣ୍ଡ ଦେବା ନେଇ ଇସ୍ତାହାରରେ କୁହାଯାଇଛି । ସେହିପରି ତ୍ରିପୁରାରେ ସାମାଜିକ କଲ୍ୟାଣ ଯୋଜନା ଆରମ୍ଭ କରିବାକୁ ନିର୍ବାଚନୀ ଇସ୍ତାହାରରେ କହିଛି ଟିଏମସି ।

ପଶ୍ଚିମବଙ୍ଗର ଶିକ୍ଷା ମନ୍ତ୍ରୀ ବ୍ରାଟିଆ ବାସୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ,'' ଯଦି ଟିଏମସି ତ୍ରିପୁରାରେ କ୍ଷମତାକୁ ଆସେ ତେବେ ପ୍ରଥମ ବର୍ଷରେ 50 ହଜାର ଯୁବକ ଯୁବତୀଙ୍କୁ ଚାକିରି ପ୍ରଦାନ କରିବ । ଏଥିସହ ପାଞ୍ଚ ବର୍ଷ ମଧ୍ୟରେ 2 ଲକ୍ଷ ନିଯୁକ୍ତି ସୃଷ୍ଟି କରିବ । ସରକାରୀ ସ୍ତରରେ ଖାଲି ପଡିଥିବା ବିଭାଗ ଗୁଡିକୁ ପୂରଣ କରାଯିବ । ବେକାର ଯୁବକ ଯୁବତୀ ମାନଙ୍କୁ ଟିଏମସି ମାସିକ ଏକ ହଜାର ଟଙ୍କା ଭତ୍ତା ଦିଆଯିବ ।’’

''ଯେଉଁମାନେ ଉଚ୍ଚଶିକ୍ଷା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଟିଏମସି ଏକ ସ୍କିଲ ୟୁନିଭରସିଟି, ଷ୍ଟୁଡେଣ୍ଟ କ୍ରେଡିଟ କାର୍ଡ ଏବଂ ଋଣ ପ୍ରଦାନ କରିବ । ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏକ ହଜାର ଟଙ୍କା ଷ୍ଟାଇପେଣ୍ଡ ମଧ୍ୟ ପ୍ରଦାନ କରାଯିବ । ପଶ୍ଚିମବଙ୍ଗ ଶିଳ୍ପ ମନ୍ତ୍ରୀ ଶଶି ପଞ୍ଜା କହିଛନ୍ତି ଯେ, ''ଉତ୍ତର-ପୂର୍ବ ରାଜ୍ୟର କନ୍ୟାଶ୍ରୀ ଏବଂ ଲକ୍ଷ୍ମୀ ଭଣ୍ଡାର ଭଳି କଲ୍ୟାଣମୂଳକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିବାକୁ ତୃଣମୂଳ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ''

ଟିଏମସିର ରାଜ୍ୟ ଦାୟିତ୍ୱରେ ଥିବା ରାଜୀବ ବାନାର୍ଜୀ କହିଛନ୍ତି ଯେ, ''ଯଦି ଦଳ କ୍ଷମତାକୁ ଆସିବ ତେବେ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରାଯିବ । ଆମ ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା କରନ୍ତି ।'' ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ତ୍ରିପୁରା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେଠାରେ ଏକ ରୋଡ ଶୋ କରିବା ସହ ଏକ ରାଲି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

60 ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ 16 ଫେବୃଆରୀରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ 21 ଜାନୁଆରୀରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜାନୁଆରୀ 30 ନାମାଙ୍କନ ଦାଖଲର ଶେଷ ଦିନ ଥିଲା । ଜାନୁଆରୀ 31ରେ ନାମାଙ୍କନ ଯାଞ୍ଚ ଓ ଫେବୃଆରୀ 2ରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ଥିଲା । ଚଳିତ ନିର୍ବାଚନରେ 18 ଆସନରେ ଟିଏମସି ପ୍ରତିଦ୍ବନ୍ଦ୍ବୀ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.