ETV Bharat / bharat

ତାମିଲନାଡୁରେ ବନ୍ୟା; ୧୦ ମୃତ, ଶତାଧିକ ଗାଁ ଜଳମଗ୍ନ

author img

By ETV Bharat Odisha Team

Published : Dec 20, 2023, 8:25 AM IST

Etv Bharat
Etv Bharat

Tamil Nadu Floods: ତାମିଲନାଡୁରେ ସାଂଘାତିକ ବନ୍ୟା ପରିସ୍ଥିତି । ଏବେ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଗାଁ ପାଣି ଘେରରେ । ଅଧିକ ପଢନ୍ତୁ

ଚେନ୍ନାଇ: ବର୍ଷାରେ ବେହାଲ ତାମିଲନାଡୁ । ଲଗାଣ ବର୍ଷା ଦକ୍ଷିଣ ତାମିଲନାଡୁରେ ସାଂଘାତିକ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ରାସ୍ତାଘାଟ, ଘରଦ୍ବାର, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ରହିଛି । ବହୁ ସ୍ଥାନରେ ରାସ୍ତା ଧୋଇ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ବିଦ୍ୟୁତ ସରବରାହ ବ୍ୟାହତ ହେବା ସହ ପରିବହନ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି । ମୂଷଳଧାରାରେ ବର୍ଷା ଜାରି ରହିଥିବା ବେଳେ ବର୍ଷାଜନିତ ବିଭିନ୍ନ କାରଣରୁ ରାଜ୍ୟରେ ଏବେସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ଖବର ମିଳିଛି । ଲକ୍ଷ ଲକ୍ଷ ଲୋକ ପାଣି ଘେରରେ ଫସି ରହି ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ତେବେ ବର୍ଷାରେ ତିରୁନଭେଲି ଏବଂ ଥୁଥୁକୁଡି ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଶତାଧିକ ଗାଁ ପାଣି ଘେରରେ ବୁଡି ରହିଛି । ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଟିମ୍ ସହ ବାୟୁସେନା ମଧ୍ୟ ସାମିଲ ହୋଇଛି ।

ଯଦିଓ ତିରୁନଭେଲି ଏବଂ ଆଖପାଖ କିଛି ଅଞ୍ଚଳରେ ସଡ଼କ ସଂଯୋଗ ପୁନଃସ୍ଥାପିତ କରାଯାଇଛି, ହେଲେ ଥୁଥୁକୁଡ଼ିରେ ଏବେ ବି ଯୋଗାଯୋଗ ବିଚ୍ଛନ୍ନ ରହିଛି । ଥୁଥୁକୁଡି ବିମାନ ବନ୍ଦରରେ ବିମାନ ଚଳାଚଳ ବାତିଲ କରାଯାଇଛି । ବିଭିନ୍ନ ସ୍ଥାନରେ ରେଳ ଧାରଣା କ୍ଷତିଗ୍ରସ୍ତ ହେବା ସହ ପାଣି ଜମି ରହିଥିବାରୁ ରେଳ ସେବାକୁ ମଧ୍ୟ ସାମୟିକ ସ୍ଥଗିତ ରଖାଯାଇଛି । ବାୟୁସେନାର ହେଲିକପ୍ଟର ଦୁର୍ଗମ ସ୍ଥାନରେ ପାଣି ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହିତ ଖାଦ୍ୟ ପ୍ୟାକେଟ ଏବଂ ପାନୀୟ ଜଳ ପହଞ୍ଚାଉଛି ।

ଏହା ମଧ୍ୟ ପଢନ୍ତୁ: ତାମିଲନାଡୁରେ ଜାରି ବର୍ଷା ବିତ୍ପାତ; ୩ ଜଣଙ୍କ ମୃତ୍ୟୁ, ବିମାନ ଚଳାଚଳ ବାତିଲ

ରାଜ୍ୟର ଅଧିକାଂଶ ସ୍ଥାନରେ ଦିନକରେ ୪୦ ସେମିରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଥୁଥୁକୁଡି ଜିଲ୍ଲାର କୟାଲପଟ୍ଟିନମରେ ୯୫ ସେମି ବର୍ଷା ହୋଇଛି । ବର୍ଷା ବ୍ୟତୀତ ତାମିରାପରାନୀ ନଦୀରେ ୧.୨୫ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସନ ଯୋଗୁଁ ଦୁଇ ଜିଲ୍ଲା ତିରୁନଭେଲି ଓ ଥୁଥୁକୁଡି ପୁରା ଉବୁଟୁବୁ ହେଉଛି । ଯେହେତୁ ବର୍ଷା ଜାରି ରହିଛି ତେଣୁ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ସ୍ବାଭାବିକ କରାଯାଇ ପାରୁନାହିଁ ।

ନିକଟ ଅତୀତରେ ତାମିଲନାଡ଼ୁରେ ଏଭଳି ବର୍ଷା ବିତ୍ପାତ ପୂର୍ବରୁ କେବେ ବି ଦେଖାଯାଇନଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ମଙ୍ଗଳବାର ରାତିରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ସହାୟତା ଲୋଡିଥିଲେ । ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ୍ ସହାୟତା ପାଇଁ ୭,୦୩୩ କୋଟି ଏବଂ ବନ୍ୟା ମୁକାବିଲା ପାଇଁ ୧୨,୬୫୯ କୋଟି ଆବଶ୍ୟକତା ଥିବାର ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ଏଥିସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଅଧିକ ହେଲିକପ୍ଟର ଯୋଗାଇବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅନୁରୋଧ କରିଥିଲେ ।

ଉଦ୍ଧାର କାର୍ଯ୍ୟରେ ପୋଲିସ ଓ SDRF ସମେତ ୧୩୦ କର୍ମଚାରୀ ଏବଂ ୧୬୮ ସଶସ୍ତ୍ର ବାହିନୀ କର୍ମକର୍ତ୍ତା ନିୟୋଜିତ ଅଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏପର୍ଯ୍ୟନ୍ତ ୧୭ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ୧୬୦ଟି ଅସ୍ଥାୟୀ କେନ୍ଦ୍ରରେ ରଖାଯାଇଛି । ମଙ୍ଗଳବାର ବାୟୁସେନାର ୯ଟି ଚପର ଦ୍ବାରା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍‌ ବଣ୍ଟନ କରାଯାଇଛି । ୩୨୩ଟି ବୋଟ୍ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିବା ବେଳେ ଆହୁରି ଅଧିକ ବୋଟ୍ ଅଣାଯିବ ବୋଲି ରାଜ୍ୟର ମୁଖ୍ୟ ଶାସନ ସଚିବ ଶିବ ଦାସ ମୀନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.