ETV Bharat / bharat

ତାମିଲନାଡୁ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ 10 ବିଲ୍‌ ପୁନଃ ପାରିତ, ଗୁରୁବାର ଫେରାଇ ଦେଇଥିଲେ ରାଜ୍ୟପାଳ

author img

By ETV Bharat Odisha Team

Published : Nov 18, 2023, 10:17 PM IST

ତାମିଲନାଡୁ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ 10 ବିଲ୍‌ ପୁନଃ ପାରିତ, ଗୁରୁବାର ଫେରାଇ ଦେଇଥିଲେ ରାଜ୍ୟପାଳ
ତାମିଲନାଡୁ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ 10 ବିଲ୍‌ ପୁନଃ ପାରିତ, ଗୁରୁବାର ଫେରାଇ ଦେଇଥିଲେ ରାଜ୍ୟପାଳ

ତାମିଲନାଡୁ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ରାଜ୍ୟପାଳ ଫେରାଇ ଦେଇଥିବା 10 ବିଲ୍‌ ପୁନଃ ପାରିତ କଲେ ଷ୍ଟାଲିନ ସରକାର । ଗୁରୁବାର ଅନୁମୋଦନ ନଦେଇ ଫେରାଇ ଦେଇଥିଲେ ରାଜ୍ୟପାଳ ଆର.ଏନ ରବି । ଅଧିକ ପଢନ୍ତୁ

ଚେନ୍ନାଇ: ତାମିଲନାଡୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ରାଜ୍ୟପାଳ ଆର.ଏନ ରବିଙ୍କ ଦ୍ବାରା ଫେରସ୍ତ ହୋଇଥିବା 10ଟି ବିଲ୍‌କୁ ପୁନଃ ପାରିତ କରିଛନ୍ତି ଷ୍ଟାଲିନ ସରକାର । ଗୁରୁବାର ରାଜ୍ୟପାଳ ଏହି ସବୁ ବିଲ୍‌କୁ ଅନୁମୋଦନ ଦେବାକୁ ମନା କରିବା ସହ ପୁନଃ ଚର୍ଚ୍ଚା ପାଇଁ ଫେରସ୍ତ କରିବା ପରେ ସରକାର ଆଜି ଏକ ସ୍ବତନ୍ତ୍ର ଅଧିବେଶନ ଆହୁତ କରିଥିଲେ । ଆଜି (ଶନିବାର) ପୂର୍ବାହ୍ନ 10 ଟାରୁ ଗୃହର ପ୍ରୋସିଡିଂ ଆରମ୍ଭ ହେବା ପର ବିରୋଧୀ AIADMK ଓ BJP ବିଧାୟକମାନେ ନାରାବାଜି କରିବା ସହ ଗୃହତ୍ୟାଗ କରିଥିଲେ । ଆଜି ପୁଣିଥରେ ଗୃହରେ ପାରିତ ହୋଇଥିବା ବିଲଗୁଡିକ ମଧ୍ୟରେ ଆଇନ, କୃଷି ଓ ଉଚ୍ଚଶିକ୍ଷା ସମେତ ବିଭିନ୍ନ ବିଭାଗର ବିଲ୍‌ ରହିଛି । ବିରୋଧୀଙ୍କ କକ୍ଷତ୍ୟାଗ ସତ୍ତ୍ବେ ମଧ୍ୟ ଏହା ଶାସକ DMK ସଦସ୍ୟଙ୍କ ଭୋଟରେ ସଂଖ୍ୟା ବହୁମତ ଆଧାରରେ ପାରିତ ହୋଇଛି ।

ଆଜି ଗୃହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଥିଲେ, ‘‘ଜନତାଙ୍କ ଦ୍ବାରା ନିର୍ବାଚିତ ସଦନରେ ଚର୍ଚ୍ଚା ପରେ ପାରିତ ହୋଇଥିବା ବିଲ୍‌କୁ ଅନୁମୋଦନ ଦେବା ରାଜ୍ୟପାଳଙ୍କ କର୍ତ୍ତବ୍ୟ । ଯଦି କୌଣସି ପ୍ରସଙ୍ଗରେ ରାଜ୍ୟପାଳଙ୍କର ପାରିତ ହୋଇଥିବା ବିଲ୍କୁ‌ ନେଇ କୌଣସି ଆପତ୍ତି ଥାଏ, ତେବେ ସେ ସରକାରଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରିପାରିବେ । ପୂର୍ବରୁ ମଧ୍ୟ କିଛି ବିଲରେ ରାଜ୍ୟପାଳଙ୍କ ଆପତ୍ତି ସାମ୍ନାକୁ ଆସିଛି । ସେତେବେଳେ ସରକାରଙ୍କ ପକ୍ଷରୁ ତୁରନ୍ତ ଏ ସମ୍ପର୍କରେ ରାଜଭବନକୁ ସ୍ପଷ୍ଟ କରାଯାଇଛି । ରାଜ୍ୟ ଇତିହାସରେ ଏପରି କେବେ ହୋଇନି, ରାଜ୍ୟପାଳଙ୍କ କୌଣସି ପ୍ରଶ୍ନର ଉତ୍ତର ରାଜ୍ୟ ସରକାର ସ୍ପଷ୍ଟତାର ସହ ରଖିନାହାନ୍ତି । ତଥାପି ଗୃହରେ ପାରିତ ବିଲକୁ ଅନୁମୋଦନ ନଦେଇ ଫେରାଇ ଦେବା ରାଜ୍ୟବାସୀ ଓ ନିର୍ବାଚିତ ସଦନ ପ୍ରତି ଏକ ଅପମାନ ।’’

ଆହୁରି ମଧ୍ୟ ଷ୍ଟାଲିନ କହିଥିଲେ,‘‘ଏପରି କରି ରାଜ୍ୟପାଳ ଗଣତନ୍ତ୍ର, ଆଇନ ଓ ରାଜ୍ୟବାସୀଙ୍କ ବିରୋଧୀ ପରି କାମ କରୁଛନ୍ତି । ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ କାମ କରିବା ଉଚିତ । ଏହା କରିବା ପରିବର୍ତ୍ତେ ସେ କେବଳ ରାଜ୍ୟ ସରକାରଙ୍କ ଯୋଜନାକୁ ସ୍ଥଗିତ ରଖିବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ପରି ମନେ ହେଉଛି । ଏହା ପୂର୍ବରୁ ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ଯେଉଁ ଟିପ୍ପଣୀ ଦେଇଥିଲେ, ତାହା ଏହି ସଦନର ବିଜୟ ଥିଲା ।’’

ଏହା ମଧ୍ୟ ପଢନ୍ତୁ :- ରାଜ୍ୟପାଳ-ସରକାର ବିବାଦ: 10ଟି ବିଲ୍‌କୁ ଫେରାଇ ଦେଲେ ତାମିଲନାଡୁ ରାଜ୍ୟପାଳ

ଗୁରୁବାର ରାଜ୍ୟପାଳ ଆର.ଏନ ରବି 10ଟି ପାରିତ ବିଲକୁ ଅନୁମୋଦନ ଦେବା ପରିବର୍ତ୍ତେ ଫେରାଇ ଦେଇଥିଲେ । ଏହା ପରେ ତୁରନ୍ତ ରାଜ୍ୟ ସରକାର ସ୍ବତନ୍ତ୍ର ଅଧିବେଶନ ଡାକିଥିଲେ । ଆଜି ପୁଣି ଥରେ ଏହି ସମସ୍ତ ବିଲ୍କୁ‌ ସଦନରେ ପାରିତ କରିଛି ଷ୍ଟାଲିନ ସରକାର ।

ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁସାରେ, କୌଣସି ବିଲରେ ଆପତ୍ତି ଥିଲେ ରାଜ୍ୟପାଳ ଏହାକୁ ପୁନଶ୍ଚ ଚର୍ଚ୍ଚା କିମ୍ବା ସଂଶୋଧନ ପାଇଁ ଫେରସ୍ତ କରିପାରନ୍ତି । ଏହା ତାଙ୍କର ସମ୍ବିଧାନ ପ୍ରଦତ୍ତ ଇଚ୍ଛାଧୀନ କ୍ଷମତା ମଧ୍ୟ । ମାତ୍ର ଉକ୍ତ ଫେରସ୍ତ ବିଲ୍‌ ବିଧାନସଭାରେ ଦ୍ବିତୀୟ ଥର ପାରିତ ହୋଇ ରାଜଭବନକୁ ପଠାଗଲେ, ଏହାକୁ ରାଜ୍ୟପାଳ ଅନୁମୋଦନ ଦେବାକୁ ବାଧ୍ୟ ହୋଇଥାନ୍ତି । ତେବେ ଦୀର୍ଘ ଦିନ ହେବ ରାଜଭବନ ଓ ସରକାର ମଧ୍ୟରେ ବିବାଦ ଲାଗିରହିଥିବା ତାମିଲନାଡୁ କ୍ଷେତ୍ରରେ କ’ଣ ହେଉଛି, ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.