ETV Bharat / bharat

ରାଜ୍ୟପାଳ-ସରକାର ବିବାଦ: 10ଟି ବିଲ୍‌କୁ ଫେରାଇ ଦେଲେ ତାମିଲନାଡୁ ରାଜ୍ୟପାଳ

author img

By ETV Bharat Odisha Team

Published : Nov 16, 2023, 5:08 PM IST

Tamil Nadu Governor Returns Bills: ଏକାଧିକ ବିଲ୍‌ ଫେରାଇଦେଲେ ତାମିଲନାଡୁ ରାଜ୍ୟପାଳ । ପୁଣି ବଢିଲା ଷ୍ଟାଲିନ ସରକାର ଓ ରାଜଭବନ ବିବାଦ । ନିକଟରେ ସର୍ବୋଚ୍ଚ କୋର୍ଟ ଏହି ପ୍ରସଙ୍ଗରେ କରିଥିଲେ ଶୁଣାଣି । ଅଧିକ ପଢନ୍ତୁ

10 ଟି ବିଲ୍କୁ‌ ଫେରାଇ ଦେଲେ ତାମିଲନାଡୁ ରାଜ୍ୟପାଳ
10 ଟି ବିଲ୍କୁ‌ ଫେରାଇ ଦେଲେ ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ: ତାମିଲନାଡୁରେ ଜାରି ରହିଥିବା ରାଜ୍ୟପାଳ-ସରକାର ବିବାଦ ପ୍ରଶମିତ ହେବା ବଦଳରେ ଅଧିକ ଘନୀଭୂତ ହେବାରେ ଲାଗିଛି । ଆଜି ବିଧାସନଭାରେ ଷ୍ଟାଲିନ ସରକାର ପାରିତ କରିଥିବା 10ଟି ବିଲକୁ ଅନୁମୋଦନ ନଦେଇ ଫେରାଇ ଦେଇଛନ୍ତି ରାଜ୍ୟପାଳ ଆର.ଏନ ରବି । ରାଜଭବନରୁ ଏହି ଫେରସ୍ତ ବିଲ୍‌ ମଧ୍ୟରେ ରାଜ୍ୟ ଅଧିକୃତ ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି ସମ୍ପର୍କିତ ବିଲ୍‌ ମଧ୍ୟ ରହିଛି । ରାଜ୍ୟପାଳ ଏହାକୁ ଫେରସ୍ତ କରିବା ପରେ ଏହି ବିଲ୍‌କୁ ନେଇ ପୁନଃଚର୍ଚ୍ଚା ପାଇଁ ଶନିବାର ପୁଣି ଥରେ ବିଧାନସଭା ଅଧିବେଶନ ବସିବା ନେଇ ସୂଚନା ମିଳିଛି ।

ଗତ ସପ୍ତାହରେ ସର୍ବୋଚ୍ଚ କୋର୍ଟ ରାଜ୍ୟ ସରକାର ଓ ରାଜ୍ୟପାଳ ବିବାଦ ମଧ୍ୟରେ ତାମିଲନାଡୁ ରାଜ୍ୟପାଳ ଆର ଏନ ରବି ଓ ପଞ୍ଜାବ ରାଜ୍ୟପାଳଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିନା କୌଣସି ଯଥା କାରଣରେ ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ବିଲକୁ ଅନୁମୋଦନ ଦେବାରେ ବିଳମ୍ବ କରିବା ପ୍ରସଙ୍ଗକୁ କୋର୍ଟ ଅତି ଉଦବେଗର ବିଷୟ ଭାବେ ବିବେଚିତ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ 3 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଆବଶ୍ୟକ କାରଣ ନଥିଲେ ନିର୍ବାଚିତ ବିଧାନସଭା ଦ୍ବାରା ପାରିତ ବିଲର କ୍ଲିୟରାନ୍ସ ପ୍ରକ୍ରିୟାରେ ବିଳମ୍ବ ନକରିବା ପାଇଁ ଖଣ୍ଡିପୀଠ କହିଥିଲେ । କୋର୍ଟଙ୍କ ତାଗିଦ ପରେ ପୁଣି ଏବେ ତାମିଲନାଡୁରେ ଗୃହରେ ପାରିତ ହୋଇଥିବା 10 ବିଲକୁ ମଞ୍ଜୁରୀ ନଦେଇ ପୁନଃସମୀକ୍ଷା ପାଇଁ ଫେରାଇ ଦେଇଛି ରାଜଭବନ ।

ଏହା ମଧ୍ୟ ପଢନ୍ତୁ :- ଉତ୍ତରକାଶୀ ଟନେଲ ଟ୍ରାଜେଡି: ‘ଆଉ 2-3 ଦିନ ମଧ୍ୟରେ ଉଦ୍ଧାରକାର୍ଯ୍ୟ ସାରିବାକୁ ଲକ୍ଷ୍ୟ’

ଦୀର୍ଘ ଦିନ ହେବ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ ରାଜ୍ୟପାଳ ଆର.ଏନ ରବି ଓ ଷ୍ଟାଲିନ ସରକାର ମଧ୍ୟରେ ବିବାଦ ଲାଗି ରହିଛି । ନିକଟରେ ଅବସରପ୍ରାପ୍ତ ପୋଲିସ ଡିଜିଙ୍କୁ ରାଜ୍ୟ ଲୋକସେବା ଆୟୋଗ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ପ୍ରସଙ୍ଗରେ ସରକାର ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ନିଷ୍ପତ୍ତିକୁ ରାଜଭବନ ବିରୋଧ କରିଥିଲା । କେବଳ ତାମିଲନାଡୁ ନୁହେଁ ବରଂ ଏକାଧିକ ଅଣବିଜେପି ଶାସିତ ରାଜ୍ୟରେ ସମାନ ସଙ୍କଟ ଜାରି ରହିଛି । କେରଳ, ପଶ୍ଚିମବଙ୍ଗ, ଦିଲ୍ଲୀ ପରି ରାଜ୍ୟରେ ମଧ୍ୟ ନିର୍ବାଚିତ ସରକାର ଓ ରାଜଭବନ ମଧ୍ୟରେ ବିବାଦ ଜାରି ରହିଛି । ଯାହା ବେଳେବେଳେ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.