ETV Bharat / bharat

ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ, ଫୋକସରେ ଗୁରୁତ୍ବପୂର୍ଣ୍ଣ ବିଲ୍‌

author img

By ETV Bharat Odisha Team

Published : Sep 18, 2023, 4:27 PM IST

ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ, ଫୋକସରେ ଗୁରୁତ୍ବପୂର୍ଣ୍ଣ ବିଲ୍‌
ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ, ଫୋକସରେ ଗୁରୁତ୍ବପୂର୍ଣ୍ଣ ବିଲ୍‌

ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ । ଆଗତ ହେବାକୁ ଥିବା ବିଲ୍‌ ଉପରେ ହେବ ଆଲୋଚନା । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ବହୁଚର୍ଚ୍ଚିତ 5 ଦିନିଆ ସଂସଦ ସ୍ବତନ୍ତ୍ର ଅଧିବେଶନ । ଆଜି ସଂଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକ ମଧ୍ୟ ବସିବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବାକୁ ଥିବା ବେଳେ ତମାମ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ଆଜି ସଂଧ୍ୟା ପ୍ରାୟ ସାଢେ 6ଟାରେ ହେବାକୁ ଥିବା ଏହି ବୈଠକରେ ଚଳିତ ଅଧିବେଶନରେ ଆଗତ ହେବାକୁ ଥିବା କିଛି ଗୁରୁତ୍ବପୂର୍ଣ୍ଣ ବିଲ୍‌ ସମ୍ପର୍କରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।

ଆଜି ଏହି 5ଦିନିଆ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାକୁ ସମ୍ବୋଧିତ କରିଛନ୍ତି । ସଂସଦର ଇତିହାସ ଏବଂ ମହତ୍ତ୍ୱକୁ ନିଜ ସମ୍ବୋଧନରେ ସ୍ଥାନ ଦେଇଥିଲେ ପ୍ରଧାନମନ୍ତ୍ରୀ । 2024 ସାଧାରଣ ନିର୍ବାଚନରେ ସେ ପ୍ରଥମ ଥର ଉତ୍ତର ପ୍ରଦେଶ ବାରାଣାସୀ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ଶପଥ ନେଇ ସଂସଦ ଆସିଥିବା କ୍ଷଣକୁ ମଧ୍ୟ ଅତି ଭାବପ୍ରବଣାତାର ସହ ପ୍ରଧାନମନ୍ତ୍ରୀ ମୋଦି ମନେ ପକାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ପୂର୍ବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳକୁ ମଧ୍ୟ ସ୍ମରଣ କରିଥିଲେ । 1971 ଭାରତ-ପାକ ଯୁଦ୍ଧରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ନେତୃତ୍ୱ ବିଷୟରେ କହିଥିଲେ ପ୍ରଧାନମନ୍ତ୍ରୀ । 1975ରେ ଇନ୍ଦିରାଙ୍କ ଦ୍ବାରା ଦେଶରେ ଲାଗୁ କରାଯାଇଥିବା ଜାତୀୟ ଜରୁରୀକାଳୀନ ପରିସ୍ଥିତି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ଭାରତୀୟ ଜନତା ପାର୍ଟିର ନେତୃତ୍ବାଧୀନ ପ୍ରଥମ ସରକାରର ନେତୃତ୍ବ ନେଇଥିବା ଅଟଳ ବିହାରୀ ବାଜପେୟୀଙ୍କ କଥା ମଧ୍ୟ ମନେ ପକାଇଥିଲେ ।

ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ‘‘ଷ୍ଟ୍ରୋକ୍‌ ଅଫ୍ ମିଡନାଇଟ୍’’ ଭାଷଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସମ୍ବୋଧନରେ ପ୍ରଶଂସା ମଧ୍ୟ କରିଥିଲେ । ସେହିପରି ଅଟଳ ବିହାରୀ ବାଜପେୟୀଙ୍କର ସଂସଦରେ ଅଭିଭାଷଣ ରଖିବା ବେଳେ ‘ସରକାର ଆସିବ ଯିବ, ଦଳ ଆସିବ ଯିବ, କିନ୍ତୁ ଦେଶ ରହିବା ଆବଶ୍ୟକ’ ଉକ୍ତିକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ମନେ ପକାଇବା ସହ ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- Parliament Special Session: ପୁରୁଣା ସଂସଦ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ, କହିଲେ ନୂଆପିଢିକୁ ପ୍ରେରଣା ଦେବ

ଏହି 5 ଦିନିଆ ଅଧିବେଶନରେ ସରକାର କ’ଣ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଗତ କରିବେ, ତାହା ବର୍ତ୍ତମାନ ମଧ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ । ମହିଳା ସଂରକ୍ଷଣ ବିଲ୍‌ ସହ ଏକକ ନିର୍ବାଚନ ପ୍ରସଙ୍ଗରେ ସଂସଦରେ ଆଲୋଚନା ହୋଇପାରେ । ଏହାସହ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍‌ ମଧ୍ୟ ସରକାରଙ୍କ ପ୍ରସ୍ତାବିତ ତାଲିକାରେ ରହିଛି । ଆଜି ସଂଧ୍ୟାରେ ବସିବାକୁ ଯାଉଥିବା କ୍ୟାବିନେଟ୍‌ ବୈଠକରେ ଏହା ଉପରେ ଚର୍ଚ୍ଚା ହେବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.