ETV Bharat / bharat

Maharashtra: ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ଟି-ପାର୍ଟି ବର୍ଜନ ଘୋଷଣା କଲା ବିରୋଧୀ MVA

author img

By

Published : Jul 16, 2023, 8:56 PM IST

Maharashtra: ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ଟି-ପାର୍ଟିକୁ ଯିବେନି MVA ବିରୋଧୀ
Maharashtra: ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ଟି-ପାର୍ଟିକୁ ଯିବେନି MVA ବିରୋଧୀ

ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ଟି-ପାର୍ଟିକୁ ଯିବେନି MVA ବିରୋଧୀ । ଆଜି ବୈଠକ ପରେ ନିଷ୍ପତ୍ତି ନେଲା ମହାବିକାଶ ଅଘାଡି ମେଣ୍ଟ । ଅନ୍ୟପଟେ ପୁଣି ଚର୍ଚ୍ଚା ବଢାଇଲା ଶରଦ-ଅଜିତ ଗୋଷ୍ଠୀ ଭେଟ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ପୂର୍ବରୁ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ସରକାର ଆୟୋଜନ କରୁଥିବା ଟି-ପାର୍ଟିକୁ ବର୍ଜନ କରିବ ବିରୋଧୀ ମହାବିକାଶ ଅଘାଡି । ଆସନ୍ତାକାଲି (ସୋମବାର) ହେବାକୁ ଥିବା ଏହି ଚା ପାର୍ଟିରେ ଏହି ତ୍ରିକୋଣୀୟ ମେଣ୍ଟର ସଦସ୍ୟ ଥିବା ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ, କଂଗ୍ରେସ ଓ ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପି ଅଂଶଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଆଜି ସଂଧ୍ୟାରେ ବିରୋଧୀଙ୍କ ଏକ ବୈଠକ ହୋଇଥିଲା । ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ଆମ୍ବାଦାସ ଦାନଭେ, କଂଗ୍ରେସର ବିଧାୟକ ଦଳ ନେତା ବାଲାସେହେବ ଥୋରାଟ ଓ ଶରଦଙ୍କ ଏନସିପି କ୍ୟାମ୍ପରୁ ବରିଷ୍ଠ ନେତା ଜୟନ୍ତ ପାଟିଲ ଏହି ବୈଠକରେ ସାମିଲ ହୋଇଥିଲେ । ତେବେ ସେମାନେ ଆସନ୍ତାକାଲି ସରକାରଙ୍କ ଦ୍ବାରା ଆୟୋଜିତ ହେବାକୁ ଯାଉଥିବା ଟି ପାର୍ଟିରେ ଅଂଶଗ୍ରହଣ କରିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଦାନଭେ ଗଣମାଧ୍ୟମରେ ସୂଚନା ଦେଇଥିଲେ । ଦାନଭେ କହିଥିଲେ,‘‘ବର୍ତ୍ତମାନର ସରକାରର ସାମ୍ବାଧାନିକ ବୈଧତା ଏବେ ପ୍ରଶ୍ନବାଚୀରେ । ତେଣୁ ଆମେ ଏହି ଟି-ପାର୍ଟିରେ ଅଂଶଗ୍ରହଣ କରିବୁ ନାହିଁ ବୋଲି ନିଷ୍ପତ୍ତିରେ ପହଞ୍ଚିଛୁ ।’’

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ହେଲେ ଅଜିତ ପାଓ୍ବାର ପାର୍ଟି ଛାଡି ଶାସକ ମେଣ୍ଟରେ ନିଜ ସମର୍ଥିତ ବିଧାୟକଙ୍କ ସହ ସାମିଲ୍‌ ହେବା ପରେ ବିରୋଧୀ ଦଳ ନେତା ଆସନ ଖାଲି ପଡିଛି । ଅନ୍ୟପଟେ ଅଜିତ ଓ ତାଙ୍କ ସମର୍ଥିତ 8 ବିଧାୟକ ଏବେ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପଦର ଶପଥ ମଧ୍ୟ ଗ୍ରହଣ କରିସାରିଛନ୍ତି । ହେଲେ ଶରଦଙ୍କ କ୍ୟାମ୍ପ ସେମାନଙ୍କୁ ବିଦ୍ରୋହୀ ଘୋଷଣା କରିବା ସହ ସେମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହାରି ମଧ୍ୟରେ ଅଜିତଙ୍କ ନେତୃତ୍ବାଧୀନ ଗୋଷ୍ଠୀ ନିଜକୁ ମୁଖ୍ୟ ଏନ୍‌ସିପି ବୋଲି ଦାବି କରିବା ସହ ଦଳର ନାମ ଓ ନିର୍ବାଚନୀ ଚିହ୍ନ ପ୍ରଦାନ କରିବା ପାଇଁ ମଧ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Maharashtra Politics: ଶରଦ ପାୱାରଙ୍କୁ ଭେଟିଲେ ଅଜିତ ଗୋଷ୍ଠୀ, ପ୍ରଫୁଲ୍ଲ ପଟେଲ ବି ସାମିଲ

ଆଜି ଏକ ନାଟକୀୟ ଘଟଣାକ୍ରମରେ ଦଳରୁ ବିଦ୍ରୋହ କରି ବିରୋଧୀ ଦଳର ନେତାରୁ ସିଧା ଉପମଖ୍ୟମନ୍ତ୍ରୀ ହୋଇଥିବା ଅଜିତ ଓ ତାଙ୍କ ସମର୍ଥିତ ଗୋଷ୍ଠୀ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି । ଅଜିତଙ୍କ ସାଙ୍ଗରେ ଛଗନ ଭୁଜବଳ ଓ ପ୍ରଫୁଲ୍ଲ ପଟେଲ ମଧ୍ୟ ମୁମ୍ବାଇର ଯଶୋବନ୍ତ ରାଓ ଚୌହାନ ସେଣ୍ଟରରେ ଶରଦଙ୍କୁ ଭେଟି ସହ ଆଲୋଚନା କରିଛନ୍ତି । ତେବେ ଏହା ନିର୍ଦ୍ଧାରିତ ନୁହେଁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ଅଜିତ ଗୋଷ୍ଠୀର ନେତା କହୁଥିବା ବେଳେ କେଉଁ ପ୍ରସଙ୍ଗରେ ଆଲୋଚନା ହେଲା କିମ୍ବା କାହିଁକି ଆଲୋଚନାର ଆବଶ୍ୟକତା ପଡିଲା ତାହା ମଧ୍ୟ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି । ଦାଦା-ପୁତୁରା ଗୋଷ୍ଠୀ ମଧ୍ୟରେ ତୀବ୍ର ତିକ୍ତତା ଜାରି ରହିଥିବା ବେଳେ ଏପରି ଭେଟଘାଟ ନେଇ ଶରଦଙ୍କ ଭୂମିକା ମଧ୍ୟ ସନ୍ଦେହର କାଠଗଡାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.