ETV Bharat / bharat

ପ୍ରଫେସରଙ୍କ ହାତ କାଟି ଦେବା ଘଟଣା: 13 ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ PFI ସଦସ୍ୟ ଗିରଫ

author img

By ETV Bharat Odisha Team

Published : Jan 10, 2024, 9:23 PM IST

ପ୍ରଫେସରଙ୍କ ହାତ କାଟି ଦେବା ଘଟଣା: 13 ବର୍ଷ ପରେ ପ୍ରଥମ ଅଭିଯୁକ୍ତ ଗିରଫ
ପ୍ରଫେସରଙ୍କ ହାତ କାଟି ଦେବା ଘଟଣା: 13 ବର୍ଷ ପରେ ପ୍ରଥମ ଅଭିଯୁକ୍ତ ଗିରଫ

Hand chopping case: ପ୍ରଫେସରଙ୍କ ହାତ କାଟିଦେବା ଘଟଣାରେ 13 ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ । PFI ସଦସ୍ୟ ଅଭିଯୁକ୍ତକୁ ଧରିଲା NIA । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: କେରଳର ଥୋଡୁପୋଜାର ଜଣେ କଲେଜ ପ୍ରଫେସରଙ୍କ ହାତ କାଟି ଦେବା ଘଟଣାରେ ଆଜି 13 ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ଅଭିଯୁକ୍ତର ନାମ ସାଓ୍ବଦ, ସେ ପ୍ରତିବନ୍ଧିତ ହୋଇଥିବା ଇସଲାମିକ କଠୋରପନ୍ଥୀ ସଂଗଠନ ‘ପିଏଫଆଇ’ ସଦସ୍ୟ ବୋଲି ଜଣାପଡିଛି । ଲୁକଆଉଟ ନୋଟିସ ଥିବା ଏହି ସନ୍ଦିଗ୍ଧ ଆତଙ୍କୀକୁ ଆଜି (ବୁଧବାର) କନ୍ନୁର ଜିଲ୍ଲାର ମତ୍ତାନୁର ଅଞ୍ଚଳରୁ ଗିରଫ କରାଯାଇଛି । ଆଜି ସଂଧ୍ୟାରେ ତାକୁ ଏନଆଇଏ କୋର୍ଟରେ ହାଜର କରାଯାଇଛି । ଅଭିଯୁକ୍ତକୁ ଅଧିକ ଜେରା ପାଇଁ ତଦନ୍ତକାରୀ ସଂସ୍ଥା ରିମାଣ୍ଡ ମାଗିଥିବା ନେଇ ସୂଚନା ମିଳିଛି ।

2010ରେ 13 ଅଭିଯୁକ୍ତ ଘଟାଇଥିଲେ ବର୍ବର କାଣ୍ଡ:-

ଘଟଣାଟି 2010 ମସିହା ମାର୍ଚ୍ଚ 23 ତାରିଖରେ ଘଟିଥିଲା । ଥୋଡୁପୋଜାରେ ଥିବା ନ୍ୟୁମାନ କଲେଜରେ ପ୍ରଫେସର ଟି.ଜେ ଜୋସେଫଙ୍କୁ ଦୁର୍ବୃତ୍ତଙ୍କ ଏକ ଗୋଷ୍ଠୀଙ୍କ ଦ୍ବାରା ଏପରି ଆକ୍ରମଣର ଶିକାର ହେବାକୁ ପଡିଥିଲା । କଲେଜର ଏକ ପରୀକ୍ଷାରେ ପ୍ରଶ୍ନପତ୍ରରେ ଆସିଥିବା ଏକ ପ୍ରଶ୍ନକୁ ପ୍ରଫେସର ଜୋସେଫ ଭୁଲ ବୋଲି କହିବା ସହ ନିନ୍ଦା କରିଥିଲେ । ଏହି ଘଟଣାରେ ମୋଟ 13 ଅଭିଯୁକ୍ତ ସାମିଲ ଥିଲେ । ଏର୍ଣ୍ଣାକୁଲମର ବାସିନ୍ଦା ଅଭିଯୁକ୍ତ ସାଓ୍ବାଦ ଏହି ଘଟଣାରେ ମୁଖ୍ୟ ତଥା ପ୍ରଥମ ଅଭିଯୁକ୍ତ ଥିଲା । ସାଓ୍ବଦ ଓ ତାର ସହଯୋଗୀମାନେ ପ୍ରଫେସରଙ୍କୁ ଘରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ପ୍ରଫେସରଙ୍କ ଦୁଇ ହାତକୁ କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ସାଓ୍ବଦ । ପରବର୍ତ୍ତୀ ସମୟରେ ଅନ୍ୟ 12 ଅଭିଯୁକ୍ତ ଗିରଫ ହୋଇଥିଲେ । ହେଲେ ମୁଖ୍ୟ ଅଭିଯୁକ୍ତର ପତ୍ତା ପାଇନଥିଲା ପୋଲିସ

ମୁଖ୍ୟ ଅଭିଯୁକ୍ତ ନାମରେ ଥିଲା ଲୁକଆଉଟ ଓ୍ବାରେଣ୍ଟ:-

ସେତେବେଳେ ପ୍ରଥମେ କେରଳ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା । ହେଲେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ଦୀର୍ଘବର୍ଷ ପର୍ଯ୍ୟନ୍ତ ସଫଳ ହୋଇନଥିଲା । ଏହି ଅଭିଯୁକ୍ତର ଲିଙ୍କ୍‌ PFI ସହ ଥିବା ଜଣାପଡିବା ପରେ ଏହା ଘଟଣାରେ NIA ତଦନ୍ତଭାର ଗ୍ରହଣ କରିବା ସହ ଅଭିଯୁକ୍ତ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଥିଲା । ପୋଲିସ ଚାର୍ଜସିଟରେ ଥିବା 13 ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଅନ୍ୟମାନେ ଦଣ୍ଡିତ ହୋଇସାରିଛନ୍ତି । ସମସ୍ତ ଅଭିଯୁକ୍ତ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର । ଏବେ ମୁଖ୍ୟ ଅଭିଯୁକ୍ତ ସାଓ୍ବଦକୁ ମଧ୍ୟ ଦୀର୍ଘ 13 ବର୍ଷ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିବା ପରେ ଆଜି ସଂଧ୍ୟାରେ କୋର୍ଟରେ ହାଜର କରିଛି ।


ଏହା ମଧ୍ୟ ପଢନ୍ତୁ:- ସିନ୍ଦେ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା, ୧୬ ବିଧାୟକଙ୍କ ପଦ ବୈଧ: ମହାରାଷ୍ଟ୍ର ବାଚସ୍ପତି

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) କେନ୍ଦ୍ର ସରକାରଙ୍କ ଦ୍ବାରା ନିଷେଧ ଘୋଷଣା ହୋଇସାରିଛି । ଏହି ସଂଗଠନ ଆତଙ୍କବାଦ ଓ ଭାରତ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାର ଏକାଧିକ ମାମଲା ସାମ୍ନାକୁ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏବେ ଏହି ସଂଗଠନ ସହ ସକ୍ରିୟ ଭାବେ ଜଡିତ ଏକାଧିକ ସନ୍ଦିଗ୍ଧ ଆତଙ୍କୀ ଜେଲରେ ବନ୍ଦ ଅଛନ୍ତି । ଏହି ସଂଗଠନର ସର୍ବାଧିକ ପ୍ରଭାବ କେରଳରେ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.