ETV Bharat / bharat

କୋରୋନା ମୁକାବିଲା ଦାବି କରୁଥିବା ଭାରତୀୟ ଔଷଧ...

author img

By

Published : Jun 24, 2020, 3:50 PM IST

କୋରୋନା ମୁକାବିଲାର ଦାବି କରୁଥିବା ଭାରତୀୟ ଔଷଧ
କୋରୋନା ମୁକାବିଲାର ଦାବି କରୁଥିବା ଭାରତୀୟ ଔଷଧ

କୋରୋନା ଆତଙ୍କରେ ଭୟଭୀତ ଭାରତୀୟଙ୍କ ପାଇଁ ଆଶା ସୃଷ୍ଟି କରିଛି ପତଞ୍ଜଳିର ନୂଆ ଔଷଧ । ଆୟୁର୍ବେଦିକ ଔଷଧ କୋଭିଡ 19 ମୁକାବିଲାରେ ସହାୟକ ହେବ ବୋଲି କମ୍ପାନୀ ଦାବି କରିଛି । ଅଧିକ ପଢନ୍ତୁ..

ହାଇଦ୍ରାବାଦ: କୋଭିଡ 19 ପାଇଁ ସାରା ଦେଶରେ ଚହଳ ପଡିଛି । ଏହାର ମୁକାବିଲା ପାଇଁ ଏବେ ସୁଦ୍ଧା କୌଣସି ଉପଯୁକ୍ତ ଭ୍ୟାକସିନ୍ କିମ୍ବା ଔଷଧ ବାହାରିନାହିଁ । ସାରା ବିଶ୍ବର ବୈଜ୍ଞାନିକ ଏବଂ ରିସର୍ଚ୍ଚର ଏହା ପଛରେ ଦିନରାତି ଲାଗିଛନ୍ତି । ତେବେ ଏପରି ସମୟରେ କିଛି ଭାରତୀୟ କମ୍ପାନୀ ଦ୍ବାରା କୋରୋନାର ପ୍ରାଥମିକ ପର୍ଯ୍ୟାୟ ମୁକାବିଲା କରିବାକୁ ଔଷଧ ବାହାର କରିଥିବା ନେଇ ଦାବି ହେଉଛି । ଯଦିଚ କୋରୋନା ମୁକାବିଲାରେ ଏସବୁ ଔଷଧର ନିର୍ଦ୍ଦିଷ୍ଟ ଫଳାଫଳ ଜଣାପଡିନାହିଁ । ସରକାରଙ୍କ ଦ୍ବାରା ମଧ୍ୟ ଏହା କୋଭିଡ ପାଇଁ ଉପଯୁକ୍ତ ବୋଲି ଦାବି କରାଯାଇନାହିଁ ।

ତେବେ ଏହି କମ୍ପାନୀମାନଙ୍କ ଦାବି ଦ୍ବାରା କୋରୋନା ହାହାକାରରେ ଅତିଷ୍ଠ ହୋଇପଡିଥିବା ଭାରତୀୟଙ୍କ ମନରେ ଏକ ନୂଆ ଆଶା ସଞ୍ଚାର ହୋଇଛି । ଏପରିକି ସେମାନେ ଏହି ଔଷଧ କିଣିବା ପାଇଁ ଦୋକାନମାନଙ୍କରେ ପଚରାଉଚୁରା ଆରମ୍ଭ କରିଦେଇଛନ୍ତି । ଏହି ତାଲିକାରେ ସଦ୍ୟତମ କମ୍ପାନୀ ହେଉଛି ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି । ଆୟୁର୍ବେଦିକ ଔଷଧ ବାହାର କରୁଥିବା କମ୍ପାନୀ ପୂର୍ବରୁ ଅନେକ ଚେରମୂଳି ଓ ସ୍ବଦେଶୀ ଔଷଧ ବାହାର କରି ଅନେକ ବଡ ବଡ ରୋଗକୁ ଭଲ କରିଛି । ଏଥିପାଇଁ ଏହାର ସ୍ବଦେଶୀ ଔଷଧ ଉପରେ ଲୋକଙ୍କ ଅନେକ ଭରସା ଓ ବିଶ୍ବାସ ରହିଛି । ମଙ୍ଗଳବାର ଏହା ନିଜ କମ୍ପାନୀ ପକ୍ଷରୁ ଆୟୁର୍ବେଦିକ ଔଷଧ କୋରୋନିଲ ବାହାର କରିଥିବାର ଦାବି କରିଛି । ଏହା କୋରୋନା ମୁକାବିଲା ପାଇଁ ଯଥେଷ୍ଟ ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଯଦିଚ ସରକାର ଏହାର ଉପଯୁକ୍ତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ତେବେ ରାମଦେବଙ୍କ ଉପରେ ଲୋକଙ୍କ ବିଶ୍ବାସ ଯୋଗୁଁ ଏବେ ଏହାକୁ କୋରୋନା ମୁକାବିଲାର ଔଷଧ ବୋଲି କୁହାଯାଉଛି ।

ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକଙ୍କ ଦ୍ବାରା ଅନୁମୋଦନ ପରେ ଏହାର କ୍ଲିନିକାଲ ଟ୍ରାଏଲ୍ସ ଇନ୍ଦୋର ଏବଂ ଜୟପୁରରେ ହୋଇଥିଲା । ପତଞ୍ଜଳିର ସିଇଓ ବାଲାକ୍ରିଷ୍ଣନଙ୍କ ଦ୍ବାରା ଦାବି ହୋଇଛି ଯେ ଶତାଧିକ ଲୋକଙ୍କ ଉପରେ କୋରୋନିଲ ଟେଷ୍ଟ ହୋଇଛି । ମାତ୍ର 5ରୁ 14 ଦିନ ମଧ୍ୟରେ ଏହା ଆକ୍ରାନ୍ତଙ୍କୁ ସୁସ୍ଥ କରିଦେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସବୁଠାରୁ ବଡ କଥା ଏହାକୁ ଶସ୍ତାରେ ବିକିବା ପାଇଁ ପତଞ୍ଜଳି ଘୋଷଣା କରିଛି । ଏହି କିଟ୍ 30 ଦିନ ପାଇଁ ବ୍ୟବହାର କରିପାରିବେ ଯାହାର ଦାମ୍ ମାତ୍ର 545 ରହିଛି । ସମସ୍ତ ପତଞ୍ଜଳି ଷ୍ଟୋରରେ ମିଳିବା ସହ ଏହାକୁ ଡେଲିଭରୀ କରିବା ପାଇଁ ଏକ ଆପ୍ ଖୋଲାଯିବ ବୋଲି କମ୍ପାନୀ ଘୋଷଣା କରିଛି । ଏଥିରେ ଗିଲୟ(ବେଲ ଓ ନିମ୍ବ ଭଳି ପତ୍ର), ଅଶ୍ବଗନ୍ଧା, ତୁଳସୀ, ସଭାସରୀ ଜୁସ୍ ଏବଂ ଅନ୍ଧୁ ତେଲ ମିଶି ରହିଛି । ଏହାକୁ ଗୋଟିଏ ଦିନରେ ଦୁଇ ଥର ସକାଳେ ଓ ସନ୍ଧ୍ୟାରେ ନେବା ପାଇଁ ବାଲାକ୍ରିଷ୍ଣନ ପରାମର୍ଶ ଦେଇଛନ୍ତି ।

କୋରୋନିଲରେ ଥିବା ସମସ୍ତ ଉପାଦାନ ମିଳିତ ଭାବେ କୋରୋନାକୁ ଶରୀରରେ ସଂକ୍ରମଣ ହେବାକୁ ଦେବେ ନାହିଁ । ଶରୀର ଭିତରେ କୋଷକୁ ଦୁର୍ବଳ ହେବାରୁ ଅଶ୍ବଗନ୍ଧା ରକ୍ଷା କରେ । ଗିଲୟ ଭୂତାଣୁ ସଂକ୍ରମଣ ହେବାକୁ ଦିଏ ନାହିଁ । କୋଭିଡ 19ର ଆରଏନଏକୁ ତୁଳସୀ ଆକ୍ରମଣ କରି ଏହାକୁ ବ୍ୟାପିବାକୁ ଦିଏ ନାହିଁ । ଏହି ଔଷଧ ଦିବ୍ୟ କୋରୋନିଲ ଟାବଲେଟ୍ ନାମରେ ମାର୍କେଟରେ ବିକ୍ରି ହେବ । ଏହାସହ ସଭାସରୀ ବଟିକା ମଧ୍ୟ ଦିଆଯିବ ବୋଲି ପତଞ୍ଜଳି ପକ୍ଷରୁ ସୂଚନା ଦିଆଯାଇଛି । ତେବେ କୋରୋନିଲକୁ ସରକାରଙ୍କ ଅନୁମୋଦନ ଏବେ ଯାଏଁ ମିଳିନାହିଁ । ସରକାରୀ ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ ଫାବିଫ୍ଲୁକୁ ବିକ୍ରି ଅନୁମତି ମିଳିଛି । ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ କୋଭିଡ 19ର ସାମାନ୍ୟ ଲକ୍ଷଣ ଦେଖାଯାଉଥିଲେ ତାହାକୁ ପ୍ରତିହତ କରିଦେବ ବୋଲି ଏହାର ନିର୍ମାତା ଗ୍ଲେନମାର୍କ ଫାର୍ମାସି ପକ୍ଷରୁ ଘୋଷଣା କରାଯାଇଛି । ଏହା ଓରାଲ ଫର୍ମରେ ମିଳୁଛି ଯାହା ଡାଇବେଟିସ୍ ଓ ହାର୍ଟ ରୋଗୀଙ୍କ ମଧ୍ୟରେ କୋଭିଡର ଲକ୍ଷଣକୁ କମାଇବା ସହ ପ୍ରାଥମିକ ଅବସ୍ଥାରେ ସୁସ୍ଥ କରିବାରେ ସହାୟକ ହେବ ।

ଫାବିଫ୍ଲୁ କୋରୋନା ଭୂତାଣୁକୁ ପ୍ରଥମରୁ ବ୍ୟାପିବାକୁ ଦେବ ନାହିଁ । ମାତ୍ର 4 ଦିନରେ ଏହା କାର୍ଯ୍ୟକ୍ଷମ କରିବ । ଏହାର 88 ପ୍ରତିଶତ ସଫଳତା ଟ୍ରାଏଲ୍ସରୁ ପ୍ରମାଣ ହୋଇଥିବା କମ୍ପାନୀ ଦାବି କରିଛି । ଏହା ଟାବଲେଟ୍ ପିଛା 103 ଟଙ୍କାରେ ସର୍ବାଧିକ 34ଟି ଟାବଲେଟ୍ ଯାଏଁ ବିକ୍ରି ହେବ । ଅର୍ଥାତ ଜଣେ ଆକ୍ରାନ୍ତ ସର୍ବାଧିକ 34ଟି ଟାବଲେଟ୍ ଖାଇପାରିବ ଯଦି ପ୍ରଥମରୁ ଉପକାର ନମିଳେ । ଏହାର ମୋଟ୍ ଦାମ୍ ରହିଛି 3500 । ପ୍ରଥମ ଦିନ ଏହାକୁ 1800 ମିଲିଗ୍ରାମ ସହ ଦିନକୁ 2 ଥର ଖାଇବାକୁ ହେବ । ପରବର୍ତ୍ତୀ ସମୟରେ 14 ଦିନ ବେଳକୁ ଏହା ଧିରେ ଧିରେ ହ୍ରାସ ପାଇବ । 800 ମିଲିଗ୍ରାମ ସହ ଏହାକୁ ଦୁଇ ଥର ନେବାକୁ ହେବ ।

ସେହିପରି ମୁମ୍ବାଇର କମ୍ପାନୀ କିପ୍ ଲା ପକ୍ଷରୁ କିପ୍ରେମି ନାମରେ ଆଣ୍ଟି ଭାଇରାଲ ଡ୍ରଗ୍ସ ବାହାର କରାଯାଇଛି । ଏହା ହସ୍ପିଟାଲରେ ଭର୍ତ୍ତି ଥିବା ସମସ୍ତ ଆକ୍ରାନ୍ତଙ୍କୁ ଶିଘ୍ର ସୁସ୍ଥ କରିଦେବ ବୋଲି ଜଣାପଡିଛି । ଆମେରିକା, ୟୁରୋପ, ଏସିଆର ପ୍ରାୟ 60ଟି ସେଣ୍ଟର 1063 ଆକ୍ରାନ୍ତଙ୍କ ସହ ତୁଳନା କରି ଏହାର ପରୀକ୍ଷା କରାଯାଇଥିଲା । ସେଠାକାର ଆକ୍ରାନ୍ତଙ୍କ ଅପେକ୍ଷା ଏହି ମେଡିସିନ୍ ନେଉଥିବା ଲୋକ ଶିଘ୍ର ସୁସ୍ଥ ହୋଇଥିଲେ । ଏହାବାଦ୍ ହାଇଦ୍ରାବାଦର ଫାର୍ମା କମ୍ପାନୀ ହେଟେରୋ ଦ୍ବାରା କୋଭିଫୋର ଔଷଧ ଲଞ୍ଚ ହୋଇଛି । ଭାରତ ସମେତ ବିଶ୍ବର 127ଟି ଦେଶରେ ଏହି ମେଡିସିନ ଯୋଗାଇବାକୁ କମ୍ପାନୀ ସ୍ଥିର କରିଛି । ମହାମାରୀର ଗୁରୁତ୍ବ ଉପଲବ୍ଧି କରି ଆକ୍ରାନ୍ତଙ୍କ ମଧ୍ୟରେ ଏହି ଔଷଧ ଦ୍ବାରା ଉଭୟ 5 ଏବଂ 10 ଦିନିଆ ଉପାୟରେ ଚିକିତ୍ସା କରାଯାଇପାରିବ । ତେବେ ଏହାର ଦାମ୍ ଅନ୍ୟମାନଙ୍କ ତୁଳନାରେ ଅଧିକ ରହିଛି । ରିପୋର୍ଟ ଅନୁସାରେ ଗୋଟିଏ 100 ମିଲିଗ୍ରାମ ଡୋଜ୍ ପାଇଁ ଏହାର ଦାମ୍ 5000ରୁ 6000 ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.