ETV Bharat / bharat

ବଢୁଛି ଆତଙ୍କୀ ଆକ୍ରମଣ: ସୋମବାର ଜମ୍ମୁ ଗସ୍ତ କରିବେ ସ୍ଥଳସେନା ମୁଖ୍ୟ !

author img

By ETV Bharat Odisha Team

Published : Dec 24, 2023, 9:52 PM IST

ବଢୁଛି ଆତଙ୍କୀ ଆକ୍ରମଣ: ସୋମବାର ଜମ୍ମୁ ଗସ୍ତ କରିବେ ସ୍ଥଳସେନା ମୁଖ୍ୟ !
ବଢୁଛି ଆତଙ୍କୀ ଆକ୍ରମଣ: ସୋମବାର ଜମ୍ମୁ ଗସ୍ତ କରିବେ ସ୍ଥଳସେନା ମୁଖ୍ୟ !

Army chief Manoj Pande to visit Jammu on Monday:ସୋମବାର ଜମ୍ମୁ ଗସ୍ତ କରିବେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ଆତଙ୍କୀ ଆକ୍ରମଣ ଘଟଣା ବଢିବା ପରେ କରିବେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା । ଅଧିକ ପଢନ୍ତୁ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ପୁଞ୍ଚ ଓ ରଜୌରୀ ସେକ୍ଟରରେ ଆତଙ୍କୀ ଆକ୍ରମଣ ଘଟଣା ବୃଦ୍ଧି ପାଇବା ପରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ସୋମବାର ଜମ୍ମୁ ଗସ୍ତ କରିପାରନ୍ତି । ସେ ଜମ୍ମୁରେ ସୁରକ୍ଷା ବ୍ୟବସ୍ଥା ଓ ସେନା ଜାରି ରଖିଥିବା ଆତଙ୍କବାଦ ନିରୋଧୀ ଅପରେସନର ତଦାରଖ କରିବେ । ପ୍ରତିରକ୍ଷା ସୂତ୍ରରୁ ଜେନେରାଲ ପାଣ୍ଡଙ୍କ ଗସ୍ତ ସମ୍ପର୍କରେ ସୂଚନା ମିଳିଛି ।

ନିକଟରେ ଏହି ଦୁଇ ସେକ୍ଟରରେ ଏକାଧିକ ଆତଙ୍କୀ ଆକ୍ରମଣ ଘଟଣା ଘଟିଛି । କଡ଼ା ସୁରକ୍ଷା ଓ ନିୟମିତ ଆତଙ୍କୀ ନିରୋଧୀ ଅପରେସନ ସତ୍ତ୍ବେ ମଧ୍ୟ ଘାଟିରେ ଆତଙ୍କବାଦୀମାନେ ଆକ୍ରମଣ ଘଟାଇବାରେ ଲାଗିଛନ୍ତି । 3 ଦିନ ପୂର୍ବରୁ(ଗୁରୁବାର) ସେନାର ଏକ ଜିପ୍‌କୁ ଆତଙ୍କବାଦୀମାନେ ଅତର୍କିତ ଆମ୍ବୁସ କରି ଗୁଳିମାଡ଼ କରିଥିଲେ । ଏଥିରେ 4 ଯବାନ ଶହୀଦ ହୋଇଥିଲେ । ଏହାପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଆଣ୍ଟି-ଟେରର୍‌ ଅପରେସନକୁ ମଧ୍ୟ ବ୍ୟାପକ କରାଯାଇଛି । ଏବେ ମଧ୍ୟ ଏହି ଅପରେସନ୍‌ ଜାରି ରହିଛି ।

ସୋମବାର ସ୍ଥଳସେନା ମୁଖ୍ୟ ଜେନେରାଲ ପାଣ୍ଡେ ଜମ୍ମୁରେ ପହଞ୍ଚିବା ପରେ ସେଠାରେ ନିୟୋଜିତ ବରିଷ୍ଠ ନେନାଧିକାରୀଙ୍କ ସହ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ । ଘାଟିରେ ଏହି ଆକ୍ରମଣ ଘଟଣା ପରେ ସେନା ମୁଖ୍ୟାଳୟ ସ୍ଥିତି ଉପରେ ନଜର ରଖିଛି । ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଥିବା ଦକ୍ଷିଣ କାଶ୍ମୀରର ପୁଞ୍ଚ ଓ ରଜୌରୀ ସେକ୍ଟର ସର୍ବାଧିକ ଆତଙ୍କବାଦୀ ପ୍ରବଣ ସ୍ଥାନ ମଧ୍ୟରୁ ଅନ୍ୟତମ । ଏଠାରେ ଏବେ ସୁରକ୍ଷା ବ୍ୟବସ୍ଥା ସେନାର 16-କ୍ରପ୍ସ ନିକଟରେ ନ୍ୟସ୍ତ ଅଛି । ବର୍ତ୍ତମାନର ଲେଫ୍ଟନାଣ୍ଟ୍‌ ଜେନେରାଲ ସନ୍ଦୀପ ଜୈନଙ୍କଠାରୁ ଲେଫ୍ଟନାଣ୍ଟ୍‌ ଜେନେରାଲ ନବୀନ ସଚ୍ଚଦେବଙ୍କୁ କମାଣ୍ଡ ଦାୟିତ୍ୱ ମିଳିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ :-4 ଶହୀଦଙ୍କୁ ଶେଷ ସମ୍ମାନ ଦେଲା ସେନା, ଦେଖନ୍ତୁ ଭିଡିଓ

ବିଶେଷ ଭାବେ ଶୀତଦିନେ ଘାଟିରେ ଆତଙ୍କୀ ଆକ୍ରମଣ ଅପେକ୍ଷାକୃତ ବୃଦ୍ଧି ପାଇଥାଏ । ପ୍ରବଳ ତୁଷାରପାତ ଓ ଏହା କାରଣରୁ ସୃଷ୍ଟି ହେଉଥିବା ଲୋ-ଭିଜିବିଲିଟି ସ୍ଥିତିର ସୁଯୋଗ ନେଇ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ପଟୁ ପ୍ରଶିକ୍ଷିତ ଆତଙ୍କବାଦୀମାନେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାରେ ସଫଳ ହୋଇଥାନ୍ତି । ଏଥିରେ ପାକିସ୍ତାନ ସେନା ସେମାନଙ୍କୁ ସହଯୋଗ କରିବା ସହ ଭାରତୀୟ ସୁରକ୍ଷା ବଳର ଧ୍ୟାନ ହଟାଇବା ପାଇଁ ସିଜଫାଏର ମଧ୍ୟ କରିଥାଏ । ଫଳରେ ସେମାନେ ଅନୁପ୍ରବେଶ କରିବା ସହ ଘାଟିରେ ସେମାନେ ସ୍ଥାନୀୟ ଆତଙ୍କବାଦୀଙ୍କ ସହ ମିଶି ଆକ୍ରମଣକୁ ରୂପ ଦେବାରେ ସଫଳ ହୋଇଥାନ୍ତି । ଏହାକୁ ପ୍ରତିହତ କରିବା ପାଇଁ ଏଲଓସିରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଥାଏ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) । ନିକଟରେ ଏକାଧିକ ଅନୁପ୍ରବେଶ ଉଦ୍ୟମ ମଧ୍ୟ ପଣ୍ଡ ହୋଇଛି । ତଥାପି ରଜୌରୀରେ ଆତଙ୍କୀଙ୍କ ଆକ୍ରମଣରେ ସେନାର 4 ଯବାନ ଶହୀଦ ହେବା ପରେ ସ୍ଥିତିକୁ ନେଇ ଚିନ୍ତା ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.