5T ସରକାରଙ୍କ ବିକାଶର ନଗ୍ନ ଚିତ୍ର, ପାଇଖାନା ଛାତ ଖସି 2 ଛାତ୍ର ଗୁରୁତର

By ETV Bharat Odisha Team

Published : Feb 19, 2024, 9:07 PM IST

thumbnail

କେନ୍ଦୁଝର: ରାଜ୍ୟରେ 5T ଅଧୀନରେ ବିଭିନ୍ନ ସ୍କୁଲର ଆଧୁନିକୀକରଣ ସହିତ ରୂପାନ୍ତରୀକରଣ କରୁଛନ୍ତି ସରକାର । ମାତ୍ର ସରକାରଙ୍କ ବିକାଶର ଏହି ଗୋଲାପୀ ଚିତ୍ର ମଧ୍ୟରେ ବିଦ୍ୟାଳୟର ଦୁର୍ବଳ ଭିତ୍ତିଭୂମିର ବିକଳ ଚିତ୍ର ସାମନାକୁ ଆସିଛି  । କୋଟି କୋଟି ଟଙ୍କା ବିଦ୍ୟାଳୟର ବିକାଶ ପାଇଁ ଖର୍ଚ୍ଚ ହେଲେ ସୁଦ୍ଧା ବଦଳୁନି ସ୍ଥିତି  ।  ଏକ ଅଭାବନୀୟ ଘଟଣାକ୍ରମେ ୨ ସ୍କୁଲ ପିଲାଙ୍କ ଜୀବନ ଉପରେ ଆସିଛି ଆଞ୍ଚ  । ଘଟଣାଟି ଘଟଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଏକ ବିଦ୍ୟାଳୟରେ । ଉକ୍ତ ବ୍ଲକରେ ଥିବା ସରକାରୀ ଉର୍ଦ୍ଦୁ ପ୍ରାଥମିକ ମକ୍ତବ ବିଦ୍ୟାଳୟରେ ଦୁଇ ଛାତ୍ରଙ୍କ ଉପରେ ଆଜି ଖସି ପଡିଛି ପାଇଖାନା ଛାତ । ଏହା ଫଳରେ ଛାତ୍ର ଦୁଇ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।‌ 

ଏହା ମଧ୍ୟ ପଢନ୍ତୁ ... ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, କଳାହାଣ୍ଡି ଜିଲ୍ଲାସ୍ତରରେ ୧୧୭ ଛାତ୍ରଛାତ୍ରୀ ପୁରସ୍କୃତ

ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଛାତ୍ର 2 ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ଛାତ୍ର ଦୁଇ ଜଣ ହେଲେ ରବିନ୍ଦ୍ର କାରୁଆଙ୍କ ପୁଅ ସନ୍ତୋଷ କାରୁଆ ଓ ସୁଶାନ୍ତ ନାଏକଙ୍କ ପୁଅ ରାଜା ନାଏକ । ଉଭୟ ଉକ୍ତ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣାପଡିଛି । ପ୍ରକାଶ ଥାଉ କି ପାଇଖାନା ଗୃହଟି ପୁରୁଣା ଓ ଅତି ଜରାଜୀର୍ଣ୍ଣ ହୋଇ ପଡ଼ିରହିଥିଲା । କିନ୍ତୁ ଜରାଜୀର୍ଣ୍ଣ ହୋଇଥିଲେ ବି ଏହାକୁ ନ ଭାଙ୍ଗି ବିଦ୍ୟାଳୟ ପକ୍ଷରୁ ରଖାଯାଇଥିଲା । ଘଟଣା ଘଟିବା ପରେ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା  । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ହୋଇଥିଲା । କୋଟି କୋଟି ଟଙ୍କା ବିଦ୍ୟାଳୟ ରୂପାନ୍ତରଣ ପାଇଁ ବ୍ୟୟ ହେଉଥିଲେ ମଧ୍ୟ ଏଭଳି ଘଟଣା ଘଟିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର ବିଦ୍ୟାଳୟଗୁଡ଼ିକ ରୂପାନ୍ତରୀକରଣ ନାଁରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ଏହି ରୁପାନ୍ତରୀକରଣରେ ନିମ୍ନ ମାନର କାର୍ଯ୍ୟ ନେଇ ବହୁବାର ଅଭିଯୋଗ ହେଉଛି । କେତେବେଳେ ରଙ୍ଗମରାକୁ ନେଇ ତ କେତେବେଳେ ନିମ୍ନ ମାନର ସିମେଣ୍ଟ ବାଲିରେ ଗୃହ ନିର୍ମାଣ ନେଇ।  

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.