ପ୍ରସିଦ୍ଧା ମାଇପି ମେଳା, ଯେଉଁଠି ଗୁହାରିଆ ପଡିଲେ ମାନସିକ ହୁଏ ପୂରଣ ! - Maipi Mela 2024

By ETV Bharat Odisha Team

Published : Apr 24, 2024, 10:49 AM IST

thumbnail
()

ନିମାପଡ଼ା: ମାଇପି ମେଳା...ଯେଉଁଠି ଗୁହାରି ପଡିଲେ ପୂରଣ ହୁଏ ସବୁ ମନସ୍କାମନା  । କାହିଁ କେଉଁ ଅନାଦି କାଳରୁ ଏହି ପରମ୍ପରା ଏବଂ ବିଶ୍ବାସ ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ ପ୍ରଚଳିତ ହୋଇଆସୁଛି  ।  ନିମାପଡା ବ୍ଲକ ଅଧୀନ କାନପୁର ଓ ନୀଳଗିରି ସାହିର ମଧ୍ୟବର୍ତ୍ତୀ ସ୍ଥଳରେ ଥିବା ଗହୀର ମଧ୍ୟରେ ଶ୍ରୀବଟ ଗୋସାଇଁ ମାଇପି ମେଳା ଅନୁଷ୍ଠିତ ହୋଇଥାଏ  । ବଟ ବୃକ୍ଷ ମୂଳେ ଥିବା କେତେକ ବୃକ୍ଷକୁ ଏଠାରେ ପୂଜା କରାଯାଉଥିବାରୁ ଏହାକୁ ବଟ ଗୋସାଇଁ ମାଇପି ମେଳା କୁହାଯାଏ  । ଏଠାରେ ମାନସିକ ରଖି ଗୁହାରିଆ ପଡିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି  । ସେଥିପାଇଁ ଚୈତ୍ର ମାସ ଶୁକ୍ଲପକ୍ଷ ଚତୃଦଶୀ ତିଥିରେ ସୂର୍ଯ୍ୟ ଉଦୟ ପୂର୍ବରୁ ମହିଳା ଏବଂ ପୁରୁଷ ଶୁଦ୍ଧପୂତ ଭାବେ ନୂତନ ବସ୍ତ୍ର ପରିଧାନ ପୂର୍ବକ ନିର୍ଜଳ କାଷ୍ଠାରେ ମାନସିକ ରଖି ଗୁହାରିଆ ପଡ଼ିଥାନ୍ତି  । ଏହି ଗୁହାରିଆଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ଥାଏ  । ମଧ୍ୟାହ୍ନରେ ପୂଜକ ପାଦୁକ ଓ ପଣା ଦେଇ ମାନସିକ ଧାରୀଙ୍କ ବ୍ରତ ଭଙ୍ଗ କରିଥାନ୍ତି   । 

ଏହା ମଧ୍ୟ ପଢନ୍ତୁ: ଧୁମଧାମରେ ପାଳନ ହେଲା ଚୈତ୍ର ପୂର୍ଣ୍ଣିମା, ଝାମୁ ନିଆଁରେ ଚାଲିଲେ ମାନସିକଧାରୀ - Dhenkanal Jhamu Yatra 2024
 

ପିଲାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ଏଠାରେ ପିଲାମାନଙ୍କ ମୁଣ୍ଡନ ମଧ୍ୟ କରାଯାଇଥାଏ । ଏହି ମେଳାରେ ଆଖପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି । ଶ୍ରଦ୍ଧାଳୁମାନଙ୍କ ଦାନ ଦକ୍ଷିଣାରେ ମେଳା ଅନୁଷ୍ଠିତ ହୋଇଥାଏ ବୋଲି ବଟ ଗୋସାଇଁ ମାଇପି ମେଳା ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି  । ମାଇପି ମେଳାର ମାହାତ୍ମ୍ୟ ବହୁ ପ୍ରାଚୀନ  । ପୂର୍ବରୁ ଏଠାକୁ ରାସ୍ତାଘାଟ ନଥିଲା  । ବହୁ କଷ୍ଟେମଷ୍ଟେ ମାନସିକ ଧାରୀମାନେ ଏଠାକୁ ଆସୁଥିଲେ  । ଏବେ ପରିସ୍ଥିତି ବଦଳି ଯାଇଛି  । ମେଳା ସ୍ଥଳକୁ ରାସ୍ତାର ନିର୍ମାଣ ହୋଇଛି ଫଳରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇଛି  । ମେଳାରେ ଗୁହାରିଆ ପଡିଲେ ମାନସିକ ପୂରଣ ହେଉଥିବା ବିଶ୍ବାର ରହିଥିବାରୁ ଏଠାରେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି  । ଗୁହାରିଆ ପଡିବା ସହିତ ପୀଠରେ ବାନା ବାନ୍ଧିଲେ ଦୁଃସାଧ୍ୟ ରୋଗରୁ ମୁକ୍ତ ହୋଇଥିବା କଥା କହିଛନ୍ତି ଶ୍ରଦ୍ଧାଳୁ  । 
 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.