ସମ୍ବର୍ଦ୍ଧନା ସଭା ଆଳରେ ଭୁଜବଳ ମାଝୀଙ୍କ ଶକ୍ତି ପ୍ରଦର୍ଶନ, ହଜାର ହଜାର ସମର୍ଥକଙ୍କ ବାଇକ ରାଲି

By ETV Bharat Odisha Team

Published : Feb 13, 2024, 9:19 AM IST

thumbnail

Bhujabal Majhi Power Show: ନବରଙ୍ଗପୁର: ଆଗକୁ ନିର୍ବାଚନ ଆସୁଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଲାଣି । ନବରଙ୍ଗପୁର ଜିଲ୍ଲାରେ ଜନସଂକଳ୍ପ ସମାବେଶ ଓ ସମ୍ବର୍ଦ୍ଧନା ସଭା ଆଢୁଆଳରେ ଜିଲ୍ଲା କଂଗ୍ରେସର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଭୁଜବଳ ମାଝୀ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ସୋମବାର ଜିଲ୍ଲାର କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ୱର୍ଦ୍ଧନା ସଭାରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତା ଯୋଗ ଦେଇଥିଲେ । 

ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ନୂତନ ସଭାପତି ଭାବେ ନିର୍ବାଚିତ ହେବା ପରେ ଦଳୀୟ କର୍ମୀଙ୍କ ପକ୍ଷରୁ ନବରଙ୍ଗପୁର କଂଗ୍ରେସ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସମର୍ଥକଙ୍କ ମେଳି ଦେଖିବାକୁ ମିଳିଥିଲା । ଏକ ବିଶାଲ ବାଇକ ରାଲି ସହରର ଚାଉଁରିଆଗୁଡା ଛକରୁ ବାହାରି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ପହଞ୍ଚିବା ପରେ କର୍ମୀଙ୍କ ତରଫରୁ  ଭୁଜବଳ ମାଝୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ପରେ କଂଗ୍ରେସ ଭବନରୁ ବାହାରି ସ୍ଥାନୀୟ ସର୍କିଟ ହାଉସ ସମ୍ମୁଖ ପଡିଆ ସଭାସ୍ଥଳୀକୁ ରାଲି କରି ପହଞ୍ଚିଥିଲେ ଏବଂ ସେଠାରେ ଦଳୀୟ କର୍ମୀମାନେ ଉତ୍ସାହର ସହିତ ଭୁଜବଳ ମାଝୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ l

ଏହାମଧ୍ୟ ପଢନ୍ତୁ... ରାଉରକେଲା କଂଗ୍ରେସରେ ହଟଚମଟ; ଜିଲ୍ଲା ସଭାପତି ପରିବର୍ତ୍ତନ ପରେ ମହିଳା କଂଗ୍ରେସ ସଭାପତିଙ୍କ ଇସ୍ତଫା

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଏବଂ ତାଙ୍କର ସମର୍ଥକ ଅନୁପସ୍ଥିତ ରହିଥିଲେ l ଯାହାକୁ ନେଇ ନବରଙ୍ଗପୁର କଂଗ୍ରେସରେ ଫାଟ ଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ ଭୁଜବଳ ମାଝୀଙ୍କ ଦ୍ୱାରା ଖଣ୍ଡନ କରାଯାଇଛି । ତେବେ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ମୁନା ତ୍ରିପାଠୀଙ୍କୁ ସଭାପତି ପଦରୁ ହଟାଇବା ପାଇଁ ଭୁଜବଳ ମାଝୀଙ୍କ ଗୋଷ୍ଠୀ ଲାଗି ପଡ଼ିଥିବା ବେଳେ ଓଡିଶା ପିସିସି ସଭାପତିଙ୍କୁ ମଧ୍ୟ ଅନୁରୋଧ କରିଥିଲେ l ବର୍ତ୍ତମାନ ଭୁଜବଳ ମାଝୀଙ୍କୁ ସଭାପତି ପଦ ମିଳିବା ପରେ ଉକ୍ତ ସଭାରେ ମୁନା ତ୍ରିପାଠୀଙ୍କ ଅନୁପସ୍ଥିତି କଂଗ୍ରେସ ଅନ୍ତଃକନ୍ଦଳ ଚର୍ଚ୍ଚାକୁ ଖୋରାକ ଯୋଗାଇଛି l 

ଅନ୍ୟପଟେ ଦଳରେ କୌଣସି ଫାଟ ନଥିବା ଭୁଜବଳ କହିଥିବା ବେଳେ ଆଗାମୀ ଦିନରେ ସମସ୍ତଙ୍କୁ ନେଇ ଦଳକୁ ଚଳାଇବେ ବୋଲି କହିଛନ୍ତି l ତେବେ ଭୁଜବଳ ମାଝୀଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସର ସମ୍ଭାବ୍ୟ ନବରଙ୍ଗପୁର ସାଂସଦ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି କାର୍ଯ୍ୟକ୍ରମ ବେଶ ପ୍ରଭାବ ପକାଇପାରେ l ଅନ୍ୟପଟେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ l

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.