ETV Bharat / politics

ରାଉରକେଲା କଂଗ୍ରେସରେ ହଟଚମଟ; ଜିଲ୍ଲା ସଭାପତି ପରିବର୍ତ୍ତନ ପରେ ମହିଳା କଂଗ୍ରେସ ସଭାପତିଙ୍କ ଇସ୍ତଫା

author img

By ETV Bharat Odisha Team

Published : Feb 12, 2024, 8:37 PM IST

Rourkela Congress Leader resigned: ରାଉରକେଲାରେ କଂଗ୍ରେସକୁ ବଡ଼ ଝଟ୍‌କା । ଜିଲ୍ଲା ସଭାପତି ପରିବର୍ତ୍ତନ ପରେ ପରେ ହାତ ଛାଡ଼ିଲେ ଜିଲ୍ଲା ମହିଳା କଂଗ୍ରେସ ସଭାପତି । ସ୍ଥାନୀୟ କଂଗ୍ରେସ ନେତାଙ୍କ ଅପାରଗତା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ସେ ଦଳ ଛାଡ଼ୁଥିବା କହିଛନ୍ତି । ଅଧିକ ପଢ଼ନ୍ତୁ

ରାଉରକେଲା କଂଗ୍ରେସରେ ହଟଚମଟ
ରାଉରକେଲା କଂଗ୍ରେସରେ ହଟଚମଟ

ରାଉରକେଲା କଂଗ୍ରେସରେ ହଟଚମଟ

ରାଉରକେଲା: ରାହୁଲ ଗାନ୍ଧୀଙ୍କ ଗସ୍ତ ପରେ ରାଉରକେଲା ଜିଲ୍ଲା କଂଗ୍ରେସରେ ହଟଚମଟ । ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷହେବା ପରେ ଗୋଟିଏ ପଟେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଦରୁ ବାହାର କରି ନୂତନ ଜିଲ୍ଲା କଂଗ୍ରେସ ସଭାପତି ଚୟନ କରାଯାଇଛି । ଅନ୍ୟପଟେ ଜିଲ୍ଲାର ମହିଳା କଂଗ୍ରେସ ସଭାପତି ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ରାଉରକେଲାରେ କଂଗ୍ରେସ ଦଳର ସଠିକ ନେତୃତ୍ବ ନଥିବା ଯୋଗୁଁ ଦଳ ଛାଡିଥିବା କହିଛନ୍ତି ଜିଲ୍ଲା ମହିଳା କଂଗ୍ରେସ ସଭାପତି ନିରୂପମା ବଳିୟାରସିଂହ । ନିର୍ବାଚନ ପୂର୍ବରୁ ଦଳରେ ଏପରି ସ୍ଥିତି କର୍ମୀମାନଙ୍କୁ ନିରାଶ କରିଥିବାବେଳେ ଆଗକୁ ଏହି ପରିସ୍ଥିତି ନୂଆ ସଭାପତିଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ବୋଲି କୁହାଯାଉଛି ।

ପ୍ରଥମେ ଗତକାଲି (ରବିବାର) ରାତିରେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରଶ୍ମି ପାଢ଼ୀଙ୍କୁ ସଭାପତି ପଦରୁ ମୁକ୍ତ କରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହାପରେ ପୂର୍ବତନ ସଭାପତି ରବି ରାୟଙ୍କୁ ପୁଣିଥରେ ଜିଲ୍ଲା ସଭାପତି ପଦ ଦିଆଯାଇଛି । ରାଉରକେଲାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ବହୁ ତ୍ରୁଟି ଥିବା ସହିତ ବିଭିନ୍ନ କନ୍ଦଳ ଏବଂ ଜନ ସମର୍ଥନ ବ୍ୟବସ୍ଥା ହୋଇନଥିବାରୁ ଜିଲ୍ଲା ସଭାପତିଙ୍କୁ ପିସିସି ସଭାପତି ଗାଳି ଗୁଳଜ କରିଥିବା ଶୁଣିବାକୁ ମିଳିଥିଲା । ଏପରିକି ରାହୁଲ ଗାନ୍ଧୀଙ୍କ ଗାଡି ଉପରୁ ଜିଲ୍ଲା ସଭାପତିଙ୍କ ଉପରେ ବିରକ୍ତି ଭାବ ପ୍ରଦର୍ଶନ କରି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ରଶ୍ମିଙ୍କୁ ଗାଡ଼ିରୁ ଓହ୍ଲାଇବାକୁ କହିଥିଲେ ବୋଲି ସୂତ୍ରରୁ ସୂଚନା ମିଳିଛି । ଏହା ହିଁ ତାଙ୍କୁ ଜିଲ୍ଲା ସଭାପତି ପଦରୁ ବାହାର କରାଯାଇଥିବା କାରଣ ହୋଇପାରେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରସ୍ତୁତି, 13ଟି ଜିଲ୍ଲାର ସଭାପତି ପରିବର୍ତ୍ତନ

ଅନ୍ୟପଟେ ମହିଳା କଂଗ୍ରେସ ସଭାପତି ମଧ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ଇସ୍ତଫା ନେଇ ସୂଚନା ଦେଇଛନ୍ତି । ସେ ଅଭିଯୋଗ ଆଣିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ ସମ୍ପୂର୍ଣ୍ଣ ପ୍ରଦେଶ କଂଗ୍ରେସ ରାଉରକେଲାରେ ଥିବାବେଳେ ରାଉରକେଲା ସହରର କଂଗ୍ରେସ ନେତାମାନେ ରାହୁଲଙ୍କ ଗସ୍ତକୁ ପ୍ରାଥମିକତା ନଦେଇ କେବଳ ନିଜର ଟିକେଟ ଫାଇନାଲରେ ମଜି ରହିଥିଲେ । ଏପରିକି ପ୍ରଦେଶ କଂଗ୍ରେସ କମିଟି ଏବଂ ଜିଲ୍ଲା କଂଗ୍ରେସ କମିଟିର ଅବହେଳା ଯୋଗୁଁ ଏହି ନ୍ୟାୟ ଯାତ୍ରା ବିଫଳ ହୋଇଛି ବୋଲି ସେ କହିଛନ୍ତି । ଦଳରେ ନେତୃତ୍ବର ଅଭାବ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦେଖିବାରୁ ସେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ସେପଟେ ଏନେଇ ମିଡିଆ ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ଜିଲ୍ଲା ସଭାପତି ପଦରୁ ବହିଷ୍କୃତ ନେତା ରଶ୍ମି ପାଢ଼ୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.