ଡିଜିଟାଲ ଡାଏଲଗ: 'ବିଜେଡି-ବିଜେପି ମଧ୍ୟରେ ସେତୁ ବନିଛନ୍ତି ଅଶ୍ବିନୀ ବୈଷ୍ଣବ'

By ETV Bharat Odisha Team

Published : Feb 17, 2024, 4:52 PM IST

thumbnail

Political Analyst Rabi Das in ETV Bharat: ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ତାର ଦୁଇ ଜଣ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଛି । ରାଜ୍ୟରୁ ତୃତୀୟ ପ୍ରାର୍ଥୀ ଭାବେ ବିଜେପିରୁ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ଯିବେ । ଆଉ ବିଜେଡି ଅଶ୍ବିନୀଙ୍କୁ ସମର୍ଥନ ଦେବ । 3ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ବଡ଼ ପ୍ରଶ୍ନ ହେଲା ବିଜେପି ସମର୍ଥନ ମାଗିନାହିଁ ବୋଲି କହୁଥିବା ବେଳେ ବିଜେଡି କେଉଁ ସ୍ବାର୍ଥରେ ସମର୍ଥନ ଦେଲା ? ଏହି ପ୍ରସଙ୍ଗରେ ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ 'ଡିଜିଟାଲ ଡାଏଲଗ'ରେ ସାମିଲ ହୋଇ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ ଅଶ୍ବିନୀ ବୈଷ୍ଣବ ହେଉଛନ୍ତି ବିଜେଡି ଓ ବିଜେପି ମଧ୍ୟରେ ସେତୁ । ଯେଉଁ ବୁଝାମଣା ହୋଇଛି ସେହି ବୁଝାମଣାରେ ଅଶ୍ବିନୀ ସେତୁ ଭଳି କାର୍ଯ୍ୟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଅନେକ ସମୟରେ ସମାଲୋଚନା କରନ୍ତି କିନ୍ତୁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କେବେ ବି ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ ବି କହିନାହାନ୍ତି । କେନ୍ଦ୍ର ନେତୃତ୍ବ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ବୁଣାମଣାରେ ଅଶ୍ବିନୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି ।  

ଏହା ବି ପଢନ୍ତୁ- ଡିଜିଟାଲ ଡାଏଲଗ: 2024 ନିର୍ବାଚନରେ ଗମାଙ୍ଗ ପରିବାରକୁ ମିଳିବ 2ଟି ଟିକେଟ !

ଅନ୍ୟପଟେ କଟକ-ବାରବାଟୀ ଆସନରୁ ବିଧାୟକ ଭାବେ ଲଢିବା ପାଇଁ ଆଶାୟୀ ଥିବା ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ଏହି ପ୍ରସଙ୍ଗରେ ରବି ଦାସ କହିଛନ୍ତି, "କଟକ-ବାରବାଟୀ ଆସନ କଂଗ୍ରେସ ହାତରେ ଅଛି । ୨୦୧୯ର ଫଳାଫଳ ୨୦୨୪ରେ ଯେପରି ରିପିଟ ନହେବ ତାକୁ ଆଖି ଆଗରେ ରଖି ବିଜେଡି ଗଣିତ କଷିଛି । ଏହି ଆସନରେ ଦେବାଶିଷ ୨୦୨୪ରେ ହାରିଯିବାର ଆଶଙ୍କା ଥିବା ଖବର ବିଜେଡି ପାଇସାରିଛି । ତେଣୁ ଦେବାଶିଷଙ୍କ ଯାଗାରେ ନୂଆ ଚେହେରା ଆଣିବାକୁ ଦଳ ଚିନ୍ତା କରିଥିବାରୁ ତାଙ୍କୁ ରାଜ୍ୟସଭା ପଠାଇଥିବା ସେ କହିଛନ୍ତି । ସେହିପରି ପୁରୀ ଆସନ ୨୦୧୯ରେ ବିଜେପି ହାତକୁ ଚାଲିଯାଇଥିଲା । ପୁରୀ ପରିକ୍ରମା ପ୍ରକଳ୍ପ ସଫଳ ହେବା ପରେ ୨୦୨୪ରେ ପୁରୀ ଆସନ ଉପରେ ବିଜେଡି କବଜା କରିବାକୁ ଚାହୁଁଛି । ତେଣୁ ପୁରୀରେ ବିଜେଡି ପ୍ରାର୍ଥୀ ହେବାକୁ ଇଚ୍ଛୁକ ଥିବା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେଡି । ମହେଶ୍ବର ମହାନ୍ତିଙ୍କ ମୃତ୍ୟୁ ପରେ ଅନୁକମ୍ପାମୂଳକ ଭୋଟ ଗୋଟାଇବା ପାଇଁ ତାଙ୍କ ପୁଅ କିମ୍ବା ପତ୍ନୀଙ୍କୁ ଟିକେଟ ଦେଇପାରେ ବିଜେଡି । କାରଣ ବିଜେଡି ଏହି ଆସନ କିଛି ବି ଉପାୟରେ ହାସଲ କରିବାକୁ ଚାହୁଁଛି । ଏସବୁକୁ ଦୃଷ୍ଟିରେ ରଖି ଶୁଭାଶିଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଜ୍ୟସଭା ପଠାଇଥିବା ଚର୍ଚ୍ଚା ହେଉଛି ।" ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ସାକ୍ଷାତକାର- ଲାଲମୋହନ ପଣ୍ଡା (ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା)

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.