ଯାଜପୁରରେ 75ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

By ETV Bharat Odisha Team

Published : Jan 26, 2024, 8:24 PM IST

thumbnail

75th Republic Day: ଯାଜପୁର: ଆଜି ହେଉଛି ୭୫ତମ ସାଧାରଣତନ୍ତ୍ର ଦିବସ । ଏନେଇ ଯାଜପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାଜରାସ୍ତାରେ ଅନୁଷ୍ଠିତ ଉତ୍ସବରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲା ମୁଖ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଦେଶର ଅଖଣ୍ଡତା ରକ୍ଷା ପ୍ରତ୍ୟେକ ନାଗରିକର ପ୍ରଥମ କର୍ତ୍ତବ୍ୟ ବୋଲି କହିବା ସହିତ ଜିଲ୍ଲାର ଐତିହ୍ୟ ଓ ପରମ୍ପରା ସଂପର୍କରେ ଅଭିଭାଷଣ ରଖିଥିଲେ ।  

ଏହି ଅବସରରେ ଅନୁଷ୍ଠିତ ସମ୍ମିଳିତ ପ୍ୟାରେଡରେ ଭାରପ୍ରାପ୍ତ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ଅଭିବାଦନ ଗ୍ରହଣ କରିଥିଲେ । ଏହି ପ୍ୟାରେଡରେ ପୋଲିସ, ଏନସିସି, ସ୍କାଉଟ୍ସ ଓ ଗାଉଡ୍ସ ସମେତ ବିଭିନ୍ନ ସ୍କୁଲ ଓ କଲେଜର ୪୫ଟି ଗ୍ରୁପ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ଏବଂ ଏସପି ପୁରସ୍କୃତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନଳିନୀ ପ୍ରଭା ଜେନା, ପୌର ଅଧ୍ୟକ୍ଷ ରଞ୍ଜୁଲତା ହୋତା, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ସାମିଲ ହୋଇଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ......ପୁରୀ-କଟକରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ସେହିପରି ଜିଲ୍ଲାର ବ୍ୟାସନଗର ପୌର ପରିଷଦ ସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ପୌର ପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କ ନେତୃତ୍ବରେ ଆୟୋଜିତ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଅତିଥି ଭାବେ ଯୋଗଦେଇ ଭାରତର ଅଖଣ୍ଡତା ବଞ୍ଚାଇ ରଖିବା ପାଇଁ ସମସ୍ତ ଭାରତୀୟମାନେ ଆଗେଇ ଆସିବା ଦରକାର ବୋଲି ନିଜ ନିଜର ବକ୍ତବ୍ୟରେ କହିଥିଲେ l ଏହି ଅବସରରେ ପୌର ପରିଷଦ ପକ୍ଷରୁ ଆୟୋଜିତ ପ୍ୟାରେଡ କାର୍ଯ୍ୟକ୍ରମରେ ପୌର ପରିଷଦ ଅଞ୍ଚଳରେ ଥିବା ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆଜିର ଏହି ପ୍ୟାରେଡ କାର୍ଯ୍ୟକ୍ରମରେ 33 ଗ୍ରୁପ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ସହରର ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ । ପରିଶେଷରେ ଏହି ପ୍ୟାରେଡରେ ପ୍ରଥମ, ଦ୍ବିତୀୟ ସ୍ଥାନ ଅଧିକରା କରିଥିବା ସ୍କୁଲକୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ l

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.