ପୁରୀ-କଟକରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

By ETV Bharat Odisha Team

Published : Jan 26, 2024, 1:01 PM IST

thumbnail

75th Republic day: ପୁରୀ/କଟକ: ପୁରୀର ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ୭୫ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଇସ୍ପାତ, ଖଣି ଓ‌ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏଥିରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ରଥ ପ୍ରଦର୍ଶନ ହୋଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଏସପି କନୱର ବିଶାଳ ସିଂଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ । ଆଜିର ପରେଡରେ ବିଭିନ୍ନ ସ୍କୁଲ, କଲେଜ ଓ ପୋଲିସ ବିଭାଗରୁ ମୋଟ ୫୬ଟି କଣ୍ଟିଜେଣ୍ଟ ଅଂଶ ଗ୍ରହଣ କରିଥିଲେ ।

କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ବାରବାଟୀ ଷ୍ଟାଡିୟମରେ ଆୟୋଜିତ ସମ୍ମିଳିତ ପରେଡରେ କମିଶନରେଟ ପୋଲିସ, ବାଟାଲିୟନ, ସିନିୟର ଓ ଜୁନିୟର ଏନସିସି, ସ୍କାଉଟ-ଗାଇଡ୍ସ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ସହ ସିଭିଲିଆନ ଟିମକୁ ମିଶାଇ ମୋଟ 50ଟି ଟ୍ରୁପ ପରେଡରେ ସାମିଲ ହୋଇଥିଲେ । ରାଜସ୍ବ ଓ ଗଣଶିକ୍ଷା ମନ୍ତ୍ରୀ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ । 

 ଏହା ମଧ୍ୟ ପଢନ୍ତୁ: ଗଜପତିରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଏହାପରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରି ମନ୍ତ୍ରୀ କହିଥିଲେ ଯେ, କଟକ ଓଡିଶାର ସାଂସ୍କୃତିକ ଏବଂ ବ୍ୟବସାୟିକ ପ୍ରାଣକେନ୍ଦ୍ର । ଏହି ମାଟିରେ ଅନେକ ବୀର ସନ୍ତାନ ଏବଂ ସ୍ବାଧୀନତା ସଂଗ୍ରାମୀ ଜନ୍ମ ହୋଇ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି । କଟକ ଏବେ ବିକାଶ ଦିଗରେ ଅଗ୍ରସର ହେଉଛି । ସହରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି । ମନ୍ତ୍ରୀଙ୍କ ସମ୍ବୋଧନ ପରେ ଏସସିବି ମେଡିକାଲର ଡାକ୍ତର, ଗଣମାଧ୍ୟମ ବ୍ୟକ୍ତି ବିଶେଷ, ବିଭିନ୍ନ କାର୍ଯ୍ୟରେ ବିଶେଷ ଅବଦାନ ଦେଇଥିବା ବ୍ୟକ୍ତିବିଶେଷମାନଙ୍କ ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି ।

ଇଟିଭି ଭାରତ, ପୁରୀ/କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.