ETV Bharat / state

ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏକାଧିକ କାର୍ଯ୍ୟକ୍ରମରେ ସାମିଲ

author img

By ETV Bharat Odisha Team

Published : Feb 21, 2024, 8:07 AM IST

ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏକାଧିକ କାର୍ଯ୍ୟକ୍ରମରେ ସାମିଲ
ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏକାଧିକ କାର୍ଯ୍ୟକ୍ରମରେ ସାମିଲ

Dharmendra Pradhan Sambalpur Visit: ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ କାର୍ଯ୍ୟକ୍ରମ । ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଧର୍ମେନ୍ଦ୍ର । ଅଧିକ ପଢନ୍ତୁ

ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏକାଧିକ କାର୍ଯ୍ୟକ୍ରମରେ ସାମିଲ

ସମ୍ବଲପୁର: ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ କାର୍ଯ୍ୟକ୍ରମ । ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଧର୍ମେନ୍ଦ୍ର । ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଷ୍ଟେସନରୁ ଅଯୋଧ୍ୟାରେ ଭକ୍ତମାନଙ୍କୁ ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରତ୍ୟେକ୍ଷ ଦର୍ଶନ କରାଇବା ପାଇଁ ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ‘ସମ୍ବଲପୁର-ଦର୍ଶନ ନଗର ଆସ୍ଥା ସ୍ବତନ୍ତ୍ର ଟ୍ରେନ’ର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ରାମ ନଗରୀ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି । ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ପାଇଁ ଯାତ୍ରୀ ତଥା ରାମଭକ୍ତଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଓ ଉତ୍କଣ୍ଠା ଦେଖାଯାଇଛି । ସୁବିଧାରେ ଭକ୍ତମାନଙ୍କର ଦର୍ଶନ କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ସ୍ବତନ୍ତ୍ର ଆସ୍ଥା ଟ୍ରେନର ବ୍ୟବସ୍ଥା ହୋଇଛି । ଆଜି ୨୦ଟି ରେଳ ବଗି ବିଶିଷ୍ଟ ‘ସମ୍ବଲପୁର - ଦର୍ଶନ ନଗର ଆସ୍ଥା ସ୍ବତନ୍ତ୍ର ଟ୍ରେନ’ ଓଡ଼ିଶାର ଅନେକ ରାମ ଭକ୍ତଙ୍କୁ ନେଇ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି । ୨୦୪୭ ସୁଦ୍ଧା ଭାରତ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ବିକଶିତ ଦେଶ ହେବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥନା କରିଛନ୍ତି । ଟ୍ରେନରେ ଅଯୋଧ୍ୟା ଯାତ୍ରା କରୁଥିବା ରାମଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆସ୍ଥା ଟ୍ରେନର ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି l

ଅଧିକ ପଢନ୍ତୁ- ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର ! ମାସେ ଭିତରେ ଗସ୍ତ କଲେଣି ବହୁ ହେଭିୱେଟ୍‌

ଏହାପରେ କେନ୍ଦ୍ରମନ୍ତ୍ରୀ ଶାସନ ସ୍ଥିତ ବେଦିକ କଲେଜରେ ରୋବୋଟିକ ସେଣ୍ଟରକୁ ଉଦଘାଟନ କରିଥିଲେ l ଏହି ଅବସରରେ ସେ କହିଥିଲେ ଯେ, ସମ୍ବଲପୁରର ନୂଆପିଢିଙ୍କ ମଧ୍ୟରେ ଦୁନିଆକୁ ବଦଳାଇବାର ଶକ୍ତି ଓ ଉତ୍ସାହ ଭରପୁର ରହିଛି । ଆଜି ପରିବର୍ତ୍ତିତ ଟେକ୍ନୋଲୋଜି ଦୁନିଆରେ ଇଣ୍ଟରନେଟ, ଅଗମେଣ୍ଟଡ ରିୟଲିଟି, ଭର୍ଚ୍ଚୁଆଲ ରିୟଲିଟି, ମେସିନ ଲର୍ଣ୍ଣିଂ, ରୋବୋଟିକ୍ସ ସେଣ୍ଟର ଓ ସେମି କଣ୍ଡକ୍ଟର ଭଳି ବିଷୟ ଯୋଡି ହୋଇଛି । ସମ୍ବଲପୁର ଯେପରି ଏଥିରୁ ବଞ୍ଚିତ ନହେବ, ସେଥିପାଇଁ ଭାରତ ସରକାରଙ୍କ ସହ ବେଦିକ ଇଣ୍ଟରନ୍ୟାସନାଲ ସ୍କୁଲ ମଧ୍ୟରେ ବୁଝାମଣା ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି ଅନୁସାରେ ଆଗାମୀ ଦିନରେ ଏହି ସ୍କୁଲରେ ମେଟାଭର୍ସ ଦୁନିଆ ଭଳି ଏକବିଂଶ ଶତାବ୍ଦୀର ଅତ୍ୟାଧୁନିକ ଲ୍ୟାବ ତିଆରି କରିବା ପାଇଁ ଯୋଜନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ନୂଆପିଢିଙ୍କର ଦାୟିତ୍ୱ ଆମେ ଯେତେ ନେବା, ଆମ ସମାଜରେ ସେତେ ସମ୍ପନ୍ନତା ବଢିବ । ସମାଜରେ ୱେଲଥ କ୍ରିଏସନ ସହ ରୋଜଗାର ସୃଷ୍ଟି କରିବା ପାଇଁ ଉଦ୍ୟମ କରିବା ପାଇଁ ସେ ସମାଜକୁ ଆହ୍ବାନ କରିଛନ୍ତି ।

ଏହାପରେ କେନ୍ଦ୍ରମନ୍ତ୍ରୀ ମାଝିପାଲିଠାରେ ନବନିର୍ମିତ ସ୍କିଲ ଡେଭଲପମେଣ୍ଟ ସେଣ୍ଟରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ସ୍କିଲ ଡେଭଲପମେଣ୍ଟ ସେଣ୍ଟରରେ ଏକ ହଜାର ଛାତ୍ରଛାତ୍ରୀ ଶିକ୍ଷା ଲାଭ କରିପାରିବା ସହ ନିଯୁକ୍ତି ସୁଯୋଗ ପାଇପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ସ୍କିଲ ଇଣ୍ଡିଆ ସେଣ୍ଟରକୁ ଉଦଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଧ୍ୟାନରେ ରଖି ନୂଆପିଢିର ଯୁବକ ଯୁବତୀମାନେ ନିଜକୁ ଦକ୍ଷ ବନାଇବା, ମୋଦି ସରକାରଙ୍କ ଲକ୍ଷ୍ୟ ରହିଛି । ଏହି ମର୍ମରେ ଯୁବକ ଯୁବତୀମାନଙ୍କୁ ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ଧନ୍ଦାମୂଳକ ତାଲିମ ଦେବା ସହ ସେମାନଙ୍କର ଦକ୍ଷତା ବିକାଶ ପାଇଁ ସମ୍ବଲପୁରରେ ସ୍କିଲ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା କରାଯାଇଛି ।

ସମ୍ବଲପୁରରେ ୪ ହଜାର ବର୍ଗଫୁଟ ପରିମିତ ଜମିରେ ପ୍ରତିଷ୍ଠିତ ଏହି କେନ୍ଦ୍ର, ଦକ୍ଷତା ବିକାଶ ଓ ଯୁବ ସଶକ୍ତୀକରଣ ପ୍ରତି ମୋଦି ସରକାରଙ୍କ ପ୍ରତିବଦ୍ଧତାର ପ୍ରତୀକ । ଏହି କେନ୍ଦ୍ରରେ ମୋଟ ୫ଟି ଆଧୁନିକ ଲ୍ୟାବ ରହିଛି ଏବଂ ପ୍ରଶିକ୍ଷଣ ନିମନ୍ତେ ୩ଟି ଟ୍ରେନିଂ ହଲ ଅଛି, ଯେଉଁଥିରେ ବର୍ଷକୁ ୧୨୦୦ରୁ ଊର୍ଦ୍ଧ୍ବ ଯୁବକ ଯୁବତୀ ପ୍ରଶିକ୍ଷିତ ହୋଇପାରିବେ । ସ୍ବଳ୍ପ ମୂଲ୍ୟରେ ୩ ମାସରେ ୮ଟି ବିଷୟବସ୍ତୁ ଉପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୨୪୦ ପିଲା ପ୍ରଶିକ୍ଷଣ ନେଇ ସ୍କିଲଡ ହେବେ । କେନ୍ଦ୍ରରେ ଉପଲବ୍ଧ ହେଉଥିବା ପ୍ରଶିକ୍ଷଣରୁ ଛାତ୍ରଛାତ୍ରୀ ବହୁତ ଉପକୃତ ହେବେ ।

ମିଡିଆ ଓ ମନୋରଂଜନ, ପର୍ଯ୍ୟଟନ ଓ ଆତିଥ୍ୟ ପ୍ରଯୁକ୍ତିବିଦ୍ୟା ଓ ପ୍ରଯୁକ୍ତିସେବା ଏବଂ ଲେଦର ଭଳି ଶିଳ୍ପ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବ । ଛାତ୍ରଛାତ୍ରୀ କ୍ଲାଉଡ ଆଧାରିତ ୱେବ ଆପ୍ଲିକେସନ ଡେଭଲପର, ଘରୋଇ ଆଇଟି ହେଲ୍ପଡେସ୍କ ସହାୟକ, ଗ୍ରାଫିକ୍ସ ଏବଂ ୟୁଆଇ/ୟୁଏକ୍ସ ଡିଜାଇନର, ମିଡିଆ ଏକଜିକ୍ୟୁଟିଭ, ଷ୍ଟୋରିବୋର୍ଡ ଟ୍ରେନର, ଫୁଡ ଆଣ୍ଡ ବେଭରେଜ ସର୍ଭିସେସ ଷ୍ଟୁଆର୍ଡ, ଷ୍ଟିଚିଂ ଅପରେଟର, ଜୋତା ଏବଂ ଫ୍ୟାସନ ରିଟେଲ ଆସୋସିଏଟ ଭଳି ଚାକିରି ଭୂମିକାରେ ପ୍ରଶିକ୍ଷଣ ସହିତ ଶିକ୍ଷାଗତ ଜ୍ଞାନ ହାସଲ କରିବାରେ ସକ୍ଷମ ହେବେ । ଏହି ଅବସରରେ ୨୦୪୭ ସୁଦ୍ଧା ବିକଶିତ ଭାରତ ବନାଇବା ପାଇଁ ସଂକଳ୍ପ ନେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ପରେ ମନ୍ତ୍ରୀ ଗୋଶାଳା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ "ବିକଶିତ ଭାରତ କି ଔର ବିରାଟ ଉଡାନ" କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ପିଏମ ଶ୍ରୀଜବାହର ନବୋଦୟ ବିଦ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦଘାଟିତ ଓ ଶିଳାନ୍ୟାସ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ କାଶ୍ମୀରରୁ ଭିସି ଜରିଆରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ମୋଟ ପ୍ରାୟ ୧୭,୦୦୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପଗୁଡିକର ଉପହାରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଯେଉଁଥିରେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ୧୩,୩୭୫ କୋଟି ଟଙ୍କାର ୮୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ଉଷା ଅଧୀନରେ ୭୮ଟି ବିଶ୍ବବିଦ୍ୟାଳୟକୁ ଭାରତ ସରକାରଙ୍କ ଦ୍ବାରା ୩,୬୧୮ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ୨୫.୮୨ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟ, କୁତ୍ରା, ନୂଆପଡା ଜିଲ୍ଲାରେ ୩୦.୬୧ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟ, ଖରିଆର ଏବଂ ୨୬.୬୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନୂଆପଡାର ଶିଳାନ୍ୟାସ ହୋଇଛି । ଏହାଦ୍ବାରା ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ବିଶେଷ ଉପକୃତ ହୋଇପାରିବେ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ଏହାବ୍ୟତୀତ ୪.୫୦ କୋଟି ଟଙ୍କା ବ୍ୟୟରେ ପିଏମଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ, ସମ୍ବଲପୁରର ବହୁମୁଖୀ ସଭାଗୃହର ଶିଳାନ୍ୟାସ ଓ ଫୁଟବଲ ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ କ୍ରୀଡା ସହ ଯୋଡିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଫୁଟବଲ ଫର ସ୍କୁଲ ଅଧୀନରେ ମୋଟ ୧୪୦ଟି ସ୍କୁଲରେ ୭୨୭ଟି ଫୁଟବଲ ବିତରଣ କରାଯିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ l

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିମ୍ବଦନ୍ତୀ କବି ତଥା ସ୍ବଭାବ କବି ଗଙ୍ଗାଧର ମେହେର ଏବଂ ସନ୍ଥ କବି ଭୀମ ଭୋଇ ଓ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଯଥା ସମ୍ବଲପୁରୀ ବାନ୍ଧକଳା , ସମ୍ବଲପୁରୀ ନୃତ୍ୟ, ଶୀତଳଷଷ୍ଠୀ, ଧନୁଯାତ୍ରା, ନୂଆଁଖାଇ ପର୍ବର 6 ଗୋଟି ଡାକ ଟିକଟ ଓଡ଼ିଶା ଡାକ ପରିମଣ୍ଡଳ ଦ୍ବାରା ଉନ୍ମୋଚନ କରିଥିଲେ l ଏହାପରେ ପଶ୍ଚିମ ଓଡ଼ିଶାରେ 42ଟି ଡାକ ଘର, ଯେଉଁଥିରୁ 13ଟି ସମ୍ବଲପୁରରେ, 2ଟି ବରଗଡ଼ରେ, 2ଟି ଦେବଗଡ଼ରେ, 2ଟି ଝାରସୁଗୁଡ଼ାରେ ଏବଂ 23ଟି ସୁନ୍ଦରଗଡ଼ ଜିଲ୍ଲାରେ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.