ETV Bharat / state

'ପୂର୍ବତନ ଜଳେଶ୍ୱର ବିଧାୟକ ଜୟନାରାୟଣ ମହାନ୍ତି ଆମ ବାପା', ଦାବି କଲେ ଦୁଇ ଯୁବତୀ

author img

By ETV Bharat Odisha Team

Published : Jan 30, 2024, 7:51 PM IST

Updated : Jan 30, 2024, 8:25 PM IST

Former Jaleswar MLA Jaynarayan Mohanty
Former Jaleswar MLA Jaynarayan Mohanty

Former Jaleswar MLA Jaynarayan Mohanty: ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କୁ ବାପା ବୋଲି ଦାବି କଲେ ୨ ଯୁବତୀ । ଜୟନାରାୟଣଙ୍କ ଏକଦଶାହ କାର୍ଯ୍ୟରେ ତାଙ୍କୁ ସାମିଲ କରାଯାଉନଥିବା ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ

'ପୂର୍ବତନ ଜଳେଶ୍ୱର ବିଧାୟକ ଜୟନାରାୟଣ ମହାନ୍ତି ଆମ ବାପା', ଦାବି କଲେ ଦୁଇ ଯୁବତୀ

ବାଲେଶ୍ୱର: ଜିଲ୍ଲା ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ବେଳେ ଆଜି ତାଙ୍କର ଏକାଦଶାହ କର୍ମ । ଗୋଟେପଟେ ତାଙ୍କ ବାଲିଆପାଳ ବାସ ଭବନରେ ଏକାଦଶାହ କର୍ମ ଚାଲିଥିବା ବେଳେ ଏପଟେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦୁଇଜଣ ଯୁବତୀ ଜୟନାରାୟଣ ମହାନ୍ତି ତାଙ୍କ ବାପା ଏବଂ ତାଙ୍କ ଦ୍ଵିତୀୟ ପତ୍ନୀଙ୍କ ଏମାନେ ଦୁଇଝିଅ ବୋଲି ଦାବି କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟ ଭଉଣୀ ମା'ଙ୍କ ସହ ଭୁବନେଶ୍ୱରରେ ରହୁଥିବା ବେଳେ ସେମାନଙ୍କୁ ତାଙ୍କ ବାପା ଅର୍ଥାତ ଜୟନାରାୟଣ ମହାନ୍ତିଙ୍କ ଶେଷ ଦର୍ଶନ କରିବାକୁ ମଧ୍ୟ ସୁଯୋଗ ଦିଆଯାଇ ନଥିବା ସେମାନେ ଅଭିଯୋଗ କରିବା ସହ ଏବେ ବାପାଙ୍କ ଅଧିକାର ମାଗିଛନ୍ତି ।

ଦୁଇ ଯୁବତୀଙ୍କ କହିବା ଅନୁସାରେ, ୧୯୮୦ ମସିହାରେ ଜୟନାରାୟଣ ମହାନ୍ତି ଶୈଳବାଳା ମହାନ୍ତିଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ସେମାନଙ୍କ ଔରସରୁ ଦୁଇଟି ଝିଅ ଜୟସ୍ମିତା ଏବଂ ଦେବସ୍ମିତା ଜନ୍ମଗ୍ରହଣ କରିଥିଲେ । ପ୍ରଥମ ପତ୍ନୀଙ୍କଠାରୁ ତିନୋଟି ପୁଅ ଏବଂ ଗୋଟିଏ ଝିଅ ଥିବା ବେଳେ ଗୋଟିଏ ପୁଅର ମୃତ୍ୟୁ ହୋଇଛି। ଏବେ ଦୁଇଟି ପୁଅ ଏବଂ ଗୋଟିଏ ଝିଅ ବାଲିଆପାଳରେ ରହୁଥିବା ବେଳେ ଜୟସ୍ମିତା ଏବଂ ଦେବସ୍ମିତା ତଥା ଦ୍ଵିତୀୟ ପତ୍ନୀ ଭୁବନେଶ୍ୱରରେ ରହୁଛନ୍ତି । ଜୟନାରାୟଣ ମହାନ୍ତି ଜୀବିତ ଥିବା ବେଳେ ଦ୍ଵିତୀୟ ପତ୍ନୀ ତଥା ଦୁଇ ଝିଅଙ୍କ ଦାୟିତ୍ୱ ନେଇଥିବା ବେଳେ ସେମାନେ ବାଲିଆପାଳ ବାସଭବନକୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା କଥା ଦୁଇ ଭଉଣୀ କହିଛନ୍ତି ।

ଏହା ବି ପଢନ୍ତୁ- ଆଉ ନାହାନ୍ତି ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି

ବାପାଙ୍କ ଅସୁସ୍ଥତା କଥା କେବେ ବି ବୁଝିବା ପାଇଁ ଦୁଇ ଭଉଣୀ ଚେଷ୍ଟା କରିବା ବେଳେ ପ୍ରଥମ ପତ୍ନୀଙ୍କ ଦୁଇ ପୁଅ ଗାଳି ଗୁଲଜ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଘର କଳି ଘର ଭିତରେ ଥିବା ବେଳେ ଏବେ ସବୁ କଥା ପଦାରେ ପଡ଼ିଛି । ଜୟନାରାୟଣ ମହାନ୍ତି ଯେତେବେଳେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେତେବେଳେ ଉଭୟ ଭଉଣୀ ବାପାଙ୍କ କଥା ବୁଝୁଥିଲେ ବୋଲି କହିଛନ୍ତି । ଏମିତି କି ବାପାଙ୍କ ଉଦ୍ଦେଶ୍ୟରେ ଏକ ପୂଜା କରିବା ପାଇଁ ପ୍ରଥମ ପତ୍ନୀଙ୍କ ଦୁଇ ପୁଅଙ୍କ ସହ ଆଲୋଚନା କରିବା ବେଳେ ଭଉଣୀମାନଙ୍କୁ ଦୁଇ ପୁଅ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏହାରି ଭିତରେ ଜୟନାରାୟଣ ମହାନ୍ତିଙ୍କ ମୃତ୍ୟୁ ହେବାପରେ ଦୁଇ ଭଉଣୀ ବାଲିଆପାଳ ଶେଷ ଦର୍ଶନ ପାଇଁ ଆସିଥିବା ବେଳେ ସେତେବେଳକୁ ତାଙ୍କର ଅନ୍ତିମ କ୍ରିୟା ଜାଣିଶୁଣି ସମାପନ କରାଯାଇଥିବା ଦୁଇ ଭଉଣୀ ଅଭିଯୋଗ କରିଛନ୍ତି । ଏମିତି କି ୯ ଦିନ ଠାରୁ ୧୧ ଦିନ ପର୍ଯ୍ୟନ୍ତ କରାଯାଉଥିବା କ୍ରିୟାରେ ଦୁଇ ଭଉଣୀଙ୍କୁ କୌଣସି ପ୍ରକାର ସାମିଲ କରାଯାଇ ନଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ଏଥିପାଇଁ ଦୁଇ ଭଉଣୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବାପାଙ୍କ ହକ ଦାବି କରିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ ଅପରପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ଆଜି ଜୟନାରାୟଣ ମହାନ୍ତିଙ୍କ ଏକାଦଶାହ ଥିବା ବେଳେ ଦୁଇ ଭଉଣୀଙ୍କୁ ଡାକରା ହୋଇ ନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ବାପାଙ୍କ ପରିଚୟ ଏବଂ ହକ୍‌ ଦାବି ପାଇଁ ଦୁଇ ଭଉଣୀ କୋର୍ଟଙ୍କ ଦ୍ୱାରସ୍ଥ ହେବାସହ DNA ପରୀକ୍ଷା ପାଇଁ ରାଜି ଥିବା କଥା କହିଛନ୍ତି । ତେବେ ବଡ ଘର ବଡ଼ ଗୁମର କଥା ଭଳି ଆଜି ଏକାଦଶାହ କ୍ରିୟା ସମୟରେ ଏମିତି ଏକ ଅଭିଯୋଗ ଆସିବା ଘଟଣା ବାସ୍ତବିକ ସମ୍ପର୍କ ଭିତରର ଫାଟକୁ ପ୍ରତିପାଦିତ କରୁଛି ।

ଇଟିଭି ଭାରତ, ବାଲେଶ୍ୱର

Last Updated :Jan 30, 2024, 8:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.