ETV Bharat / state

ଟ୍ରେନର ଭ୍ରମ ସୃଷ୍ଟି କରୁଛି ଖପରା ଘର; ଯିଏ ଦେଖୁଛି ପ୍ରଶଂସା କରୁଛି - Rourkela train themed house

author img

By ETV Bharat Odisha Team

Published : Mar 21, 2024, 5:20 PM IST

ଟ୍ରେନର ଭ୍ରମ ସୃଷ୍ଟି କରୁଛି ଖପରା ଘର
ଟ୍ରେନର ଭ୍ରମ ସୃଷ୍ଟି କରୁଛି ଖପରା ଘର

Rourkela House Train: ରାଉରକେଲା ଉପକଣ୍ଠ ଜାହିର ଟୋଲା ଗ୍ରାମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ହାଉସ ଟ୍ରେନ । ନିଜ ଘରକୁ ରଙ୍ଗ ଦେଇ ଅବିକଳ ଟ୍ରେନ ଭଳି ସଜାଇଛନ୍ତି ଗାଁର ଶ୍ୟାମଚରଣଙ୍କ ପରିବାର । ଅଧିକ ପଢନ୍ତୁ

ଟ୍ରେନର ଭ୍ରମ ସୃଷ୍ଟି କରୁଛି ଖପରା ଘର

ରାଉରକେଲା: ଆପଣ ଟ୍ରେନ ସଦୃଶ ଘର କେବେ ଦେଖିଛନ୍ତି କି ? ସେଭଳି କିଛି ଚିତ୍ର ଦେଖିବାକୁ ମିଳିଛି ରାଉରକେଲା ଉପକଣ୍ଠ ଲାଠିକଟା ବ୍ଲକ ଜାହିର ଟୋଲା ଗ୍ରାମରେ । ଏଠାରେ ଏମିତି ଏକ ନିଆରା ଘର ଅଛି, ଯାହାକି ଦୂରରୁ ଅବିକଳ ଟ୍ରେନ ଭଳି ଦିଶୁଛି । ଗାଁ ଭିତରେ ଏହି ଘରଟିକୁ ଦେଖିଲେ କେହି ବି କିଛି ସମୟ ପାଇଁ ଭ୍ରମରେ ପଡିଯିବ ତାହା ଘର କି ଟ୍ରେନ ! କିଛି ନୂଆ କରିବାର ଚିନ୍ତାକରି ନିଜ ଖପରା ଛପର ମାଟିଘରକୁ ଟ୍ରେନ ଭଳି ରଙ୍ଗ ଦେଇ ସଜାଇଛନ୍ତି ଏହି ଗ୍ରାମର ଶ୍ୟାମ ଚରଣଙ୍କ ପରିବାର । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତାଙ୍କର ଘର ଜାହିର ଟୋଲା ଗ୍ରାମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି ।

ଦୂରରୁ ଦେଖି ଲାଗୁଛି ଯେମିତି ଗାଁ ଭିତରେ ଟ୍ରେନ ଛିଡା ହୋଇଛି । କିନ୍ତୁ ପାଖକୁ ଆସିଲେ ଏହା କୌଣସି ଟ୍ରେନ ବା ବଗି ନୁହେଁ ବରଂ ଗୋଟିଏ ମାଟି ଘର ବୋଲି ଜଣାପଡୁଛି । ସମସ୍ତେ ନିଜ ନିଜ ଘରକୁ ଆକର୍ଷଣୀୟ ଭାବେ ସଜାଇବାକୁ ଭଲ ପାଆନ୍ତି । କିଏ ସୁନ୍ଦର ରଙ୍ଗ ବେରଙ୍ଗର ଚିତ୍ର ଆଙ୍କିଛି ତ କିଏ ବିଭିନ୍ନ ପ୍ରକାର ସାଜସଜ୍ଜା ସାମଗ୍ରୀରେ ନିଜ ଘରକୁ ଆକର୍ଷଣୀୟ ଓ ସୁନ୍ଦର କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଜାହିର ଟୋଲା ଗ୍ରାମର ଶ୍ୟାମଚରଣଙ୍କ ପରିବାର ଭିନ୍ନ ଧରଣର ଘର ସାଜସଜ୍ଜା କରିଛନ୍ତି । ଏହି ପରିବାରର ସବୁ ସଦସ୍ୟମାନେ ମିଳିମିଶି ସମ୍ପୂର୍ଣ୍ଣ ଘରକୁ ଟ୍ରେନର ରୂପ ଦେଇଛନ୍ତି । ଟ୍ରେନର ଝରକା ଭଳି ଏହାର ଝରକା ଅଙ୍କା ଯାଇଛି । ଏହି ଟ୍ରେନ ହାଉସର ନାମକରଣ ମଧ୍ୟ କରାଯାଇଛି । ଏହାର ନାମ ଟାଟା-ଅଲ୍ଲେପି ଏକ୍ସପ୍ରେସ ରହିଛି । ସେହିପରି ଏଥିରେ ଟ୍ରେନ ସଂଖ୍ୟା 18189/18190 ଏବଂ ଦକ୍ଷିଣ ପୂର୍ବ ରେଳବାଇର ସିରିଏଲ ନମ୍ବର ମଧ୍ୟ ଅଙ୍କା ଯାଇଛି ।

ଏହା ମଧ୍ୟ ପଢନ୍ତୁ: ଇସ୍ପାତ ସହରରେ କାଗଜ ଫୁଲର ସମ୍ଭାର, ବାଟୋଇଙ୍କ ମନ ମୋହୁଛି


ଏହାକୁ ନେଇ ଘରଲୋକେ କହିଛନ୍ତି, ''ଆମେ ସାନ୍ତାଳ ଆଦିବାସୀ ସମ୍ପ୍ରଦାୟର । ପ୍ରତ୍ୟେକ ବର୍ଷ ସାନ୍ତାଳ ଆଦିବାସୀମାନେ ଦୀପାବଳି ସମୟରେ ଘର ସାଜ୍ଜସଜ୍ଜା କରନ୍ତି । ଘରକୁ ନୂଆ ରଙ୍ଗ ଦିଅନ୍ତି । ଗତ ଦୀପାବଳି ସମୟରେ ମଧ୍ୟ ଘର ସାଜସଜ୍ଜା ଆରମ୍ଭ ହୋଇଥିଲା । ପରିବାରର ଜଣେ ରେଳବାଇରେ ଚାକିରି କରୁଥିବାରୁ ଏହି ଘରକୁ ଏକ ଟ୍ରେନ ଢାଞ୍ଚାରେ ସୁନ୍ଦର ଭାବରେ ରଙ୍ଗ ଦେଇ ଆଙ୍କିବାକୁ ଚିନ୍ତା କରିଥିଲୁ । ଏହାପରେ ପୁରା ପୁରା ପରିବାର ମିଶି ଘରକୁ ରଙ୍ଗ ଦେଇଥିଲେ । ଏଥିପାଇଁ ୭ ଦିନ ସମୟ ଲାଗିଥିଲା ।''

ବର୍ତ୍ତମାନ ଏହି ଘରକୁ ଦେଖିଲେ ଏହାକୁ କେହି ବି ମାଟି ଘର ବୋଲି କହିବା ଅସମ୍ଭବ । ଏହା ଟ୍ରାକରେ ଛିଡା ହୋଇଥିବା ଏକ ଅବିକଳ ଟ୍ରେନ ଭଳି ପରିଲକ୍ଷିତ ହେଉଛି । ଗ୍ରାମବାସୀ ଏବଂ ବାହାରୁ ଆସୁଥିବା ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଛି ଏହି ଟ୍ରେନ ହାଉସ । ଯିଏ ବି ଦେଖୁଛି ଏହି ପରିବାରର ନିଆରା କଳାକୃତିର ପ୍ରଶଂସା କରୁଛି । ଏହି ଟ୍ରେନ ସଦୃଶ ଘର ଜାହିର ଟୋଲା ଗାଁର ନୂଆ ପରିଚୟ ହୋଇଛି କହିଲେ ଚଳେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.