ETV Bharat / state

ସର୍ବଦଳୀୟ ବୈଠକ; ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କଲେ ସିଇଓ - ALL PARTY MEETING

author img

By ETV Bharat Odisha Team

Published : May 17, 2024, 9:44 PM IST

All party Meeting: ସିଇଓ ଡାକିଲେ ସର୍ବଦଳୀୟ ବୈଠକ । ଚଳିତ ନିର୍ବାଚନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢ଼ନ୍ତୁ

CEO held all party Meeting
CEO held all party Meeting (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ସରିଛି । ଆସନ୍ତା ୨୦ ତାରିଖରେ ପଡ଼ିବ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ୫ ଲୋକସଭା ଆସନ ସହିତ ଏହା ଅଧୀନ ୩୫ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ହେବ ନିର୍ବାଚନ । ଏହା ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ବିଭିନ୍ନ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରିଛନ୍ତି । ଚଳିତ ନିର୍ବାଚନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେହିଭଳି ସଖୀ ବୁଥରେ ସମସ୍ତ ରାଜନୈତିକ ଦଳ ମହିଳା ପୋଲିଂ ଏଜେଣ୍ଟ ଦେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି ।

ବୈଠକ ପ୍ରାରମ୍ଭରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସ୍ବାଗତ ଜଣାଇଥିଲେ । ଏହା ସହ ଚତୁର୍ଥ ପର୍ଯ୍ୟାୟ (ରାଜ୍ୟରେ ପ୍ରଥମ) ନିର୍ବାଚନରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ଉତ୍ସାହ ମଧ୍ୟରେ ହୋଇଥିବା ମତଦାନ ବିଷୟରେ ସୂଚିତ କରିଥିଲେ । ଏହି ପର୍ଯ୍ୟାୟରେ ହାରାହାରି ମତଦାନ ହାର ୭୫.୬୮ ପ୍ରତିଶତ ଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସ୍ବାଭିମାନ ଅଞ୍ଚଳଠୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ କିପରି ସବୁବର୍ଗର ମତଦାତା ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିଲେ ସେ ବିଷୟରେ ଅବଗତ କରାଇଛନ୍ତି ।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ହୋଇଥିବା ପ୍ରାକ-ନିର୍ବାଚନୀ ହିଂସା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଚିନ୍ତା ପ୍ରକଟ କରିଛନ୍ତି । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । କୌଣସି ପ୍ରକାରର ଆଇନଶୃଙ୍ଖଳା ପରିସ୍ଥିତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି । ଏହି ବିଷୟରେ ଭାରତ ନିର୍ବାଚନ ଆୟୋଗ ଉଦବେଗ ପ୍ରକାଶ କରିଥିବା ଜଣାଇଛନ୍ତି । ଏହି ଅବସରରେ ଶାନ୍ତିଶୃଙ୍ଖଳା ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦୁଝର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ CEO, ଅବାଧ ଭୋଟ ଗ୍ରହଣକୁ ଗୁରୁତ୍ବ - CEO Reviewed Election Preparations

ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସଖୀ ବୁଥରେ ମହିଳା ପୋଲିଂ ଏଜେଣ୍ଟ ଦେବା ପାଇଁ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଛନ୍ତି । ଏହାସହ ସମସ୍ତ ପୋଲିଂ ଏଜେଣ୍ଟମାନଙ୍କୁ ‘ପରିଚୟ ପତ୍ର’ ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି । ଏହି ଅବସରରେ ରାଜନୈତିକ ଦଳର ପ୍ରତିନିଧିମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସଦିଚ୍ଛା ଓ ଉଦ୍ୟମ ପାଇଁ ସାଧୁବାଦ ଜଣାଇବା ସହ ଆଦର୍ଶ ଆଚରଣ ବିଧିର ଅନୁପାଳନପୂର୍ବକ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ନେଇ ମତପ୍ରକାଶ କରିଛନ୍ତି । ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ପ୍ରସାଦ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.