ETV Bharat / state

ଚର୍ଚ୍ଚାରେ ଟୁଇଟର ବୟ ରାଜୀବ, ଟ୍ବିଟ ଜରିଆରେ ପ୍ରଶାସନକୁ ଜଣାଉଛନ୍ତି ଲୋକଙ୍କ ସମସ୍ୟା

author img

By ETV Bharat Odisha Team

Published : Feb 13, 2024, 9:42 PM IST

ଚର୍ଚ୍ଚାରେ ଟୁଇଟର ବୟ ରାଜୀବ, ଟ୍ବିଟ ଜରିଆରେ ପ୍ରଶାସନକୁ ଜଣାଉଛନ୍ତି ଲୋକଙ୍କ ସମସ୍ଯା
ଚର୍ଚ୍ଚାରେ ଟୁଇଟର ବୟ ରାଜୀବ, ଟ୍ବିଟ ଜରିଆରେ ପ୍ରଶାସନକୁ ଜଣାଉଛନ୍ତି ଲୋକଙ୍କ ସମସ୍ଯା

Twitter Boy Rajeev Lochan Das: ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କ୍ଷୀରକୋଣା ଗ୍ରାମର ରାଜୀବ ଲୋଚନ ଦାସ ଟୁଇଟର ସାହାଯ୍ୟରେ ଲୋକଙ୍କ ସମସ୍ୟାକୁ ପ୍ରଶାସନ ପାଖେ ଉପସ୍ଥାପିତ କରନ୍ତି । ସେସବୁରୁ 150ରୁ ଊର୍ଦ୍ଧ୍ଵ ସମସ୍ୟା ମଧ୍ୟ ସମାଧାନ ହୋଇ ସାରିଛି । ଅଧିକ ପଢନ୍ତୁ

ଚର୍ଚ୍ଚାରେ ଟୁଇଟର ବୟ ରାଜୀବ, ଟ୍ବିଟ ଜରିଆରେ ପ୍ରଶାସନକୁ ଜଣାଉଛନ୍ତି ଲୋକଙ୍କ ସମସ୍ଯା

ବାଲେଶ୍ବର: ସୋସିଆଲ ମିଡିଆ ଟ୍ବିଟର ସାହାଯ୍ୟରେ ଛାତ୍ର କରୁଛନ୍ତି ଲୋକଙ୍କ ସହାୟତା । ଲୋକଙ୍କ ସମସ୍ୟାକୁ ଟ୍ବିଟ କରି ପ୍ରଶାସନ ପାଖେ ଜଣାଉଛନ୍ତି ଛାତ୍ର । ଛାତ୍ର ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କ୍ଷୀରକୋଣା ଗ୍ରାମର ରାଜୀବ ଲୋଚନ ଦାସ । ରାଜୀବ ବର୍ତ୍ତମାନ ସେରଗଡ଼ ନିକଟରେ ଥିବା ଏକ କଲେଜରେ ବି ଫାର୍ମା ଶେଷ ବର୍ଷର ଛାତ୍ର ହୋଇଥିବା ବେଳେ ସୋସିଆଲ ମିଡ଼ିଆର ସଦୁପଯୋଗ କରି ସେ ଅସହାୟ ଲୋକଙ୍କ ମାଧ୍ୟମ ସାଜିଛନ୍ତି । ପ୍ରାୟ ପାଞ୍ଚ ଛଅ ମାସ ପୂର୍ବରୁ ଜାମୁଝାଡ଼ି ଅଞ୍ଚଳର ସୁଙ୍ଗୁଡ଼ା ଗ୍ରାମର ଅନିତା ସାହୁଙ୍କ ଘର ପୋଡି ଯାଇଥିବା ବେଳେ ତାଙ୍କୁ ମିଳିବାକୁ ଥିବା ସରକାରୀ ସହାୟତା ଯୋଗାଇଦେବା ପାଇଁ ସରକାରୀ କର୍ମଚାରୀ ଲାଞ୍ଚ ମାଗିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ରାଜୀବ ଟୁଇଟ ଜରିଆରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳଙ୍କୁ ଜଣାଇଥିଲେ ।

ଟୁଇଟ ପରେ ସଂପୃକ୍ତ ପରିବାରକୁ ଏକ ଲକ୍ଷ ପଚିଶ ହଜାର ଟଙ୍କା ସରକାରୀ ସହାୟତା ଯୋଗାଇ ଦିଆଯାଇଥିଲା । ବାସ ଏହି ଘଟଣା ପରେ ରାଜୀବଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଥିଲା । ଗୋଟିଏ ପରେ ଗୋଟିଏ କରି ପ୍ରାୟ 200ରୁ ଉର୍ଦ୍ଧ୍ଵ ସମସ୍ୟାକୁ ନେଇ ରାଜୀବ ଟୁଇଟ କରି ଚାଲିଛନ୍ତି । ସେସବୁରୁ 150ରୁ ଉର୍ଦ୍ଧ୍ଵ ସମସ୍ୟା ମଧ୍ୟ ସମାଧାନ ହୋଇ ସାରିଛି । ଠିକ ସେହିପରି କ୍ଷୀରକୋଣା ପଞ୍ଚାୟତ ମଝିଖଣ୍ଡି ଗ୍ରାମର ଯମୁନା ନାଥ ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେଉଥିଲେ । ଯମୁନା ଭତ୍ତା ଗଣ୍ଡାକ ପାଇବା ପାଇଁ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀଙ୍କ ଯାଏ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ରାଜୀବ ଯମୁନାଙ୍କ ଏ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ, ଫାଇଭ ଟି ଅଧ୍ୟକ୍ଷ, ଜିଲ୍ଲାପାଳଙ୍କୁ ଟୁଇଟ ମାଧ୍ୟମରେ ଜଣାଇବା ପରେ ଯମୁନାଙ୍କୁ ବାକି ଟଙ୍କା ସହ ଏକାଥରକେ ସମସ୍ତ ଭତ୍ତା ଟଙ୍କା ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ ... ପାନୀୟ ଜଳ ପାଇଁ ହିନସ୍ତା ପଞ୍ଚାୟତବାସୀ, କେବେ ସମସ୍ୟାର ସମାଧାନ କରିବ ପ୍ରଶାସନ?

ଏନେଇ ଯମୁନା ମଧ୍ୟ ରାଜୀବଙ୍କ ଏହି ଉଦ୍ୟମ ପାଇଁ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି । ସେହିପରି କେଉଁଠି ଅଯଥାରେ ପାଣି ନଷ୍ଟ ହେଉଛି ତ କେଉଁଠି ଦିବ୍ୟାଙ୍ଗ ବ୍ୟକ୍ତି ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ପୁଣି ଆଉ କେଉଁଠି ରାସ୍ତା ଅବସ୍ଥା ଶୋଚନୀୟ ହୋଇଛି । ଯାହା ବି ସମସ୍ୟା ତାଙ୍କ ନଜରରେ ଆସେ ସେସବୁ ରାଜୀବ ଟୁଇଟ ମାଧ୍ୟମରେ ସରକାରଙ୍କୁ ଜଣାଇ ସମାଧାନ ପାଇଁ ନିବେଦନ କରନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସେସବୁ ସମାଧାନ ମଧ୍ୟ ହୋଇଯାଏ । ଆଗାମୀ ଦିନରେ ରାଜୀବ ଏମିତି କାର୍ଯ୍ୟ ଜାରି ରଖିବେ ବୋଲି କହିଥିବା ବେଳେ ଲୋକଙ୍କ ସମସ୍ୟା ତାଙ୍କ ପାଇଁ ସମାଧାନ ହୋଇ ପାରୁଥିବାରୁ ସେ ବେଶ ଆତ୍ମସନ୍ତୋଷ ପାଉଥିବା କଥା କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.