ETV Bharat / state

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ, ମୃତ୍ୟୁକୁ ନେଇ ସସପେନ୍ସ

author img

By ETV Bharat Odisha Team

Published : Mar 18, 2024, 8:21 AM IST

ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତ ଦେହ
ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତ ଦେହ

Student died in Hostel: ଏକ ପ୍ରାଇଭେଟ ଟ୍ୟୁଟରାଲ୍ ହଷ୍ଟେଲରେ ରହି ପାଠ ପଢୁଥିବା ୧୧ ବର୍ଷୀୟ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଶୌଚାଳୟ ଭିତରୁ ଝୁଲନ୍ତା ଅବସ୍ଥାରେ ନାବାଳିକା ଛାତ୍ରୀଙ୍କ ମୃତଦେହ ମିଳିଛି । ପରିବାରଲୋକେ ଆଣିଲେ ହତ୍ୟା ଅଭିଯୋଗ ।

ମାଲକାନଗିରି: ଘରୋଇ ହଷ୍ଟେଲରୁ ମିଳିଲା ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ । ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ ପ୍ରାଇଭେଟ ଟ୍ୟୁଟରାଲ୍ ହଷ୍ଟେଲରେ ରହି ପାଠ ପଢୁଥିବା ୧୧ ବର୍ଷୀୟ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ହଷ୍ଟେଲ ପରିଚାଳକଙ୍କ କହିବା ଅନୁଯାୟୀ, ହଷ୍ଟେଲ ପରିସରରେ ଥିବା ଏକ ଶୌଚାଳୟ ଭିତରୁ ଝୁଲନ୍ତା ଅବସ୍ଥାରେ ନାବାଳିକା ଛାତ୍ରୀଙ୍କ ମୃତଦେହ ମିଳିଥିଲା ।

ମୃତ ଛାତ୍ରୀ ଜଣକ ହେଲେ କମଳା ମଣ୍ଡଳ । କମଳାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ହଷ୍ଟେଲ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛାତ୍ରୀଙ୍କର ଘର କାଲିମେଳା ଥାନା ଅନ୍ତର୍ଗତ ଏମପିଭି ୧୩୦ ଗ୍ରାମରେ । ସେ ଜୁନ୍ ୨୦୨୩ରୁ ଏଠାରେ ରହି ପାଠ ପଢୁଥିଲେ । ତେବେ ୧୧ ବର୍ଷର ନାବାଳିକା ଛାତ୍ରୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାରଲୋକେ । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ସତ ସାମ୍ନାକୁ ଆସିବ ।

ଏହା ମଧ୍ୟ ପଢ଼ନ୍ତୁ.... ଝାଡ଼ଖଣ୍ଡରେ ଓଡ଼ିଆ ଦାଦନ ଶ୍ରମିକ ମୃତ, ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛି ପରିବାର

ମୃତ ଛାତ୍ରୀଙ୍କ ମାମୁଙ୍କ କହିବା ଅନୁଯାୟୀ, ଗତ ୬ ମାସ ପୂର୍ବେ ଉକ୍ତ ହଷ୍ଟେଲର ପରିଚାଳକ ତାଙ୍କ ଭାଣିଜୀ ସହ ର୍ଦୁବ୍ୟବହାର କରିଥିଲେ । ଯାହାକୁ ନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ ହୋଇଥିଲା । ତେବେ ତାଙ୍କ ଭାଣିଜୀକୁ ମାରିଦିଆ ଯାଇଥିବା ସନ୍ଦେହ କରୁଥିବା ସେ କହିଛନ୍ତି । ମାଲକାନଗିରି ଜିଲ୍ଲାରେ ଏଭଳି ଅନେକ ବେଆଇନ ହଷ୍ଟେଲ ଖୋଲିଥିବା ବେଳେ ଉକ୍ତ ଗ୍ରାମରେ ମଧ୍ୟ ଏଭଳି ୭ଟି ହଷ୍ଟେଲ ରହିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ଅନ୍ୟପଟେ ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପୋଲିସର ତଦନ୍ତ ପରେ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.