ETV Bharat / state

ଚାରିଦିନ ଅନଶନ ପରେ ପହଞ୍ଚିଲା ପ୍ରଶାସନ, ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ

author img

By ETV Bharat Odisha Team

Published : Jan 23, 2024, 10:24 AM IST

ଧାରଣାରେ ସରପଞ୍ଚ
ଧାରଣାରେ ସରପଞ୍ଚ

Sarapancha holds hunger strike: ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ ଓ ପଞ୍ଚାୟତବାସୀଙ୍କ ପକ୍ଷରୁ ଧାରଣା ଓ ସାମୁହିକ ଆମରଣ ଅନଶନ ଦିଆଯାଇଛି । ଅଧିକ ପଢ଼ନ୍ତୁ

ଧାରଣାରେ ସରପଞ୍ଚ

କେନ୍ଦ୍ରାପଡ଼ା: ଜିଲ୍ଲାରେ ତେଜୁଛି ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଅଣଦେଖା କରିବା ଅଭିଯୋଗ । ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ ଓ ପଞ୍ଚାୟତବାସୀଙ୍କ ପକ୍ଷରୁ ଧାରଣା ଓ ସାମୁହିକ ଆମରଣ ଅନଶନ ଦିଆଯାଇଛି । ଦୀର୍ଘ 4 ଦିନ ଧରି ଧାରଣାରେ ବସିବା ପରେ ଶେଷରେ ଅନଶନକାରୀଙ୍କ ପାଖରେ ପହଞ୍ଚି ଆଲୋଚନା କରିଥିଲେ ପ୍ରଶାସନିକ ଅଧିକାରୀ । ଯାହାପରେ ସୋମବାର ବିଳମ୍ବିତ ରାତିରେ ଅନଶନକାରୀମାନେ ଧାରଣାରୁ ହଟିଛନ୍ତି । ତେବେ ଆଲୋଚନା ବେଳେ ମଧ୍ୟ ପ୍ରାଶାସନିକ ଅଧିକାରୀ ଓ ଅନଶନକାରୀଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିିଥିଲା ।

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ 4 ଦିନ ଧରି ଅହୋରାତ୍ର ଧାରଣାରେ ରାଜକନିକା ବ୍ଲକ କୋରନ୍ଦ ପଞ୍ଚାୟତର ଜନ ପ୍ରତିନିଧିମାନେ । ତିନି ଦିନ ଧରି ଆନ୍ଦୋଳନରେ ବସିବା ପରେ ଚତୁର୍ଥ ଦିନ ଏକ ଅଭିନବ ଉପାୟରେ ଧାରଣା ଦେଇଥିଲେ ଜନପ୍ରତିନିଧିମାନେ । ସୋମବାର ଦିନ ଅନଶନର ତରିକା ବଦଳିଥିବା ବେଳେ ଏହାକୁ ସହଜରେ ହଜମ କରିନପାରି ପ୍ରାଶାସନିକ ଅଧିକାରୀ ଅନଶନକାରୀଙ୍କ ନିକଟରେ ପହଞ୍ଚିଥିବା କୁହାଯାଉଛି। ସୋମବାର ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ କୋରନ୍ଦ ପଞ୍ଚାୟତର ଧାରଣାକାରୀମାନେ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଥିଲେ । ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କ ମାତୃ ବିୟୋଗ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡା ଜିଲ୍ଲାପାଳ ଯୋଗ ଦେଇଥିବା ବେଳେ ନିଜ କାର୍ଯ୍ୟାଳୟ ସମ୍ମୁଖରେ ଚାରିଦିନ ଧରି ଅହୋରାତ୍ର ଧାରଣା ଓ ଅନଶନକାରୀଙ୍କ ପାଖରେ ପହଞ୍ଚି ପାରୁନଥିବା ଲେଖା ଓ ଫଟୋଚିତ୍ର ଥିବା ଏକ ବ୍ୟାନର ଲଗାଇ ପ୍ରତିବାଦ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ରାଜ୍ୟପାଳ ଓ ୫T ଅଧ୍ୟକ୍ଷଙ୍କୁ ଭେଟିବେ ଜୁନିୟର ଶିକ୍ଷକ ଆଶାୟୀ, ୨୭ରୁ ପୁଣି ଆନ୍ଦୋଳନ ଚେତାବନୀ

ଯାହାପରେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ ଅନଶନକାରୀ ସରପଞ୍ଚ ଗୀତାଞ୍ଜଳି ସେଠୀ ଓ ପଞ୍ଚାୟତ ଲୋକଙ୍କ ପାଖରେ ପହଞ୍ଚି ଆଲୋଚନା ଆରମ୍ଭ କରିଥିଲେ । ଏହି ଆଲୋଚନାରେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥଶର୍ମା ମଧ୍ୟ ଭାଗ ନେଇଥିଲେ । ତେବେ ଆଲୋଚନା ସମୟରେ ଅତିରିକ୍ତ ଜିଲ୍ଲାପାଳ ଓ ପୂର୍ବତନ ବିଧାୟକଙ୍କ ମଧ୍ୟରେ କଥା କଟାକଟିକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାରିଦିନ ଧରି ଶୀତ କାକରରେ ବସିଥିବା ଦଳିତ ମହିଳା ଲୋକ ପ୍ରତିନିଧିଙ୍କୁ ପ୍ରଶାସନର ଏ କିପରି ସମ୍ମାନ ବୋଲି ପ୍ରଶ୍ନ କରିଥିଲେ ନାଥଶର୍ମା ଯେଉଁଥିପାଇଁ ହଠାତ କୌଣସି ଉତ୍ତର ନପାଇ ଅତିରିକ୍ତ ଜିଲ୍ଲାପାଳ ଏହି ପ୍ରସଙ୍ଗକୁ ବନ୍ଦ କରିବାକୁ କହିଥିଲେ । ସେ ଜଣେ ପୂର୍ବତନ ବିଧାୟକ ହୋଇଥିବା କାରଣରୁ ଓ ପ୍ରଶାସନ ଦ୍ୱାରସ୍ଥ ହୋଇଥିବାରୁ ପ୍ରଶାସନ ସେମାନଙ୍କ ସମସ୍ତ କଥା ଶୁଣିବାକୁ ବାଧ୍ୟ ବୋଲି କହିଥିଲେ ଆଳିର ପୂର୍ବତନ ବିଧାୟକ । ପରେ ଏନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.