ETV Bharat / state

ଆତଙ୍କ ଖେଳାଇଛି ଅଜଣା ରୋଗରେ ଗଡୁଛି ମୁଣ୍ଡ, ୩ ଦିନରେ ୩ ମୃତ

author img

By ETV Bharat Odisha Team

Published : Feb 4, 2024, 10:09 PM IST

ଆତଙ୍କ ଖେଳାଇଛି ଅଜଣା ରୋଗ
ଆତଙ୍କ ଖେଳାଇଛି ଅଜଣା ରୋଗ

Unknown Disease In Raygada: ରାୟଗଡ଼ାର କେ.କେରଳ ଗାଁରେ ଅଜଣା ରୋଗ ଆତଙ୍କ । ୩ ଦିନରେ ଗଲାଣି ୩ ଜଣଙ୍କ ଜୀବନ । ଅଧିକ ପଢ଼ନ୍ତୁ

ଆତଙ୍କ ଖେଳାଇଛି ଅଜଣା ରୋଗ

ରାୟଗଡ଼ା: ହଠାତ୍ ଜ୍ଵର ଆସୁଛି, ପରେ ଆରମ୍ଭ ହେଉଛି ଝାଡ଼ାବାନ୍ତି । ଆଉ ଏହାର କିଛି ସମୟ ମଧ୍ୟରେ ଶରୀରର ଅଙ୍ଗ ନିସ୍ତେଜ ହୋଇଯାଉଛି । ମୁହୂର୍ତ୍ତକେ ଜୀବନ ଚାଲିଯାଉଛି । ଏଭଳି ଅଜଣା ରୋଗରେ ଗତ ୩ ଦିନରେ ୩ ଜଣ ମୃତ୍ୟୁବରଣ କଲେଣି । ଅଜଣା ରୋଗ ଜୀବନ ନେବା ପରେ ଗାଁରେ ଦେଖାଦେଇଛି କୋକୁଆ ଭୟ । ଲୋକେ ଛାନିଆରେ ଜୀବନ ଅତିବାହିତ କରୁଛନ୍ତି । ଏଭଳି ଅଜଣା ରୋଗ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ୍ କୁଚେଇପଦର ପଞ୍ଚାୟତ କେ.କେରଳ ଗାଁରେ ।

କେବେ ରାୟଗଡ଼ାର କେ.କେରଳ ଗାଁ ସମେତ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି ଅଜଣା ରୋଗ । ଏହି ଅଜଣା ରୋଗରେ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ମୃତକମାନେ ହେଲେ ଖଗ ଝୋଡ଼ିଆ, ଅଭି ଝୋଡ଼ିଆ ଓ ବନ ଝୋଡ଼ିଆ । ଏହି ରୋଗର ଲକ୍ଷଣରେ କେ.କେରଳ ଗାଁର ଅନ୍ୟ ୪ ଜଣ ଆକ୍ରାନ୍ତ ହୋଇ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଉଷାପଡ଼ା ଉତ୍କଳ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ଟିକିରି ସ୍ବାସ୍ଥ୍ୟକେନ୍ଦ୍ରରୁ ପୁନିଆ ଝୋଡ଼ିଆ(୭୦), ରଘୁନାଥ ଝୋଡ଼ିଆ(୪୦) ସୀତାରାମ ଲହରା (୨୮)ଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ ଏଚ୍)କୁ ସ୍ଥାନନ୍ତର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଅଜଣା ରୋଗରେ ଅସୁସ୍ଥ ୩୦ରୁ ଅଧିକ ଛାତ୍ରୀ, ହସ୍ପିଟାଲରେ ଚାଲିଛି ଚିକିତ୍ସା

ସେପଟେ ଟଙ୍କା ନଥିବାରୁ ରୋଗୀମାନେ ଡିଏଚ୍କୁ ଯିବା ପାଇଁ ରାଜି ହେଉନଥିବା ବେଳେ ଖବର ପାଇ ଦୋରାଗୁଡା ଆଇଆଇସି ବିଶ୍ଵବନ୍ଦିନୀ ବାଗ ଓ ରାୟଗଡ଼ା ଏସ୍‌ଡିପିଓ ରଶ୍ମି ରଞ୍ଜନ ସେନାପତି କେ.କେରଳରେ ପହଞ୍ଚି ସମ୍ପୃକ୍ତ ରୋଗୀଙ୍କ ପରିବାରକୁ ବୁଝାଇଥିଲେ । ଏଥିସହ ଆଇଆଇସି କିଛି ଟଙ୍କା ଦେବାପରେ ସେମାନେ ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯିବାକୁ ରାଜି ହୋଇଥିଲେ । ଗାଁରେ କାହିଁକି ଏଭଳି ରୋଗ ହେଉଛି ଏହାର କାରଣ କିଛି ଜଣାପଡ଼ିନାହିଁ । ଏହି ଘଟଣା ଜଣାପଡ଼ିବା ପରେ ରାୟଗଡ଼ା ଓ କାଶୀପୁରରୁ ୨ଟି ମେଡିକାଲ ଟିମ କେ.କେରଳ ଗାଁରେ ପହଞ୍ଚିଛି ଗାଁ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛି । ଏହାସହ ରୋଗୀଙ୍କ ରକ୍ତ, ମଳ ଓ ମୁତ୍ର ନମୁନା ଓ ଗାଁ ଲୋକେ ବ୍ୟବହାର କରୁଥିବା ଜଳ ଉତ୍ସ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ପରୀକ୍ଷା ରିପୋର୍ଟ ମିଳିବା ପରେ ରୋଗର ପ୍ରକୃତ କାରଣ ଜଣାପଡ଼ିବ ଏବଂ ରୋଗର ନିଦାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧୁକାରୀ ଡାକ୍ତର ଲାଲମୋହନ ରାଉତରାୟ କହିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.