ETV Bharat / state

ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ନକଲି ମଦ ଜବତ, ଜଣେ ଗିରଫ - Duplicate Liquor seized

author img

By ETV Bharat Odisha Team

Published : Apr 17, 2024, 8:13 PM IST

ରାଉରକେଲାରୁ ନକଲି ମଦ ଜବତ
ରାଉରକେଲାରୁ ନକଲି ମଦ ଜବତ

Duplicate Liquor seized: ରାଉରକେଲାରୁ ଜବତ ହେଲା ପାଖାପାଖି 4 ଲକ୍ଷ ଟଙ୍କାର ନକଲି ମଦ । ଜଣେ ଗିରଫ । ଘଟଣାର ଖୋଳତାଡ ଆରମ୍ଭ କରିଛି ପୋଲିସ । ଅଧିକ ପଢ଼ନ୍ତୁ,

ରାଉରକେଲାରୁ ନକଲି ମଦ ଜବତ

ରାଉରକେଲା: ଅବକାରୀ ବିଭାଗକୁ ସଫଳତା । ନିର୍ବାଚନ ପୂର୍ବରୁ ଧରା ପଡିଲା ବିପୁଳ ପରିମାଣର ନକଲି ମଦ । ରାଉରକେଲାର ବଣାଇଗଡ଼ ଥାନା ଭାଙ୍ଗଡିହି ଗାଁରେ ନକଲି ମଦ କାରବାର ବେଳେ ଅବକାରୀ ବିଭାଗ ଚଢ଼ାଉ କରିଥିବା ସୂଚନା ମିଳିଛି । ଚଢ଼ାଉରେ ପାଖାପାଖି 4 ଲକ୍ଷ ଟଙ୍କାର ମଦ, ମଦ ପ୍ୟାକିଙ୍ଗ ସାମଗ୍ରୀ, ନକଲି ଇଏଲ ସାଙ୍ଗରେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ତେବେ ସେ ଝାଡଖଣ୍ଡରୁ ମଦ ଆଣି ସେଥିରେ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ବିକ୍ରି କରୁଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ବଣାଇଗଡ଼ ଥାନା ଭାଙ୍ଗଡିହି ଗାଁରେ ନକଲି ମଦ କାରବାର ହେଉଥିବା ରାଉରକେଲା ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ଆଜି ସକାଳେ ଉକ୍ତ ଗାଁରେ ଚଢ଼ାଉ ପାଇଁ ଯାଇଥିଲେ । ହେଲେ ସେହି ସମୟରେ ଗାଁ ପଡ଼ିଆରେ ଏକ କାର୍‌ରୁ ସ୍କୁଟିକୁ ମଦ ଟ୍ରାନ୍ସଫର ହେଉଥିବାର ଦେଖି ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଚଢ଼ାଉରେ ଅଭିଯୁକ୍ତ ମଦ ମାଫିଆ ବଳଭଦ୍ର ପାତ୍ରଙ୍କୁ ଗିରଫ କରିବା ସହିତ ତା’ ପାଖରୁ ନକଲି ମଦ, ଗୋଟିଏ କାର୍‌, ସ୍କୁଟି ଓ ମୋବାଇଲ୍‌ ଜବତ କରାଯାଇଛି । ଜବତ ହୋଇଥିବା ନକଲି ମଦର ମୂଲ୍ୟ ପାଖାପାଖି ୪ ଲକ୍ଷ ଅଧିକ ଟଙ୍କା ହେବ । ଏଥିସହ ମଦ ପ୍ୟାକିଙ୍ଗ ହେଉଥିବା ବୋତଲ, ବିଭିନ୍ନ କମ୍ପାନୀର ଲେବ୍‌ଲ, ଇଏଲ ସହ ଷ୍ଟିକର ପ୍ରମୁଖ ଜବତ କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ... ସାବଧାନ ! ରାଉରକେଲାରେ ମାତିଛନ୍ତି ଅଳଙ୍କାର ସଫେଇ ଚୋର - Thieves Escaped In Rourkela

ରାଉରକେଲା ଅବକାରୀ ବିଭାଗ କହିବା ଅନୁସାରେ ବଳଭଦ୍ର ପାତ୍ର ଝାଡ଼ଖଣ୍ଡରୁ ନକଲି ମଦ ଆଣି ଏଠାରେ ଅନ୍ୟାନ୍ୟ ସାମଗ୍ରୀ ମିଶ୍ରଣ କରୁଥିଲା । ତା’ପରେ ବୋତଲରେ ଭର୍ତ୍ତି କରି ଷ୍ଟିକରିଂ କରିବା ପରେ ବିଭିନ୍ନ ହୋଟେଲ୍‌ ଓ ଢ଼ାବାକୁ ଯୋଗାଉଥିଲା । ଏହି ମଦ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ଢ଼ାବାକୁ ଯାଇଥିବା ଅଭିଯୁକ୍ତ ସ୍ୱୀକାର କରିଛି । ତେବେ ଏହିଭଳି ନକଲି ମଦ କାରବାର କିଛି ନୂଆ କଥା ନୁହେଁ । ତେବେ ଆଗକୁ ନିର୍ବାଚନ ଆସୁଥିବା ବେଳେ ଏହିଭଳି ଅସାମାଜିକ ଗତିବିଧିକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଜିଲ୍ଲାରେ ଶୃଙ୍ଖଳିତ ଭାବରେ ନିର୍ବାଚନ କରାଇବା ପାଇଁ ପୋଲିସ ପକ୍ଷରୁ ଚେଷ୍ଟା କରାଯାଉଛି । ସେଥିପାଇଁ ଅନେକ ଅଞ୍ଚଳରେ ୱାରେଣ୍ଟ ଥିବା ଅପରାଧିଙ୍କୁ ଧରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.