ETV Bharat / sports

ଜୟପୁରରେ କୋହଲିଙ୍କ 'ୱାନ୍‌ ମ୍ୟାନ୍‌ ଶୋ', ୮ମ ଶତକ ସହ ପୂରଣ କଲେ ୭୫୦୦ ରନ - Virat Kohli hits 8th Ton

author img

By ETV Bharat Odisha Team

Published : Apr 6, 2024, 10:43 PM IST

Virat Kohli
Virat Kohli

Virat Kohli hits 8th Ton: ରାଜସ୍ଥାନ ବିପକ୍ଷରେ କୋହଲିଙ୍କ ୱାନ୍‌ ମ୍ୟାନ୍‌ ଶୋ । ଆର୍‌ସିବିର ୧୮୩ ରନରୁ ଏକାକୀ କୋହଲି ମାରିଲେ ୧୧୩ । ୮ମ ଆଇପିଏଲ୍‌ ଶତକ ସହ ପୂରଣ କଲେ ୭୫୦୦ ଆଇପିଏଲ୍‌ ରନ । ଅଧିକ ପଢ଼ନ୍ତୁ

ଜୟପୁର (ରାଜସ୍ଥାନ): ଆଇପିଏଲ୍‌ ୨୦୨୪ରେ ଆଜି ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) । ଏହି ମ୍ୟାଚ୍‌ରେ ଚଳିତ ସିଜିନ୍‌ର ପ୍ରଥମ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏହି ସିଜିନରେ ପ୍ରଥମ ମ୍ୟାଚ୍‌ରୁ ହିଁ ବେଶ ଭଲ ଲୟରେ ନଜର ଆସିଛନ୍ତି କୋହଲି । ତେବେ ଆଜିର ଶତକୀୟ ପାଳି ପରେ କୋହଲିଙ୍କ ନାମରେ ଏକାଧିକ ଐତିହାସିକ ରେକର୍ଡ ଯୋଡ଼ି ହୋଇଛି । ଆଇପିଏଲ୍‌ରେ ଏହା କୋହଲିଙ୍କର ୮ମ ଶତକ ଥିଲା । ଯାହା ଅନ୍ୟ କୌଣସି ବ୍ୟାଟର କରିପାରିନାହାନ୍ତି । ସେହିଭଳି ପ୍ରଥମ ବ୍ୟାଟର ଭାବେ ଏହି ଲିଗ୍‌ରେ ୭,୫୦୦ ରନ ପୂରଣ କରିଛନ୍ତି କିଙ୍ଗ୍‌ କୋହଲି । ଚଳିତ ସିଜିନ୍‌ରେ ଅରେଞ୍ଜ କ୍ୟାପ୍‌ ମଧ୍ୟ କୋହଲି ନିଜ ପାଖରେ ରଖିଛନ୍ତି ।

ରାଜସ୍ଥାନର ଜୟପୁରରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିଲା ଆର୍‌ସିବି । ମ୍ୟାଚ୍‌ ପୂର୍ବରୁ ୭,୫୦୦ ରନ ଠାରୁ କେବଳ ୩୪ ରନ ଦୂରରେ ରହିଥିଲେ ବିରାଟ । ଆଇପିଏଲ୍‌ର ୨୪୨ ତମ ମ୍ୟାଚ୍‌ରେ ଏହି ରେକର୍ଡ ହାସଲ କରିଛନ୍ତି କିଙ୍ଗ କୋହଲି । ସବୁଠାରୁ ବଡ଼ କଥା ହେଉଛି ଆଇପିଏଲ୍‌ରେ ସବୁଠାରୁ ଅଧିକ ରନ କରିଥିବା କୋହଲି ଏହି ସମସ୍ତ ରନ କେବଳ ଆର୍‌ସିବି ପାଇଁ ହିଁ କରିଛନ୍ତି । କାରଣ ୨୦୦୮ ମସିହାରେ ଆଇପିଏଲ୍‌ର ପ୍ରଥମ ସଂସ୍କରଣରୁ ହିଁ ଏହି ଗୋଟିଏ ଫ୍ରାଞ୍ଚାଇଜ୍‌ ପାଇଁ ଖେଳୁଛନ୍ତି କୋହଲି । ଜୟପୁରରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୋହଲି ପ୍ରଥମେ ନିଜ ଆଇପିଏଲ୍‌ କ୍ୟାରିୟରର ୫୩ତମ ଅର୍ଦ୍ଧଶତକ ହାସଲ କରିଥିଲେ । କୋହଲି ମଧ୍ୟ ଏହି ଲିଗ୍‌ରେ ଭାରତୀୟ ବ୍ୟାଟର ଭାବେ ସର୍ବାଧିକ ଅର୍ଦ୍ଧଶତକ କରିଛନ୍ତି । ସ୍ଲୋ ୱିକେଟ୍‌ରେ ବ୍ୟାଟିଂ ଆରମ୍ଭ କରି ୩୯ ବଲରୁ ନିଜ ୫୩ତମ ଆଇପିଏଲ୍‌ ଅର୍ଦ୍ଧଶତକ ହାସଲ କରିଥିଲେ କିଙ୍ଗ କୋହଲି ।

ଏହା ମଧ୍ୟ ପଢ଼ନ୍ତୁ...ଦ୍ବିତୀୟ ବିଜୟ ପାଇଁ ସଂଘର୍ଷ କରିବ RCB, ବିଜୟ ଧାରା ବଜାୟ ଲକ୍ଷ୍ୟରେ ରାଜସ୍ଥାନ - IPL 2024

ଆଇପିଏଲ୍‌ରେ ସର୍ବାଧିକ ରନ କରିବାରେ କୋହଲି (୭,୫୦୦)ଙ୍କ ପରେ ଦ୍ବିତୀୟରେ ଅଛନ୍ତି ପଞ୍ଜାବ କିଙ୍ଗସ୍‌ର ଅଧିନାୟକ ଶିଖର ଧାୱନ । ସେ ନିଜ ଆଇପିଏଲ୍‌ କ୍ୟାରିୟରରେ ୨୨୧ ମ୍ୟାଚ୍‌ ଖେଳି ୬,୭୫୫ ରନ କରିଛନ୍ତି । ଅର୍ଥାତ ବିରାଟ କୋହଲି ଆଇପିଏଲ୍‌ରେ ଏକମାତ୍ର ଖେଳାଳି, ଯିଏ ୭ ହଜାରରୁ ଅଧିକ ରନ କରିଛନ୍ତି । ସେହିପରି ୧୮୦ଟି ମ୍ୟାଚ୍‌ ଖେଳି ୬,୫୪୫ ରନ ସହିତ ଏହି ତାଲିକାରେ ତୃତୀୟରେ ରହିଛନ୍ତି ଅଷ୍ଟ୍ରେଲିୟ ବ୍ୟାଟର ଡେଭିଡ ୱାର୍ଣ୍ଣର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.