ETV Bharat / sports

ପାଓ୍ବାର ପ୍ଲେରେ ପାଓ୍ବାର ଦେଖାଇଲା ହାଇଦ୍ରାବାଦ, ଦେଖନ୍ତୁ ରେକର୍ଡ ତାଲିକା - IPL 2024

author img

By ETV Bharat Odisha Team

Published : Apr 21, 2024, 8:20 AM IST

Etv Bharat
Etv Bharat

IPL 2024: ଆଇପିଏଲର 35ତମ ମ୍ୟାଚରେ ରେକର୍ଡ ପରେ ରେକର୍ଡ କଲା ହାଇଦ୍ରାବାଦ । T20ରେ ସର୍ବାଧିକ ଥର 250ରୁ ଊର୍ଦ୍ଧ୍ବ ରନ କଲା ଦଳ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ସିଜିନରେ ହାଇଦ୍ରାବାଦର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଛି । ଗତ ସିଜିନରେ ଦଳ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରି ଫ୍ୟାନ୍ସଙ୍କୁ ନିରାଶ କରିଥିବା ବେଳେ ଚଳିତ ସିଜିନରେ କିନ୍ତୁ ସମ୍ପୂର୍ଣ୍ଣ ଓଲଟା । ଗୋଟିଏ ପରେ ଗୋଟିଏ ମ୍ୟାଚରେ ସର୍ବାଧିକ ରନ କରି ପଡିଆରେ ଆତଙ୍କ ଖେଳାଇବା ସହ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖୁଛି । ଏଥିରେ ନୂଆ ନୂଆ ରେକର୍ଡ ନିଜ ନାମରେ ମଧ୍ୟ କରୁଛି ଦଳ । ଚଳିତ ସିଜିନରେ ଦଳ 3ଥର 250 ରନ ଦଳୀୟ ସ୍କୋର କରିବା ସହ ଗୋଟିଏ ମ୍ୟାଚରେ ସର୍ବାଧିକ ରନ ରେକର୍ଡ ମଧ୍ୟ ନିଜ ନାମରେ କରିଛି । ଆଇପିଏଲର 35ତମ ମ୍ୟାଚରେ ଦିଲ୍ଲୀକୁ ହରାଇବା ସହ ପ୍ଲେ ଅଫରେ ଦଳ କୌଣସି ଓ୍ବିକେଟ ନହରାଇ 125 ରନ କରିଛି । ଯାହା ଆଇପିଏଲ ଇତିହାସରେ ପ୍ରଥମ ।

ଆଇପିଏଲରେ ସର୍ବାଧିକ ଥର 250 ପ୍ଲସ ରନ: ହାଇଦ୍ରାବାଦ ଟିମ ଚଳିତ ଆଇପିଏଲରେ 4ଟି ମ୍ୟାଚରେ 250ରୁ ଊର୍ଦ୍ଧ୍ବ ରନ କରିଛି । ପୂର୍ବରୁ ବେଙ୍ଗାଲୁରୁ ବିପକ୍ଷରେ ଖେଳି ଦଳ 3 ଓ୍ବିକେଟରେ 287 ରନ କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ 3 ଓ୍ବିକେଟ ହରାଇ 277 ରନ କରିଥିଲା । ସେହିପରି କେକେଆର ବିପକ୍ଷରେ 7 ଓ୍ବିକେଟ ହରାଇ 272 ରନ କରିଥିଲା । ଗତକାଲି ଦିଲ୍ଲୀ ବିପକ୍ଷ ମ୍ୟାଚରେ 7 ଓ୍ବିକେଟ ହରାଇ 266 ରନ କରିଥିଲା ହାଇଦ୍ରାବାଦ ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ବୋଲରଙ୍କୁ ପାଣି ପିଆଇଲେ ଟ୍ରାଭିସ-ଅଭିଷେକ, ଘରୋଇ ମାଟିରେ ହାରିଲା ଡିସି - IPL 2024

ଟି 20ରେ ପାଓ୍ବାର ପ୍ଲେରେ ସର୍ବାଧିକ 125 ରନ: ଗତକାଲି ଆଇପିଏଲରେ ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିଥିଲା । ଓପନିଂ ଯୋଡି ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ପାଓ୍ବାର ପ୍ଲେରେ ପାଓ୍ବାର ଦେଖାଇଥିଲେ ଓପନର । 5 ଓଭରରେ ଦଳ 100 ରନ କରିଥିବା ବେଳେ 6 ଓଭରରେ 125 ରନ କରିଥିଲା । ଯାହା ଆଇପିଏଲ ପାଓ୍ବାର ପ୍ଲେରେ ସର୍ବାଧିକ ରନ ଓ T20ରେ ମଧ୍ୟ । 2017 ଆଇପିଏଲ ସିଜିନରେ କୋଲକାତା ଓ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ପାଓ୍ବାର ପ୍ଲେରେ 105 ରନ କରିଥିଲା କେକେଆର । 2014ରେ ପଞ୍ଜାବ ବିପକ୍ଷରେ ଚେନ୍ନାଇ ମ୍ୟାଚ ଖେଳି ପାଓ୍ବାର ପ୍ଲେରେ 2 ଓ୍ବିକେଟ ହରାଇ 100 ରନ କରିଥିଲା ।

ପାଓ୍ବାର ପ୍ଲେରେ ସର୍ବାଧିକ ବ୍ୟକ୍ତି ଗତ ରନ: ଆଇପିଏଲର ଇତିହାସରେ ପାଓ୍ବାର ପ୍ଲେରେ ସର୍ବାଧିକ ବ୍ୟକ୍ତିଗତ ରନ ହାସଲ କରିବା ରେକର୍ଡ ସୁରେଶ ରାଇନାଙ୍କ ନାମରେ ରହିଛି । ସେ 2015 ଆଇପିଏଲରେ ପଞ୍ଜାବ ବିପକ୍ଷ ମ୍ୟାଚରେ ପାଓ୍ବାର ପ୍ଲେରେ 87 ରନ କରିଥିଲେ । ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଟ୍ରାଭିସ ହେଡ । ଦିଲ୍ଲୀ ବିପକ୍ଷ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି ଟ୍ରାଭିସ ହେଡ 32 ବଲରେ 89 ରନ କରିଥିଲେ । ପାଓ୍ବାର ପ୍ଲେରେ ସେ 84 ରନ କରିଥିଲେ । ତୃତୀୟ ସ୍ଥାନରେ ରହିଛନ୍ତି ଡେଭିଡ ଓ୍ବାର୍ଣ୍ଣର । ସେ 2019ରେ କୋଲକାତା ବିପକ୍ଷ ମ୍ୟାଚରେ ପାଓ୍ବାର ପ୍ଲେରେ ଅପରାଜିତ 62 ରନ କରିଥିଲେ ।

ଗୋଟିଏ ପାଳିରେ ସର୍ବାଧିକ ଛକା: ଚଳିତ ସିଜିନରେ ହାଇଦ୍ରାବାଦ ଗୋଟିଏ ପାଳିରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛି । ଗତକାଲି ଖେଳାଯାଇଥିବା ଦିଲ୍ଲୀ ବିପକ୍ଷ ମ୍ୟାଚରେ ଦଳ 22ଟି ଛକା ମାରିଛି । ଏହା ପୂର୍ବରୁ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ହାଇଦ୍ରାବାଦ 22ଟି ଛକା ମାରିଥିଲା । ନିଜ ରେକର୍ଡର ନିଜେ ସମକକ୍ଷ ହୋଇଛି ଦଳ । ପୂର୍ବରୁ ଏହି ରେକର୍ଡ ବେଙ୍ଗାଲୁରୁ ନାମରେ ଥିଲା । 2013 ଆଇପିଏଲରେ ଦଳ ଗୋଟିଏ ପାଳିରେ 21ଟି ଛକା ମାରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.