ETV Bharat / sports

ଷ୍ଟୋକ୍ସ ବାହିନୀକୁ ଧରାଶାୟୀ କଲେ ବୁମ୍‌ରା, ଭାଙ୍ଗିଲେ ଏକାଧିକ ରେକର୍ଡ

author img

By ETV Bharat Odisha Team

Published : Feb 3, 2024, 7:37 PM IST

ଷ୍ଟୋକ୍ସ ବାହିନୀକୁ ଧରାଶାୟୀ କଲେ ବୁମ୍‌ରା
ଷ୍ଟୋକ୍ସ ବାହିନୀକୁ ଧରାଶାୟୀ କଲେ ବୁମ୍‌ରା

Jasprit Bumrah records after taking 6 wickets: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା । ସେ କେବଳ ୪୫ ରନ ଖର୍ଚ୍ଚ କରି ୬ଟି ବହୁମୂଲ୍ୟ ୱିକେଟ୍‌ ଅକ୍ତିଆର କରିଛନ୍ତି । ଏହି ସଫଳତା ସହିତ ସେ ଏକାଧିକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ଅଧିକ ପଢ଼ନ୍ତୁ

ବିଶାଖାପାଟଣା: ଭାରତ ଓ ଇଂଲଣ୍ଡ ମଧ୍ୟରେ ବିଶାଖାପାଟଣାର ଡଃ ୱାଇଏସ୍‌ ରାଜଶେଖର ରେଡ୍ଡି ଷ୍ଟାଡିୟମରେ ଖେଳାଯାଉଛି ୨ୟ ଟେଷ୍ଟ ମ୍ୟାଚ୍‌ । ଏହି ମ୍ୟାଚ୍‌ର ଦ୍ବିତୀୟ ଦିନରେ ଇତିହାସ ରଚିଛନ୍ତି ଭାରତୀୟ ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା । ବୁମ୍‌ରା ଇଂଲଣ୍ଡର ପ୍ରଥମ ପାଳିରେ ଏକାକୀ ୬ ୱିକେଟ୍‌ ହାସଲ କରି ବ୍ରିଟିଶ ବ୍ୟାଟରଙ୍କୁ ଏକାକୀ ଧୂଳି ଚଟାଇବାରେ ସକ୍ଷମ ହୋଇଛନ୍ତି । ତାଙ୍କର ଏଭଳି ଘାତକ ପ୍ରଦର୍ଶନ ବଳରେ ୧୪୩ ରନ ପଛରେ ରହି ଇଂଲଣ୍ଡ ୨୫୩ ରନରେ ଏହାର ପ୍ରଥମ ଇନିଂସ୍‌ ଶେଷ କରିଛି । ଏହି ୬ ୱିକେଟ୍‌ ସଫଳତା ସହ ବୁମ୍‌ରା ଏକାଧିକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି ।

ବୁମ୍‌ରା ଭାଙ୍ଗିଲେ ଏକାଧିକ ରେକର୍ଡ: ଯଶ୍‌ପ୍ରୀତ ବୁମ୍‌ରା ଏହି ମ୍ୟାଚ୍‌ରେ ଇଂଲଣ୍ଡର ଭେଟେରାନ ମାନଙ୍କୁ ପାଭିଲିୟନ ଫେରାଇବାରେ ସକ୍ଷମ ହୋଇଥିଲେ । ସେ ଜୋ ରୁଟ୍‌, ଓଲି ପୋପ୍‌, ଜନି ବେୟାରଷ୍ଟୋ ଓ ବେନ୍‌ ଷ୍ଟୋକ୍ସଙ୍କ ଭଳି ବିସ୍ଫୋରକ ବ୍ୟାଟରଙ୍କୁ ଆଉଟ୍‌ କରି ଭାରତୀୟ ଦଳକୁ ମଜଭୁତ ସ୍ଥିତିରେ ରଖିବାରେ ସକ୍ଷମ ହୋଇଥିଲେ । ତେବେ ବୁମ୍‌ରା ନିଜ ଟେଷ୍ଟ କ୍ୟାରିୟରରେ ୧୦ମ ଥର ପାଇଁ ୫ ୱିକେଟ୍‌ ସଫଳତା ହାସଲ କରିଛନ୍ତି । ଆଜି ମ୍ୟାଚ୍‌ରେ ସେ ୫ମ ୱିକେଟ୍‌ ନେବା ମାତ୍ରେ ସେ ରବି ଶାସ୍ତ୍ରୀଙ୍କ ୧୫୧ ଟେଷ୍ଟ ୱିକେଟ୍‌ ରେକର୍ଡ ସହ ସମାନ ହୋଇଥିଲେ । ୬ଷ୍ଠ ୱିକେଟ୍‌ ନେଇ ଶାସ୍ତ୍ରୀଙ୍କୁ ପଛରେ ପକାଇଛନ୍ତି ବୁମ୍‌ରା ।

ଏହା ମଧ୍ୟ ପଢ଼ନ୍ତୁ...୨୫୩ରେ ସରିଲା ଇଂଲଣ୍ଡର ପ୍ରଥମ ପାଳି: ବୁମ୍‌ରାଙ୍କୁ ୬ ୱିକେଟ୍‌, ୧୭୧ ରନରେ ଆଗୁଆ ଭାରତ

ପୂରଣ କଲେ ୧୫୦ ଟେଷ୍ଟ ୱିକେଟ୍‌: ଇଂଲଣ୍ଡ ବିପକ୍ଷରେ ଆଜି ବୁମ୍‌ରା ୪ର୍ଥ ୱିକେଟ୍‌ ନେବା ମାତ୍ରେ ନିଜ ଟେଷ୍ଟ କ୍ୟାରିୟରର ୧୫୦ ତମ ୱିକେଟ୍‌ ପୂରଣ କରିଥିଲେ । ଭାରତ ପାଇଁ ୧୫୦ ଟେଷ୍ଟ ୱିକେଟ୍‌ ଅକ୍ତିଆର କରିବାରେ ବୁମ୍‌ରା ୧୭ତମ ବୋଲର ହୋଇଛନ୍ତି । ତାଙ୍କ ପୂର୍ବରୁ ଅନେକ ଭେଟେରାନ ବୋଲରଙ୍କ ନାମ ଏହି ତାଲିକାରେ ରହିଛି । ଏହା ସହିତ ବୁମ୍‌ରା ମଧ୍ୟ ସବୁଠାରୁ କମ ମ୍ୟାଚ୍‌ରେ ୧୫୦ ୱିକେଟ୍‌ ହାସଲ କରିଥିବା ଭାରତୀୟ ଦ୍ରୁତ ବୋଲର ହୋଇଛନ୍ତି । ସେ ଏହି ରେକର୍ଡ ହାସଲ କରିବା ପାଇଁ ୩୪ ମ୍ୟାଚ୍‌ ଖେଳିଛନ୍ତି । ଅନ୍ୟପଟେ ଭେଟେରାନ ଭାରତୀୟ ସ୍ପିନର ଅନୀଲ କୁମ୍ବଲେ ଓ ଏରାପଲ୍ଲି ପ୍ରଶନ୍ନ ମଧ୍ୟ ୩୪ ଲେଖାଏଁ ମ୍ୟାଚ୍‌ ଖେଳି ୧୫୦ ୱିକେଟ୍‌ ପୂରଣ କରିଥିଲେ । ରବୀନ୍ଦ୍ର ଜାଡେଜା ୩୨ ଓ ରବିଚନ୍ଦ୍ରନ ଅଶ୍ବିନ ୨୯ ମ୍ୟାଚ୍‌ରୁ ୧୫୦ ୱିକେଟ୍‌ ହାସଲ କରିବାର କୀର୍ତ୍ତିମାନ ରଚିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.