ETV Bharat / sports

୨୫୩ରେ ସରିଲା ଇଂଲଣ୍ଡର ପ୍ରଥମ ପାଳି: ବୁମ୍‌ରାଙ୍କୁ ୬ ୱିକେଟ୍‌, ୧୭୧ ରନରେ ଆଗୁଆ ଭାରତ

author img

By ETV Bharat Odisha Team

Published : Feb 3, 2024, 4:41 PM IST

Updated : Feb 3, 2024, 5:11 PM IST

୨୫୩ରେ ସରିଲା ଇଂଲଣ୍ଡର ପ୍ରଥମ ପାଳି
୨୫୩ରେ ସରିଲା ଇଂଲଣ୍ଡର ପ୍ରଥମ ପାଳି

IND vs ENG 2nd Test Day 2 Stumps: ବିଶାଖାପାଟଣାରେ ବୁମ୍‌ରାଙ୍କ ବିସ୍ଫୋରଣ । ଏକାକୀ ୬ ୱିକେଟ୍‌ ନେଇ ଭାଙ୍ଗିଦେଲେ ଇଂରାଜୀ ବ୍ୟାଟିଂ ଲାଇନ୍‌ ଅପ୍‌ । ୨୫୩ରେ ସରିଲା ଇଂଲଣ୍ଡର ପ୍ରଥମ ପାଳି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରି ୧୭୧ ରନ ଲିଡ୍‌ରେ ଭାରତ । ଅଧିକ ପଢ଼ନ୍ତୁ

ବିଶାଖାପାଟଣା: ପ୍ରଥମ ପାଳିରେ କେବଳ ୨୫୩ ରନରେ ଆଣ୍ଠେଇଲେ ଇଂଲଣ୍ଡ ବ୍ୟାଟର । ଏକାକୀ ୬ ୱିକେଟ୍‌ ସଫଳତା ହାସଲ କରି ପ୍ରତିପକ୍ଷ ବ୍ୟାଟରଙ୍କୁ ଧୂଳି ଚଟାଇଲେ ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା । ବିଶାଖାପାଟଣାରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଭାରତ ପ୍ରଥମ ପାଳିରେ ୩୯୬ ରନ କରିଥିଲା । ଜବାବରେ ଯଶପ୍ରୀତ ବୁମ୍‌ରାଙ୍କ ଘାତକ ବୋଲିଂ ଫଳରେ କେବଳ ୨୫୩ ରନରେ ଇଂଲଣ୍ଡର ପ୍ରଥମ ପାଳି ଶେଷ ହୋଇଛି । ତେବେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରି ୧୭୧ ରନ ଲିଡ୍‌ରେ ରହିଛି ଭାରତ ।

ଭାରତ ପ୍ରଥମ ପାଳି: ବିଶାଖାପାଟଣାରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଯଦିଓ ଦଳକୁ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ ଦେଇଥିଲେ, ରୋହିତ କେବଳ ୧୪ ରନ କରି ଆଉଟ୍‌ ହୋଇଥିଲେ । ତେବେ ପ୍ରଥମ ପାଳିରେ କୌଣସି ଭାରତୀୟ ବ୍ୟାଟର ଅର୍ଦ୍ଧଶତକ ମଧ୍ୟ ହାସଲ କରିବାରେ ସକ୍ଷମ ହୋଇନଥିଲେ । ହେଲେ ଏକାକୀ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ଦ୍ବିଶତକ କରି ଇଂଲଣ୍ଡ ବିପକ୍ଷରେ ଭାରତକୁ ଦୃଢ଼ ସ୍ଥିତିକୁ ନେଇଥିଲେ । ସେ ୨୯୦ ବଲରୁ ୧୯ ଚୌକା ଓ ୭ ଛକା ବଳରେ ୨୦୯ ରନ ସଂଗ୍ରହ କରିଥିଲେ । ଜୟସ୍ବାଲଙ୍କ ସହ ଅନ୍ୟାନ୍ୟ ଛୋଟ ଛୋଟ ଭାଗିଦାରୀ ବଳରେ ଭାରତ ପ୍ରଥମ ପାଳିରେ ୩୯୬ ରନ କରିବାରେ ସକ୍ଷମ ହୋଇଥିଲା ।

ଇଂଲଣ୍ଡ ପ୍ରଥମ ପାଳି: ଆଜି (ଶନିବାର) ଦ୍ବିତୀୟ ଦିନରେ ଭାରତ ଅଲ୍‌ ଆଉଟ୍‌ ହେବାପରେ ପ୍ରଥମ ପାଳି ବେଶ ଆକ୍ରାମକ ଭାବେ ଆରମ୍ଭ କରିଥିଲା ଇଂଲଣ୍ଡ । ଦଳ ପକ୍ଷରୁ ଏକାକୀ ଓପନର ଜ୍ୟାକ୍‌ କ୍ରାଓଲି ସର୍ବାଧିକ ୭୬ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ଅଧିନାୟକ ବେନ୍‌ ଷ୍ଟୋକ୍ସ ୪୭ ରନ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟର ୩୦ ରନ ମଧ୍ୟ କରିପାରିନଥିଲେ । ଫଳରେ ୨୫୩ରେ ସମସ୍ତ ୱିକେଟ୍‌ ହରାଇଛି ଇଂଲଣ୍ଡ । ଭାରତ ପ୍ରଥମ ପାଳିରେ ୩୯୬ ରନ କରିଥିବାବେଳେ ୧୪୩ ରନ ପଛରେ ରହିଯାଇଛି ଇଂଲଣ୍ଡ ।

ଏହା ମଧ୍ୟ ପଢ଼ନ୍ତୁ...ବିଶାଖାପାଟଣା ଟେଷ୍ଟ: ଭାରତ ପ୍ରଥମ ଇନିଂସ 396ରେ ଶେଷ, ଯଶସ୍ୱୀଙ୍କ ଦ୍ୱିଶତକ

ବୁମ୍‌ରାଙ୍କୁ ୬ ୱିକେଟ୍‌: ଭାରତ ପକ୍ଷରୁ ବେଶ ଘାତକ ବୋଲିଂ ଆଟାକ୍‌ ଦେଖିବାକୁ ମିଳିଥିଲା । ମହମ୍ମଦ ସିରାଜଙ୍କ ସ୍ଥାନରେ ଖେଳୁଥିବା ମୁକେଶ କୁମାରଙ୍କ ପ୍ରଦର୍ଶନ ପ୍ରଭାବହୀନ ରହିବାରୁ ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରାଙ୍କ କାନ୍ଧରେ ଅତ୍ୟଧିକ ଦାୟିତ୍ବ ରହିଥିଲା । ଆଉ ସେ ମଧ୍ୟ ସବୁ ଦାୟିତ୍ବକୁ ସଫଳ ଭାବେ ତୁଲାଇ ଏକାକୀ ଇଂଲଣ୍ଡ ବ୍ୟାଟିଂ ବିଭାଗକୁ ଧୂଳି ଚଟାଇବାରେ ସକ୍ଷମ ହୋଇଛନ୍ତି । ବୁମ୍‌ରା ୬ ୱିକେଟ୍‌ ସଫଳତା ହାସଲ କରି ଭାରତକୁ ଏହି ମ୍ୟାଚ୍‌ରେ ଆଗୁଆ କରାଇଛନ୍ତି । ଅନ୍ୟପଟେ ସ୍ପିନ୍‌ ବିଭାଗରୁ ବୁମ୍‌ରାଙ୍କୁ ଯଥେଷ୍ଟ ସାଥ ମିଳିଥିଲା । କୁଲଦୀପ ଯାଦବ ୩ଟି ଓ ଅକ୍ଷର ପଟେଲ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ ।

ଭାରତ ଦ୍ବିତୀୟ ପାଳି: ଇଂଲଣ୍ଡ ଠାରୁ ୧୪୩ ରନ ଲିଡ୍‌ ନେଇ ଦ୍ବିତୀୟ ପାଳି ଆରମ୍ଭ କରିଥିଲା ଟିମ୍‌ ଇଣ୍ଡିଆ । ଉଭୟ ଓପନର ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଦଳକୁ ଭଲ ଆରମ୍ଭ ଦେଇଛନ୍ତି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ପାଳିର ୧୪୩ ଲିଡ୍‌ ରନ ସହ ଦ୍ବିତୀୟ ପାଳିରେ ୨୮ ରନ ଯୋଡ଼ିଛି । ଅର୍ଥାତ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଠାରୁ ୧୭୧ ରନ ଆଗରେ ରହିଛି ଘରୋଇ ଦଳ । ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଉଭୟ ୩ଟି ଲେଖାଏଁ ଚୌକା ସହ ଯଥାକ୍ରମେ ୧୩ ଓ ୧୫ ରନ ସଂଗ୍ରହ କରି ପିଚ୍‌ରେ ମହଜୁଦ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 3, 2024, 5:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.