ETV Bharat / politics

ବିଜେଡି-ବିଜେପି ବିଫଳତା ନେଇ ସୁବର୍ଣ୍ଣପୁରରେ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର - Lok Sabha Election 2024

author img

By ETV Bharat Odisha Team

Published : May 14, 2024, 1:50 PM IST

Lok Sabha Election 2024: ବଲାଙ୍ଗୀର ଲୋକସଭା ଏବଂ ବିଧାନସଭା ଆସନରେ ବିଜେଡି ଓ ବିଜେପିକୁ ମାତ୍ ଦେବାକୁ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଲୋକଙ୍କ ନିକଟତର ହେଉଛନ୍ତି ପ୍ରାର୍ଥୀ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ବିଜେଡି-ବିଜେପି ବିଫଳତା ନେଇ ସୁବର୍ଣ୍ଣପୁରରେ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର (ETV Bharat Odisha)

ସୁବର୍ଣ୍ଣପୁର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଉ 5 ଦିନ ପରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଜୋରସୋରରେ ଚାଲିଛି ପ୍ରଚାର । ୩ଟି ପ୍ରମୁଖ ଦଳର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ନିଜ ସପକ୍ଷରେ ଜନମତ କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ବିଜେଡି ଓ ବିଜେପିକୁ ମାତ୍ ଦେବାକୁ ଜୋରସୋରରେ ପ୍ରଚାର ଚଳାଇଛନ୍ତି ବଲାଙ୍ଗୀର ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ମିଶ୍ର ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପ୍ରିୟବ୍ରତ ସାହୁ । ଉଭୟ ପ୍ରାର୍ଥୀ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର, ରାଜ୍ୟରେ ବିଜେଡି ସରକାରର ବିଫଳତା ଏବଂ ପୂର୍ବରୁ କଂଗ୍ରେସ ସରକାରର ସଫଳତା ଓ ଆଗାମୀ ଦିନର କାର୍ଯ୍ୟାବଳୀକୁ ନେଇ ଲୋକଙ୍କ ନିକଟତର ହେଉଛନ୍ତି ।

ଗତ 2014 ଓ 2019 ନିର୍ବାଚନରେ ଏହି ଦୁଇ ଲୋକସଭା ଓ ବିଧାନସଭା ଆସନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା । 2014 ନିର୍ବାଚନରେ ବଲାଙ୍ଗୀର ଲୋକସଭା ଆସନ ବିଜେଡି ହାତରେ ଥିବାବେଳେ 2019ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ସେହିପରି ସୋନପୁର ଆସନ ଲଗାତର ତିନି ଥର ଧରି ବିଜେଡି କବ୍‌ଜାରେ ରହିଆସିଛି । ନିର୍ବାଚନ ମଣ୍ଡଳୀ ପୁନଃଗଠନ ପରେ ଚଳିତ ଥରର ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ୩ ଥର ନିର୍ବାଚିତ ହୋଇଆସିଥିବାବେଳେ ରାଜ୍ୟ କ୍ୟାବିନେଟର ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଦୁଇ ଦୁଇ ଥର ରାଜ୍ୟ ବିଧାନସଭା ବାଚସ୍ପତି ଭାବେ ମଧ୍ୟ କାର୍ଯ୍ୟ ସଂପାଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଠମଲ୍ଲିକରେ ଧର୍ମେନ୍ଦ୍ରଙ୍କ ପ୍ରଚାର, ରାଜ୍ୟ ସରକାରଙ୍କୁ ସମାଲୋଚନା - Dharmendra Pradhan Campaign

ନିରଞ୍ଜନ ପୂଜାରୀ ଜଣେ ପୁରୁଖା ନେତା ଭାବେ ଜିଲ୍ଲାରେ ପରିଚିତ ଥିବାବେଳେ ତାଙ୍କୁ ମାତ୍ ଦେବା ପାଇଁ କଂଗ୍ରେସ ପ୍ରିୟବ୍ରତ ସାହୁଙ୍କୁ ପ୍ରାର୍ଥୀ କରିଛି । ସେପଟେ ବୀରମହାରାଜପୁର ବିଧାନସଭା ଆସନରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପଦ୍ମନାଭ ବେହେରା ପୁଣିଥରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ବୀରମହାରାଜପୁର ଆସନ ପାଇଁ କଂଗ୍ରେସ ଯୁବନେତା ପ୍ରଦୀପ ସେଠୀଙ୍କୁ ପ୍ରାର୍ଥୀ କରିଛି । ତେବେ ଲଗାତର ଦୁଇଥର ବିଧାନସଭା ଓ ଲୋକସଭା ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିବା ବେଳେ ଏଥର କିନ୍ତୁ ବିଜେପି ବିଜେଡିକୁ କଡା ଟକ୍କର ଦେବା ପାଇଁ ଜୋରସୋରରେ ଉଦ୍ୟମ କରୁଛି ।

ପ୍ରାର୍ଥୀମାନେ ଗାଁ ଗାଁ ଘର ଘର ବୁଲି ନିଜ ସପକ୍ଷରେ ସମର୍ଥନ ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ଧୂଆଁଧାର ନିର୍ବାଚନୀ ପ୍ରଚାର ଯୋଗୁଁ ଏଥର ତ୍ରିମୁଖୀ ଲଢେଇ ହେଉଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.