ETV Bharat / politics

ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, କହିଲେ 'ସୁରକ୍ଷା ଦେବାରେ ଫେଲ୍ ନବୀନ ସରକାର'

author img

By ETV Bharat Odisha Team

Published : Feb 29, 2024, 2:12 PM IST

Updated : Feb 29, 2024, 4:47 PM IST

Prasant jagdev
Prasant jagdev

Chilika MLA Prashant Jagdev Joins BJP: ବିଜେପିରେ ସାମିଲ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ପଦ୍ମ ଧରିଛନ୍ତି । ଅଧିକ ପଢନ୍ତୁ

ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର: ଯାହା ଅନୁମାନ କରାଯାଉଥିବା ତାହା ହିଁ ହେଲା । ପଦ୍ମ ଧରିଲେ ଚିଲିକା ବିଧାୟକ । ରାଜ୍ୟ ବିଜେପି ସହ ପ୍ରଭାରୀ ଲତା ଉସାଣ୍ଡି ଏବଂ ସାଂସଦ ଅପରାଜିତ ଷଡଙ୍ଗୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରଶାନ୍ତ ଜଗଦେବ । ପୂର୍ବରୁ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ସେ ପଦ୍ମ ଧରିଛନ୍ତି । ତାଙ୍କର ଉପସ୍ଥିତି ଆଗାମୀ ନିର୍ବାଚନରେ ଦଳକୁ ବଳ ଯୋଗାଇବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ଉପକୂଳ ଓଡ଼ିଶାର ଜଣେ ଟାଣୁଆ ଓ ବିବାଦୀୟ ବାହୁବଳୀ ନେତା ଭାବେ ପରିଚିତ ପ୍ରଶାନ୍ତ ଜଗଦେବ । ବିଜୁ ପଟ୍ଟନାୟକଙ୍କୁ ଆଦର୍ଶ କରି ରାଜନୀତିରେ ପ୍ରବେଶ କରିଥଲେ ପ୍ରଶାନ୍ତ । କେତେବେଳେ ବିରୋଧୀଙ୍କୁ ଆକ୍ରମଣ ତ ଆଉ କେତେବେଳେ ସର୍ବସାଧାରଣରେ ଅଶ୍ଳୀଳ ଭାଷା ପ୍ରୟୋଗ କରି ଚର୍ଚ୍ଚାରେ ରହିଛନ୍ତି । ଖାଲି ସେତିକି ନୁହେଁ ନିଜର ରାଜନୈତିକ ବିରୋଧୀଙ୍କୁ ଶାରୀରିକ ଆକ୍ରମଣ ସହ ଗାଡି ଚଢାଇ ହତ୍ୟା ଉଦ୍ୟମ ଅଭିଯୋଗ ମଧ୍ୟ ତାଙ୍କ ନାମରେ ରହିଛି । ଏଥିପାଇଁ ସେ ଆଇନଗତ ଓ ଦଳୀୟ କାର୍ଯ୍ୟାନୁଷ୍ଠାନର ମଧ୍ୟ ସମ୍ମୁଖୀନ ହୋଇଛନ୍ତି ।

ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି, "ମୁଁ ଆଜି ବିଜେପିରେ ଯୋଗ ଦେଇଛି । ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ମୁଁ ବିଜୁ ଜନତା ଦଳରେ ରହିଥିବା ସମୟରେ ମଧ୍ୟ ସମ୍ମାନ ଜଣାଉଥିଲି । ଭାରତବର୍ଷ ପାଇଁ ଏଭଳି ଏକ ପ୍ରଧାନମନ୍ତ୍ରୀଙ୍କର ଆବଶ୍ୟକତା ରହିଛି । ଏକଥା ମୁଁ ବାହାରକୁ ଜଣାଇ ପାରୁନଥିଲେ ମଧ୍ୟ ଅନ୍ତରରୁ ମୁଁ ପ୍ରଧାନମନ୍ତ୍ରୀଙ୍କ ସମ୍ମାନ କରେ । ସେ ଲୋକଙ୍କର ହିତ ପାଇଁ ଅନେକ ଜନମଙ୍ଗଳକାରୀ କାର୍ଯ୍ୟ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଜନସାଧାରଣଙ୍କୁ ପ୍ରଭାବିତ କରିଛି । ଆଗରୁ ନବୀନ ପଟ୍ଟନାୟଙ୍କ ପାଇଁ ଅନେକ କାର୍ଯ୍ୟ କରିଛି । ସେ ମଧ୍ୟ ମୋତେ ସମ୍ମାନ ଦେଇଛନ୍ତି । କିନ୍ତୁ ଆମ ମାନଙ୍କୁ ସୁରକ୍ଷା ଦେବା ପାଇଁ ନବୀନ ପଟ୍ଟନାୟକ ଆଜି ସେହି ଅବସ୍ଥାରେ ନାହାନ୍ତି । ବର୍ତ୍ତମାନ ସେ ରାଜନୀତିରୁ ନିବୃତ୍ତ ରହିବା ଦରକାର । ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ହେବାର ଆବଶ୍ୟକତା ରହିଛି ।"

ଏହା ମଧ୍ୟ ପଢନ୍ତୁ-Odisha Politics: ବିଜେପିରେ ସାମିଲ ହୋଇପାରନ୍ତି ପ୍ରଶାନ୍ତ; ଖୋର୍ଦ୍ଧାରେ ବିଗାଡିପାରେ ବିଜେଡି ଅଙ୍କ !

ଖୋର୍ଦ୍ଧା ଅଞ୍ଚଳର ବାସିନ୍ଦା ହେଉଛନ୍ତି ପ୍ରଶାନ୍ତ ଜଗଦେବ । ଜିଲ୍ଲାରେ ପ୍ରଶାନ୍ତଙ୍କ ଖୁବ ଦବଦବା ରହିଛି । 2014 ସାଧାରଣ ନିର୍ବାଚନରେ ସେ ବେଗୁନିଆରୁ ବିଜେଡି ଟିକେଟରେ ଲଢି ବିଜୟ ହାସଲ କରିଥିଲେ । 2019 ରେ ସେ ଚିଲିକା ଆସନରୁ ଲଢି ବିଜୟୀ ହୋଇଥିଲେ । ଦଳ କିମ୍ବା ଦଳୀୟ ଚିହ୍ନ ନୁହେଁ ବରଂ ନିଜସ୍ଵ ସଂଗଠନ ଓ ଅଞ୍ଚଳରେ ଲୋକପ୍ରିୟତା ଯୋଗୁଁ ସେ ବିଜୟ ହାସଲ କରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୁଏ ।

ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ପ୍ରଶାନ୍ତ: 2022 ମାର୍ଚ୍ଚ 12 ତାରିଖ ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍‌ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଫଳରେ ସାଧାରଣ ଜନତାଙ୍କ ସମେତ କିଛି ପୋଲିସ୍‌ କର୍ମଚାରୀ ଏଥିରେ ଗୁରୁତର ଆହତ ହୋଇଥିଲେ । ଏହାପରେ ଉତ୍ୟକ୍ତ ଲୋକମାନେ ବିଧାୟକଙ୍କୁ ତାଙ୍କ ଗାଡ଼ିରୁ ଟାଣି ଆଣି ମାଡ଼ ମାରିଥିଲେ । ଏହି ଘଟଣାରେ ଜେଲ ଯାଇଥିଲେ ପ୍ରଶାନ୍ତ । ପରେ ଅଗଷ୍ଟ 5 ତାରିଖରେ ନିୟମିତ ଜାମିନ ପାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated :Feb 29, 2024, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.