ETV Bharat / politics

ବିରୋଧୀଙ୍କ ସନ୍ଦେହ: ଅଧାରୁ ବିଧାନସଭା ବନ୍ଦ କରିଦେବେ ସରକାର

author img

By ETV Bharat Odisha Team

Published : Feb 1, 2024, 10:42 AM IST

Updated : Feb 1, 2024, 2:31 PM IST

ଓଡ଼ିଶା ବିଧାନସଭା ଅଧିବେଶନ
ଓଡ଼ିଶା ବିଧାନସଭା ଅଧିବେଶନ

Odisha Assembly Session: ଫେବୃଆରୀ ୫ରୁ ଓଡ଼ିଶା ବିଧାନସଭା ଅଧିବେଶନ । ତେବେ ସରକାର ଅଧାରୁ ବିଧାନସଭା ବନ୍ଦ କରିଦେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ କଲା ବିଜେପି । ଅଧିକ ପଢନ୍ତୁ

ଓଡ଼ିଶା ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଫେବୃଆରୀ ୫ରୁ ଆରମ୍ଭ ହେଉଛି ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ୧୩ ତାରିଖ ଚଳିତ ଅଧିବେଶନର ଶେଷ ଦିବସ ରହିଛି । କିନ୍ତୁ ବିଧାନସଭାକୁ ସରକାରୀ ଦଳ ଆଗୁଆ ବନ୍ଦ କରିଦେବେ ବୋଲି ସନ୍ଦେହ କରିଛନ୍ତି ବିରୋଧୀ ଦଳ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ, ଷୋଡଶ ବିଧାନସଭାର ଏହା ହେଉଛି ଶେଷ ଅଧିବେଶନ । ୮ ତାରିଖରେ ରାଜ୍ୟ ସରକାର କାମଚଳା ବଜେଟ ଆଣୁଛନ୍ତି । ଚଳିତ ଅଧିବେଶନରେ ମାତ୍ର ୭ ଦିନ ସରକାରୀ କାର୍ଯ୍ୟ ଦିବସ ଅଛି । ସେଥିରୁ ଦୁଇ ଦିନ ଅର୍ଥାତ ୧୨ ଓ ୧୩ ତାରିଖ ଶନିବାର ଓ ରବିବାର ପରେ ପଡୁଛି । ବିଧାନସଭାରେ ବିଜୁ ଜନତା ଦଳ ଅଧାରୁ ଉଠି ପଳାୟନପନ୍ଥୀ ସାଜନ୍ତି । ଅଧାରୁ ଗୃହ ବନ୍ଦ କରେଇଦେଇ ପଳାନ୍ତି । କେବଳ ଆପ୍ରୋପ୍ରିଏସନ ବିଲ ପାସ ହୋଇଗଲେ, ବିଧାନସଭା ବନ୍ଦ କରିଦିଅନ୍ତି । ଚଳିତ ଥର ମଧ୍ୟ ସେମିତି ଯୋଜନା ରହିଛି ।

ଏହା ମଧ୍ୟ ପଢନ୍ତୁ: ଫେବ୍ରୁଆରୀ ୫ରୁ ବିଧାନସଭା ବଜେଟ ଅଧିବେଶନ, ୮ରେ କାମଚଳା ବଜେଟ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସମସ୍ୟା ସମ୍ପର୍କିତ ପ୍ରସଙ୍ଗକୁ ବିଧାନସଭାରେ ଆଲୋଚନା କରିବା ପାଇଁ ଶାସକ ଦଳ ପଛ ଘୁଞ୍ଚା ଦେଇଥାଏ । ଶାସକ ଦଳର ସତ୍‌ସାହସ ନଥିବାରୁ ଏଥର ମଧ୍ୟ ବିଧାନସଭା ଅଧାରୁ ବନ୍ଦ କରିଦେଇ ପାଳୟନ ପନ୍ଥୀ ସାଜିବେ । ଓଡ଼ିଶାର ବିକାଶ ହେବନାହିଁ । ଯାହା ସେବା ଦେବା କଥା ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । କୌଣସି ବର୍ଷ ବଜେଟର ୫୦ ପ୍ରତିଶତରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରିନି । ଭୋଟ ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରିବେ । ଲୋକେ ଜାଣିଗଲେଣି । ତାଙ୍କୁ ଆଉ ଗ୍ରହଣ କରିବେ ନାହିଁ ।

ରାଜ୍ୟପାଳଙ୍କ ବାର୍ତ୍ତାରୁ ଆରମ୍ଭ କରି ଆପ୍ରୋପ୍ରିଏସନ ବିଲ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ୫ ବର୍ଷର ବିଫଳତା ଦେଖାଇବୁ । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଖୋଜାରେ ୫ ବର୍ଷ ଗଲା । ସରକାର ଚାରିଦ୍ୱାର ଖୋଲିପାରିଲେ ନାହିଁ । ଲୋକଙ୍କ ବିକାଶ କରିବାକୁ କହି ଯୋଜନା ଆରମ୍ଭ କରି ୬ ମାସରେ ବନ୍ଦ କରିଛନ୍ତି । ପ୍ରତି ଗାଁରେ ମଦ ଭାଟି ଖୋଲିବା ଛଡା ରାଜ୍ୟ ସରକାର କିଛି କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା । ତେବେ ବିଧାନସଭାର ଶେଷ ଅଧିବେଶନ ଲାଗି ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ୪ ତାରିଖ ସନ୍ଧ୍ୟା ୬.୩୦ରେ ଏହି ବୈଠକ ବସିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 1, 2024, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.