ETV Bharat / bharat

ନାବାଳକ ପୁଅ ଚଳାଇଲା ବାଇକ, 30 ହଜାର ଫାଇନ ଗଣିଲେ ମା’

author img

By ETV Bharat Odisha Team

Published : Feb 8, 2024, 10:33 PM IST

ନବାଳକକୁ ଗାଡି ଚଳାଇବାକୁ ଦେଇଥିବାରୁ 30 ହଜାର ଫାଇନ ଗଣିଲେ ମା’
ନବାଳକକୁ ଗାଡି ଚଳାଇବାକୁ ଦେଇଥିବାରୁ 30 ହଜାର ଫାଇନ ଗଣିଲେ ମା’

Shivamogga court imposed Fine: ନାବାଳକ ପୁଅକୁ ବାଇକ ଚଳାଇବାକୁ ଦେଇଥିବା ମହିଳା ଗଣିଲେ 30 ହଜାର ଟଙ୍କାର ଫାଇନ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ସଡକ ସୁରକ୍ଷା କ୍ଷେତ୍ରରେ ଏକାଧିକ ନିୟମ ରହିଛି । ହେଲେ ସଚେତନତା ଅଭାବ ଓ ବିଶୃଙ୍ଖଳିତ ମନୋଭାବ ପାଇଁ ଦୁର୍ଘଟଣା ଘଟୁଛି । ଧନଜୀବନ ବିପନ୍ନ ହେଉଛି । ଏପରି ଏକ ମାମଲାରେ କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଏକ ସ୍ଥାନୀୟ କୋର୍ଟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜଣେ ନାବାଳକକୁ ମୋଟରସାଇକେଲ ଚଲାଇବାକୁ ଦେଇଥିବା ଜଣେ ମହିଳାଙ୍କୁ କୋର୍ଟ 30 ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ।

ଘଟଣାଟି କିଛି ଦିନ ପୂର୍ବେ ଶିବମୋଗା ଜିଲ୍ଲାର ଇଷ୍ଟ-ଟ୍ରାଫିକ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିଲା । ଜଣେ ନାବାଳକ ଏକ ବାଇକ ଚଳାଉଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା । ସେତେବେଳେ ନାବାଳକ ନିକଟରେ ଡ୍ରାଇଭିଂ ଲାଇସେନ୍ସ ତ ଦୂରର କଥା, ତାର ବୟସ ମାତ୍ର 17 ବର୍ଷ ବୋଲି ଜଣାପଡିଥିଲା । ତେବେ ପୋଲିସ ଗାଡିକୁ ଜବତ କରି କାଗଜପତ୍ର ଯାଞ୍ଚ କରିବା ସମୟରେ ଗାଡିଟି ସମ୍ପୃକ୍ତ ନାବାଳକର ମା’ଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡିଥିଲା । ପୋଲିସ ଏହି ମହିଳାଙ୍କ ବିରୋଧରେ ଟ୍ରାଫିକ ରୁଲ୍ସ ଓ ମୋଟର ଭେଇକିଲ ଆକ୍ଟରେ ମାମଲା ରୁଜୁ କରିଥିଲା ।

ଆଜି ଏହି ମାମଲାର ଶୁଣାଣି ଶିବମୋଗାର ଥାର୍ଡ-ଏସିଜେ ଓ ଜେଏମଏଫସି କୋର୍ଟରେ ହୋଇଥିଲା । କୋର୍ଟ ଏହି ମାମଲାକୁ ଅତି ଗମ୍ଭୀରତାର ସହ ନେଇଥିଲେ । ସମ୍ପୃକ୍ତ ମହିଳାଙ୍କ ବେପରୁଆ ମନୋଭାବକୁ କୋର୍ଟ ସମାଲୋଚନା କରିଥିଲେ । ଦାୟିତ୍ବହୀନତା ଓ ଟ୍ରାଫିକ ରୁଲ୍ସ ଉଲ୍ଲଙ୍ଘନ ପାଇଁ କୋର୍ଟ ମହିଳାଙ୍କୁ 30 ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଉତ୍ତରାଖଣ୍ଡରେ ଅବୈଧ ଧାର୍ମିକସ୍ଥଳୀ ଉଚ୍ଛେଦ ବେଳେ ଦଙ୍ଗା: କର୍ଫ୍ୟୁ ଜାରି, ଗୁଳି ଚଳାଇବାକୁ ନିର୍ଦ୍ଦେଶ

ତେବେ ବେଙ୍ଗାଲୁରୁ ପୋଲିସର ତଥ୍ୟ ଅନୁସାରେ, ସହରରେ ଏହିପରି ଘଟଣା ବାରମ୍ବାର ଘଟୁଛି । ଏହିସବୁ ଘଟଣା ପଛରେ ଅଭିଭାବକଙ୍କ ଦାୟିତ୍ବହୀନତା ରହୁଛି । ନିକଟ କିଛି ମାସ ମଧ୍ୟରେ ଟ୍ରାଫିକ ପୋଲିସ ପ୍ରାୟ 15 ଶହ ଅଭିଭାବକଙ୍କ ଠାରୁ ଫାଇନ ଆଦୟ କରିଛି । ଆବଶ୍ୟକ ସ୍ଥଳେ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ସ୍କୁଲ ପିଲାଙ୍କୁ ମୋଟର ସାଇକେଲ ଦେଇ ସ୍କୁଲ କି କୋଚିଂ ନପଠାଇବା ପାଇଁ ଅଭିଭାବକଙ୍କୁ କୁହାଯାଉଛି । ବିଶେଷ ଭାବେ ସ୍କୁଲଗୁଡିକୁ ପିଲା ଓ ସେମାନଙ୍କ ଅଭିଭାବକଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନା କରାଇବା ପାଇଁ ପୋଲିସ ନିୟମିତ କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଙ୍ଗାଲୁରୁର ସାଉଥ-ଡିଭିଜନ ଟ୍ରାଫିକ ଡିସିପି ଶିବପ୍ରକାଶ ଦେବରାଜ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.