ETV Bharat / bharat

ଉତ୍ତରାଖଣ୍ଡରେ ଅବୈଧ ଧାର୍ମିକସ୍ଥଳୀ ଉଚ୍ଛେଦ ବେଳେ ଦଙ୍ଗା: ପୋଲିସ ଗୁଳିରେ ଜଣେ ମୃତ, 3 ଆହତ

author img

By ETV Bharat Odisha Team

Published : Feb 8, 2024, 10:02 PM IST

Updated : Feb 8, 2024, 10:30 PM IST

Haldwani Banbhoolpura Violence: ଉତ୍ତରାଖଣ୍ଡର ହଲଦଓ୍ବାନୀରେ ଅବୈଧ ଧାର୍ମିକସ୍ଥଳୀ ଉଚ୍ଛେଦ ବେଳେ ଦଙ୍ଗା । ପୋଲିସ ଓ ପ୍ରଶାସନ ଅଧିକାରୀଙ୍କୁ ଆକ୍ରମଣ । କର୍ଫ୍ୟୁ ଜାରି । ପୋଲିସ ଗୁଳିରେ ଜଣେ ମୃତ, 3 ଆହତ ସୂଚନା । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ ଅବୈଧ ଧାର୍ମିକସ୍ଥଳୀ ଉଚ୍ଛେଦ ବେଳେ ଦଙ୍ଗା, କର୍ଫ୍ୟୁ ଜାରି
ଉତ୍ତରାଖଣ୍ଡରେ ଅବୈଧ ଧାର୍ମିକସ୍ଥଳୀ ଉଚ୍ଛେଦ ବେଳେ ଦଙ୍ଗା, କର୍ଫ୍ୟୁ ଜାରି

ଡେରାଡୁନ: ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ହାଲଦୱାନିରେ ଜବରଦଖଲ ଉଚ୍ଛେଦ ବେଳେ ପ୍ରବଳ ହିଂସା ଦେଖିବାକୁ ମିଳିଛି । ଅବୈଧ ଭାବେ ନିର୍ମିତ ଏକ ନିର୍ଦ୍ଦିଷ୍ଟ ଧର୍ମର ଧାର୍ମିକସ୍ଥଳୀ ଉଚ୍ଛେଦ କରାଯିବା ବେଳେ କିଛି ହିଂସାକାରୀ ପ୍ରଶାସନିକ ଅଧିକାରୀ ଓ ପୋଲିସ ଟିମକୁ ଆକ୍ରମଣ କରିଛନ୍ତି । ପଥରମାଡ ସହ ପୋଲିସ ଗାଡି ଜଳାପୋଡା ମଧ୍ୟ ହୋଇଛି । ଏଥିରେ ଏକାଧିକ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି । ସ୍ଥିତିକୁ ଦେଖି ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯିବା ସହ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରାଯାଇଛି । ପୋଲିସ ଗୁଳିରେ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ତିନି ଜଣ ମଧ୍ୟ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଆଜି (ଗୁରୁବାର) କୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ହାଲଦୱାନି ମ୍ୟୁନିସିପାଲ ପ୍ରଶାସନର ମିଳିତ ଟିମ ବନବୁଲାପୁରା ପୋଲିସ ଷ୍ଟେସନ ଅଞ୍ଚଳରେ ଦୀର୍ଘବର୍ଷରୁ ହୋଇଥିବା ଜବରଦଖଲ ଉଚ୍ଛେଦ କରିବା ପାଇଁ ପହଞ୍ଚିଥିଲା । ସେଠାରେ ପ୍ରଶାସନ ବୁଲଡୋଜର ମାଧ୍ୟମରେ ସରକାରୀ ଜମିରେ ଅବୈଧ ଭାବେ ନିର୍ମିତ ମଦ୍ରାସା ଓ ନମାଜ ସ୍ଥାନକୁ ଉଚ୍ଛେଦ କରିବା ଆରମ୍ଭ କରିଥିଲା । ଏହାକୁ ସ୍ଥାନୀୟ ନିର୍ଦ୍ଦିଷ୍ଟ ଧର୍ମର ବହୁଲୋକେ ବିରୋଧ କରିଥିଲେ । ଏହି ବିରୋଧ ସଂଧ୍ୟାରେ ବ୍ୟାପକ ହିଂସାର ରୂପ ନେଇଥିଲା ।

କିଛି ଦୁର୍ବୃତ୍ତ ପୋଲିସ ଓ ପ୍ରଶାସନର ଟିମକୁ ଆକ୍ରମଣ କରିଥିଲେ । ପଥରମାଡରେ ବହୁ ଅଧିକାରୀ, ସରକାରୀ କର୍ମଚାରୀଙ୍କ ସହ ସାଧାରଣ ଲୋକେ ଓ ଖବର ସଂଗ୍ରହ କରୁଥିବା କିଛି ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି । ଜଳାପୋଡା ମଧ୍ୟ ହୋଇଥିଲା । ପୋଲିସ ଗାଡି ସହ ଏକାଧିକ ଗାଡିରେ ଉପଦ୍ରବକାରୀମାନେ ନିଆଁ ଲଗାଇ ଦେଇଥିଲେ । ପୋଲିସ ସେମାନଙ୍କ ଉପରେ ଗୁଳି ଚଳାଇଥିଲା । ଏଥିରେ ଜଣଙ୍କ ମୃତ ହେବା ସହ 3 ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଜାରି କରିଛି । ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରାଯିବା ସହ ଦଙ୍ଗାକାରୀଙ୍କୁ ଦେଖିବାମାତ୍ରେ ଗୁଳି ଚଳାଇବା (ସୁଟ ଆଟ ସାଇଟ) ପାଇଁ ନିର୍ଦ୍ଦେଶ ମିଳିଛି ।

ଘଟଣାର ଗମ୍ଭୀରତାକୁ ଦେଖି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସଂଧ୍ୟାରେ ଡେରାଡୁନରେ ଏକ ଉଚ୍ଚସ୍ତରୀୟ ଜରୁରୀକାଳୀନ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି । ବୈଠକ ପରେ ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ପରେ ସେଠାରେ ପ୍ରଶାସନ ଉଚ୍ଛେଦ କାମ ଆରମ୍ଭ କରିଥିଲା । ଏଥିରେ ସରକାରୀ ଅଧିକାରୀଙ୍କୁ କିଛି ହିଂସାକାରୀ ଆକ୍ରମଣ କରିଛନ୍ତି । ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରାଯାଇଛି । ଘଟଣାସ୍ଥଳରେ କର୍ଫ୍ୟୁ ଜାରି କରାଯିବା ସହ କେନ୍ଦ୍ରୀୟ ଫୋର୍ସ ପଠାଯାଇଛି । ଯେଉଁମାନେ ହିଂସାରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ :- ବଜେଟରେ କର୍ଣ୍ଣାଟକ ପ୍ରତି ଭେଦଭାବ ଅଭିଯୋଗ, ସୀତାରମଣଙ୍କ ବେଙ୍ଗାଲୁରୁ ଅଫିସ ନେମପ୍ଲେଟରେ କାଳି ବୋଳିଲା NSUI

ଏହି ପ୍ରସଙ୍ଗରେ ସ୍ଥାନୀୟ ମ୍ୟୁନିସିପାଲିଟି କମିଶନର ପଙ୍କଜ ଉପାଧ୍ୟାୟ କହିଛନ୍ତି, ବେଆଇନ ଭାବେ ସରକାରୀ ଜମିରେ ନିର୍ମିତ ମଦ୍ରାସା ଓ ନମାଜ ସ୍ଥାନ ସେଠାରେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଥିଲା । ନିକଟରେ ମ୍ୟୁନିସିପାଲିଟି କର୍ପୋରେସନ ତିନି ଏକର ଜମିରେ ଜବରଦଖଲ ଉଚ୍ଛେଦ କରିଥିଲା । କିନ୍ତୁ ବେଆଇନ ମଦ୍ରାସା ଓ ନମାଜ ସ୍ଥାନକୁ ଉଚ୍ଛେଦ ପରେ ଏହି ହିଂସା ଦେଖିବାକୁ ମିଳିଛି । ଆଇନ ଅନୁସାରେ ଉଚ୍ଛେଦ କାର୍ଯ୍ୟ ଆଗାମି ଦିନରେ ଜାରି ରହିବ । ହିଂସାକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 8, 2024, 10:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.