ETV Bharat / bharat

ଓଡିଶାରେ କାର୍ଯ୍ୟକ୍ରମ ସାରି ଦୁଇଦିନିଆ ଗସ୍ତରେ ଆସାମରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Feb 3, 2024, 9:56 PM IST

ଓଡିଶାରେ କାର୍ଯ୍ୟକ୍ରମ ସାରି ଆସାମରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଓଡିଶାରେ କାର୍ଯ୍ୟକ୍ରମ ସାରି ଆସାମରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

PM Modi arrives in Assam to launch projects: ଓଡିଶାରେ କାର୍ଯ୍ୟକ୍ରମ ସାରି ଆସାମରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ଏକାଧିକ କାର୍ଯ୍ୟକ୍ରମରେ ହେବେ ସାମିଲ । ଅଧିକ ପଢନ୍ତୁ

ଗୌହାଟୀ: ସମ୍ବଲପୁରରେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ)ର ନୂତନ ତଥା ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିବା ପ୍ରଧାନମନ୍ତ୍ରୀ ମୋଦି ସଂଧ୍ୟାରେ ଆସାମରେ ପହଞ୍ଚିଛନ୍ତି । ଏହି ଦୁଇଦିନିଆ ଗସ୍ତରେ ସେଠାରେ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରାୟ 11,599 କୋଟି ବ୍ୟବବରାଦରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର କରିବା ସହ ସାଧାରଣ ସଭାକୁ ସମ୍ବୋଧିତ ମଧ୍ୟ କରିବେ । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଗୌହାଟୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ଆସାମ ରାଜ୍ୟପାଳ ଗୁଲାବଚାନ୍ଦ କଟାରିଆ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ତାଙ୍କୁ ସ୍ବାଗତ କରିଥିଲେ ।

ଆସନ୍ତାକାଲି (ରବିବାର) ଗୌହାଟୀର ଖାନାପରାର ଭେଟେନାରୀ କଲେଜ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ‘ମା କାମାକ୍ଷା ଦିବ୍ୟ ପରିଯୋଜନା’ ପ୍ରକଳ୍ପ ରହିଛି । ଯାହା କେନ୍ଦ୍ର ସରକାରଙ୍କ ଉତ୍ତର-ପୂର୍ବ ବିକାଶ ଯୋଜନା (ପିଏମ ନର୍ଥ-ଇଷ୍ଟ ଇନିସିଏଟିଭିସ) ଅଧୀନରେ ହେବାକୁ ଯାଉଛି । ସମଗ୍ର ଉତ୍ତର-ପୂର୍ବ ତଥା ଦେଶର ପ୍ରମୁଖ ଆଧ୍ୟାତ୍ମିକ ପୀଠ ମଧ୍ୟରେ ଅନ୍ୟତମ କାମାକ୍ଷା ମନ୍ଦିରର ଭିତ୍ତିଭୂମି ବିକାଶ ଏହି ପ୍ରକଳ୍ପ ଅଧୀନରେ ରହିଛି ।

ଏହା ସହ 11,599 କୋଟି ଟଙ୍କାର ବ୍ୟବବରାଦରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ସହ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଏହା ମଧ୍ୟରେ 3,400 କୋଟିରୁ ଅଧିକ ବ୍ୟୟବରାଦରେ ଅନେକ ସଡକ ଉନ୍ନୟନ ପ୍ରକଳ୍ପର ମଧ୍ୟ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଯେଉଁଥିରେ 38ଟି ସେତୁ ସମେତ 43ଟି ରାସ୍ତା ରହିଛି । ଏହି ଯୋଗାଯୋଗ ଭିତ୍ତିଭୂମି ଦକ୍ଷିଣ-ଏସିଆ ସବ-ରିଜିଓନାଲ ଅର୍ଥନୈତିକ ସହଯୋଗ (SASEC) କରିଡର କନେକ୍ଟିଭିଟିର ଅଂଶ ଭାବରେ ବିକଶିତ ହେବ । ଏହା ଆସମ ସମେତ ସମଗ୍ର ଉତ୍ତର-ପୂର୍ବ ଭାରତ ଓ ଦକ୍ଷିଣ-ଏସିଆର ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନକୁ ନୂଆ ଗତି ଦେବ ।

ଏହା ମଧ୍ୟ ପଢନ୍ତୁ :- ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦି; ଓଡିଶାକୁ 68000 କୋଟିର ପ୍ରକଳ୍ପ ଦେଲେ ଉପହାର

ଅନ୍ୟ ପ୍ରକଳ୍ପ ମଧ୍ୟରେ ପ୍ରଧାନମନ୍ତ୍ରୀ ଡୋଲାବାରୀ ଠାରୁ ଜାମୁଗୁରୀ ଓ ବିଶ୍ୱନାଥ ଚାରିଆଲି ଠାରୁ ଗୋହପୁର ପର୍ଯ୍ୟନ୍ତ ଦୁଇଟି 4ଲେନ ବିଶିଷ୍ଟ ସଡକ ପ୍ରକଳ୍ପର ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଲୋକାର୍ପଣ ଫଳରେ ଇଟାନଗର ସହିତ ସଡକ ସଂଯୋଗୀକରଣକୁ ସୁଦୃଢ କରାଯାଇପାରିବ । ଉକ୍ତ ଅଞ୍ଚଳରେ ସାମଗ୍ରିକ ଅର୍ଥନୈତିକ ବିକାଶରେ ସହାୟକ ହେବ । ସେହିପରି ପ୍ରଧାନମନ୍ତ୍ରୀ ଚନ୍ଦ୍ରପୁରର ଏକ ଅନ୍ତର୍ଜାତୀୟସ୍ତରର ସ୍ପୋର୍ଟ୍ସ ଷ୍ଟାଡିୟମ୍ ଓ ନେହେରୁ ଷ୍ଟାଡିୟମକୁ ଫିଫା ବିଶ୍ବକପ ଷ୍ଟାଣ୍ଡାର୍ଡ ଫୁଟବଲ୍ ଷ୍ଟାଡିୟମକୁ ନବୀକରଣ କରିବା ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ଏହାସହ ଗୌହାଟି ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୂଳଦୁଆ ପକାଇବା ସହ କରିମଗଞ୍ଜରେ ଏକ ମେଡିକାଲ କଲେଜର ବିକାଶ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.