ETV Bharat / bharat

ପଦ୍ମ ଶିବିରରେ ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଲଭଲି, ସିଟ୍‌ ସେୟାରିଂକୁ ନେଇ ଥିଲେ ଅସନ୍ତୁଷ୍ଟ - Arvinder Singh Lovely Joins BJP

author img

By ETV Bharat Odisha Team

Published : May 4, 2024, 4:50 PM IST

Arvinder Singh Lovely
Arvinder Singh Lovely(Former Delhi Congress Chief Arvinder Singh Lovely Joins BJP (Photo:ANI))

Arvinder Singh Lovely joins BJP: ଗତ କିଛି ଦିନ ତଳେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦର ସିଂ ଲଭଲି ଆଜି ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ପୂର୍ବରୁ ମଧ୍ୟ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ରାଜନୀତିରେ ବଡ଼ ଧରଣର ଅଦଳ ବଦଳ । ବିଜେପିରେ ସାମିଲ ହେଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ସଭାପତି ଅରବିନ୍ଦର ସିଂ ଲଭଲି । କିଛି ଦିନ ତଳେ ସେ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ଆଜି ସେ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ଆପ୍‌ ସହିତ ମେଣ୍ଟ ଗଠନ ଓ ସିଟ୍‌ ସେୟାରିଂକୁ ନେଇ ସେ ବହୁବାର ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଦିଲ୍ଲୀପ ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ଦୀପକ ବାୱରିଆଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଥିଲେ ।

ପୂର୍ବତନ ଦିଲ୍ଲୀ ମନ୍ତ୍ରୀ ତଥା ଏଆଇସିସି ସଦସ୍ୟ ରାଜକୁମାର ଚୌହାନ ମଧ୍ୟ ଗତ ଏପ୍ରିଲ 24 ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ମଧ୍ୟ ଲଭଲିଙ୍କ ସହ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସମେତ ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚଦେବା, ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ ଉପସ୍ଥିତ ଥିଲେ । ସେମାନେ ପୁଷ୍ପଗୁଚ୍ଛ ସହିତ ଏହି ଦୁଇ ନେତୃତ୍ବଙ୍କୁ ସ୍ବାଗତ କରିଛନ୍ତି ।

ଏହା ବି ପଢନ୍ତୁ- ଦିଲ୍ଲୀ କଂଗ୍ରେସ ସଭାପତି ଅରବିନ୍ଦର ସିଂଙ୍କ ଇସ୍ତଫା, ହାଇକମାଣ୍ଡ ଦେଲେ ମଞ୍ଜୁରୀ

ସୂଚନା ଥାଉ କି ଇଣ୍ଡିଆ ସହ ମେଣ୍ଟ ଗଠନ ପରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ସିଟ୍ ଭାଗବଣ୍ଟାକୁ ନେଇ ବହୁ ସମୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏନେଇ ଦୁଇ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ବିଶେଷକରି ଉତ୍ତର ପୂର୍ବ ଲୋକସଭା ଆସନ ଏବଂ ଦିଲ୍ଲୀର ଉତ୍ତର ପଶ୍ଚିମ ଲୋକସଭା ଆସନରେ ବହୁତ ଉତ୍ତେଜନା ଦେଖାଦେଇଥିଲା । ଅରବିନ୍ଦର ସିଂ ଲଭଲି ନିଜ ପଦରୁ ଇସ୍ତଫା ଦେବା ସମୟରେ ଆପ୍‌ ସହ ମେଣ୍ଟ ନେଇ ଅସନ୍ତୁଷ୍ଟ ଥିବା କହିଥିଲେ । ଏକ ପ୍ରେସମିଟ୍‌ କରି ଏନେଇ ସେ ସୂଚନା ଦେଇଥିଲେ ।

ଏହା ପ୍ରଥମ ଥର ନୁହେଁ ଗତ 2017ରେ ମଧ୍ୟ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ ଅରବିନ୍ଦର । ପ୍ରାୟ 1 ବର୍ଷ ଧରି ବିଜେପି ନେତା ଭାବେ କାମ କରିବା ପରେ 2018ରେ ପୁଣି ହାତ ମୁଠାକୁ ଟାଣ କରିଥିଲେ । ସେହି ସମୟରେ ଅରବିନ୍ଦରଙ୍କୁ ପୁଣି କଂଗ୍ରେସକୁ ଫେରାଇ ଆଣିବା ଲାଗି ତତ୍କାଳୀନ ଦିଲ୍ଲୀ ପ୍ରଦେଶ ପ୍ରଭାରୀ ପିସି ଚାକୋଙ୍କ ମୁଖ୍ୟ ଭୂମିକା ରହିଥିଲା । ଏହାପରେ ଲଭଲିଙ୍କୁ ଦିଲ୍ଲୀ ପୂର୍ବ ଲୋକସଭା ଆସନରୁ ଟିକଟ ମିଳିଥିଲା । ହେଲେ ସେ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ଠାରୁ ପରାଜିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.