ETV Bharat / bharat

BRS ନେତ୍ରୀ କବିତାଙ୍କ ପାଇଁ ବଢ଼ିଲା ଅଡୁଆ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ CBI କରିବ ଜେରା - CBI to interrogate K Kavitha

author img

By ETV Bharat Odisha Team

Published : Apr 5, 2024, 4:54 PM IST

CBI to interrogate K Kavitha: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା BRS ନେତ୍ରୀ କେ କବିତାଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଜେଲରେ କବିତାଙ୍କୁ ପଚରାଉଚରା ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତିି କୋର୍ଟ । ଅଧିକ ପଢନ୍ତୁ

CBI to interrogate K Kavitha
CBI to interrogate K Kavitha

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ବନ୍ଦୀ ଥିବା ଭାରତ ରାଷ୍ଟ୍ର ସମିତି(BRS) ନେତ୍ରୀ କେ କବିତାଙ୍କୁ ପଚରାଉଚରା କରିବ ସିବିଆଇ । ଏ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ କୋର୍ଟରେ ଆବେଦନ ହୋଇଥିବା ବେଳେ ଆଜି (ଶୁକ୍ରବାର) କୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି । ଗତ ମାର୍ଚ୍ଚ 15 ତାରିଖରେ ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିଲେ କେ କବିତା ।

ଏହା ବି ପଢନ୍ତୁ- ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ବନ୍ଧା ହେଲେ ବିଆରଏସ ନେତ୍ରୀ କବିତା

ସେପଟେ ଗତ ଗୁରୁବାର କବିତା ଅନ୍ତରୀଣ ଜାମିନକୁ ବୃଦ୍ଧି କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । କବିତାଙ୍କ 16 ବର୍ଷର ପୁଅର ପରୀକ୍ଷା ଥିବାରୁ ତାକୁ ମାଆ ଭାବେ ଏକ ସାହାରା ଦେବା ଲାଗି ସେ ଏହି ଦାବି କରିଥିଲେ । ସେପଟେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ମାମଲାର ସ୍ବତନ୍ତ୍ର ବିଚାରପତି କାବେରୀ ବାୱେଜା ଉଭୟ ଏଜେନ୍ସିକୁ ପଚରାଉଚରା ଲାଗି ଅନୁମତି ପ୍ରଦାନ କରିଛନ୍ତି । ଫଳରେ କବିତାଙ୍କୁ ନ୍ୟାୟିକ ହେପାଜତରେ ନେଇ ପଚରାଉଚରା କରିବ ଉଭୟ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ।

ଏହା ବି ପଢନ୍ତୁ- କବିତାଙ୍କୁ 7 ଦିନିଆ ରିମାଣ୍ଡରେ ନେଲା ED, ଗତକାଲି ହାଇଦ୍ରାବାଦରୁ ହୋଇଥିଲେ ଗିରଫ

କେ କବିତା ହେଉଛନ୍ତି ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ । ତାଙ୍କ ବିରୋଧରେ ଏକ ବଡ଼ ଧରଣର ଅର୍ଥ ହେରଫେର ଅଭିଯୋଗ ମାମଲା ରହିଛି । କେନ୍ଦ୍ରୀୟ ଏଜେନ୍ସିର ଅଭିଯୋଗ ଅନୁସାରେ 'ସାଉଥ ଗ୍ରୁପ'ର ମୁଖ୍ୟ ଥିଲେ କବିତା । ଯିଏ କି ଦିଲ୍ଲୀ ସରକାରରେ ଥିବା ଆପ୍‌କୁ 100 କୋଟି ଟଙ୍କା ପ୍ରଦାନ କରି ଜାତୀୟ ରାଜଧାନୀ ଦିଲ୍ଲୀ ଅବକାରୀ ଲାଇସେନ୍ସର ଏକ ବଡ଼ ଅଂଶୀଦାର ରହିଥିବା ଅଭିଯୋଗ ହୋଇଛି । ଗତ ମଙ୍ଗଳବାର ଦିନ ତାଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ମାର୍ଚ୍ଚ 15 ତାରିଖରେ ହାଇଦ୍ରାବାଦ ବଞ୍ଜାରାହିଲ୍ସ ସ୍ଥିତ ବାସଭବନରୁ କବିତାଙ୍କୁ ଗିରଫ କରିଥିଲା ଇଡି ।

ସୂଚନା ଥାଉ କି ଏହା ପୂର୍ବରୁ ଏହି ମାମଲାରେ ଇଡି ପ୍ରଥମେ ମାର୍ଚ୍ଚ ୮ରେ କବିତାଙ୍କୁ ନୋଟିସ କରିଥିଲା । ସେପଟେ ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କୁ ସାମ୍ନାସାମ୍ନି ବସାଇ ୯ ଘଣ୍ଟା ମାରାଥନ ଜେରା କରିଥିଲା । ଏହାପରେ ମାର୍ଚ୍ଚ 15ରେ ବିଆରଏସ ନେତ୍ରୀଙ୍କୁ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.