ଓଡିଶା

odisha

ବଢୁଛି ଜେଏନ 1 ସଂକ୍ରମିତଙ୍କ ସଂଖ୍ୟା, ଏମିତି କହିଲେ ପୂର୍ବତନ ହୁ ମୁଖ୍ୟ

By ETV Bharat Odisha Team

Published : Dec 22, 2023, 10:19 AM IST

Covid-19 JN.1 Cases: କୋଭିଡର ନୂଆ ଭାରିଆଣ୍ଟକୁ ଜେଏନ 1କୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନଙ୍କ ପ୍ରତିକ୍ରିୟା । କହିଲେ..

Ex-WHO chief scientist
Ex-WHO chief scientist

ହାଇଦ୍ରାବାଦ: ଦେଶରେ ପୁଣି ଫଣା ଟେକିଛି କୋରୋନା ଭାଇରସ । ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । କୋରୋନାକୁ ମହାମାରୀ ତାଲିକାରୁ ହଟାଇ ଦିଆଯାଇଥିଲେ ସୁଦ୍ଧା ସଂକ୍ରମଣ କମିବାର ନାଁ ଧରୁନି କି ଲୋକଙ୍କ ମନରୁ ଭୟ ଯାଉନି । ଗତକାଲି(ଗୁରୁବାର) ଦେଶରେ 594 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ମାମଲା 26669କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ 6ଜଣ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ 3ଜଣ କେରଳର ହୋଇଥିବା ବେଳେ 2ଜଣ କର୍ଣ୍ଣାଟକ ଏବଂ ଜଣେ ରାଜସ୍ଥାନର ରହିଛନ୍ତି । ତେବେ କୋରୋନାର ନୂଆ ଭାରିଆଣ୍ଟ ନେଇ ମନରେ ଡର ରହିଥିବା ବେଳେ JN.1କୁ ଅଧିକ ଚିନ୍ତିତ ନହେବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ।

ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ କହିଛନ୍ତି, " ବର୍ତ୍ତମାନ ଡରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଏହା ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ ଅଟେ। ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ସତର୍କତା ରହିବାର ଆବଶ୍ୟକତା ରହିଛି।"

ନ୍ୟୁଜ ଏଜେନ୍ସି ଏଏନଆଇକୁ ସୂଚନା ଦେଇ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR)ର ପୂର୍ବ ମହାନିର୍ଦ୍ଦେଶକ ସୌମ୍ୟା ସ୍ବାମୀନାଥନ ଆହୁରି ମଧ୍ୟ କହିଛନ୍ତି ଯେ,"ଆମକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବରଂ ସତର୍କ ରହିବାର ଆବଶ୍ୟକତା ରହିଛି । କାରଣ ଜେଏନ 1 ଭାରିଆଣ୍ଟ ଗମ୍ଭୀର ନେଇ ଆମ ପାଖରେ କୌଣସି ତଥ୍ୟ ନାହିଁ । କିମ୍ବା ଏହା ନିମୋନିଆ ବା ମୃତ୍ୟୁର କାରଣ ସାଜିପାରେ ବୋଲି ମଧ୍ୟ କୌଣସି ତଥ୍ୟ ନାହିଁ ।"

ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ: ଏନେଇ ପୂର୍ବତନ ହୁ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଜେଏନ 1 ଭାଇରସରୁ ବର୍ତ୍ତିବାକୁ ହେଲେ ସାଧାରଣ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ ଅଟେ। ଯାହା ସହ ବର୍ତ୍ତମାନ ସମସ୍ତ ଜନସାଧାରଣ ପରିଚିତ। ଲୋକେ ଓମିକ୍ରନ ସହିତ ପରିଚିତ ଏବଂ ଜେଏନ 1 ମଧ୍ୟ ଏହାର ବଂଶଜ ଅଟେ। ତେଣୁ ଏଥିରେ ଅଧିକ ପରିବର୍ତ୍ତନ ହୋଇନାହିଁ, କେବଳ 1 ଏବଂ 2 ମ୍ୟୁଟେସନରେ ପରିବର୍ତ୍ତନ ହୋଇଛି। " ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହା ଉପରେ ନଜର ରଖାଯାଇଥିବା କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: କେତେ ବିପଦଜ୍ଜନକ JN.1 ? ପାରେଣ୍ଟ୍‌ ଭାରିଆଣ୍ଟଠାରୁ ପୃଥକ୍‌ ଶ୍ରେଣୀଭୁକ୍ତ କଲା WHO

କିଭଳି ନେବେ ଯତ୍ନ: ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟକୁ ନେଇ ବିଶେଷ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଥିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ବିନା ମାସ୍କରେ ବାହାରକୁ ନଯିବା, ସଂଗରୋଧରେ ରହିଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବାଠାରୁ ଦୂରେଇ ରହିବା ଉଚିତ । କାରଣ ଦୀର୍ଘ ସମୟ ଧରି ସଂକ୍ରମିତଙ୍କ ସହିତ ରହିବା କାରଣରୁ ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଭିଡ଼ଠାରୁ ଦୂରେଇ ରହିବା ସହିତ, ଯଦି କୌଣସି ଲକ୍ଷଣ ଦେଖାଯାଉଛି ଅର୍ଥାତ ଜ୍ୱର, ଥଣ୍ଡା ଏବଂ ସର୍ଦ୍ଦି ହୋଇଥିଲେ ଘରେ ନରହି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି କୁହାଯାଇଛି। ତେବେ ଶୀତ ଋତୁରେ ଶ୍ବାସକ୍ରିୟା କାରଣରୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆମକୁ ସ୍ବାଇନ୍‌ ଫ୍ଲୁ ଏବଂ ସାଧାରଣ ଥଣ୍ଡାଠାରୁ ନିଜକୁ ଦୂରେଇ ରହିବା ଉଚିତ ।

ଭାରତରେ ଜେଏନ 1 ସଂକ୍ରମିତ: ଭାରତରେ ବର୍ତ୍ତମାନ ସୁଦ୍ଧା ଜେଏନ 1 ଭାରିଆଣ୍ଟର 21ଟି ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜେଏନ-1କୁ ଭାରିଆଣ୍ଟ ଅଫ୍‌ ଇଣ୍ଟ୍ରେଷ୍ଟରେ ଶ୍ରେଣୀଭୁକ୍ତ କରିଛି । ପୂର୍ବରୁ JN.1କୁ ଏହାର ମୂଳ ବଂଶଜ BA.2.86ର ଅଂଶ ଭାବରେ ଶ୍ରେଣୀଭୁକ୍ତ କରାଯାଇଥିଲା ।

ABOUT THE AUTHOR

...view details