ସୁବର୍ଣ୍ଣପୁର : ତେଜୁଛି ଜିଲ୍ଲା ଟ୍ରାକ୍ଟର ସଂଘର ଅସନ୍ତୋଷ । ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଂଘର କର୍ମକର୍ତ୍ତା । ସହରର ରୟାଲ ପଡିଆରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହିତ ଟ୍ରାକ୍ଟର ଚଳାଚଳକୁ ବନ୍ଦ କରିଛନ୍ତି ଗାଡି ମାଲିକ । ସେପଟେ ଟ୍ରାକ୍ଟର ରାଲି କରିବାକୁ ଅନୁମତି ନମିଳିବାରୁ ବାଧ୍ୟ ହୋଇ ବାଇକ ରାଲି କରିଥିବା କହିଛନ୍ତି ଆନ୍ଦୋଳନକାରୀ ।
ସହରରେ ଘରୋଇ ଓ ସରକାରୀ ସ୍ତରରେ ହେଉଥିବା ବିଭିନ୍ନ ନିର୍ମାଣ କାମ ପାଇଁ ଟ୍ରାକ୍ଟର ମାଧ୍ୟମରେ ବାଲି, ମେଟାଲ, ମୋରୁମ ଆଦି ଘର ତିଆରି ସାମଗ୍ରୀ ପରିବହନ କରାଯାଉଛି । ହେଲେ ରାଜସ୍ବ ଅଧିକାରୀ ମାତ୍ରାଧିକ ଫାଇନ ଆଦାୟ କରିବା ସହ ଟ୍ରାକ୍ଟର ଗୁଡିକୁ ଜବତ କରୁଥିବା ଅଭିଯୋଗ ହୋଇଛି । ଏପରିକି ସରକାରୀ ବାଲି ଘାଟରୁ ବାଲି ଆଣିଲେ ମଧ୍ୟ ଘାଟ ଠିକାଦାର ରୟାଲଟି ବାବଦକୁ ଟଙ୍କା ଆଦାୟ କରୁଥିଲେ ମଧ୍ୟ ରସିଦ୍ ଦେଉନାହାନ୍ତି ।
ସେପଟେ ବେଆଇନ ଓ ଚୋରି ବାଲି ନାଁରେ ରାଜସ୍ବ ଅଧିକାରୀ ଟ୍ରାକ୍ଟର ଗୁଡିକୁ ଜବତ କରି ମନଇଛା ଫାଇନ ଆଦାୟ କରୁଛନ୍ତି । ଏନେଇ ପ୍ରଶାସନ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । ଏପରିକି ଘାଟ ଠିକାଦାର ରସିଦ ଦେବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେବାକୁ ବାରମ୍ବାର ଅନୁରୋଧ କରାଯାଇଛି । ହେଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ତେବେ ମାତ୍ରାଧିକ ଫାଇନ ନକାଟି ଏହାର ସମାଧାନ କରିବାକୁ ଟ୍ରାକ୍ଟର ମାଲିକ ସଂଘ ପୁଣିଥରେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛି ।