କୋରାପୁଟ:ଶୁକ୍ରବାର କୋରାପୁଟ ଗସ୍ତରେ ଯାଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ । ଏହି ବୈଠକରେ ଆକାଂକ୍ଷା ଜିଲ୍ଲା ପୋଗ୍ରାମ ଅଧିନରେ ୨୦୧୮ ଅପ୍ରେଲରୁ ଜୁଲାଇ ୨୦୨୧ ମଧ୍ୟରେ ଜିଲ୍ଲାର ଶିକ୍ଷା,ସ୍ୱାସ୍ଥ୍ୟ ଓ ପୋଷଣ,କୃଷି,ଜଳ ଉତ୍ସ,ମୌଳିକ ଭିତ୍ତିଭୂମିର କାର୍ଯ୍ୟ ଦକ୍ଷତା ଉପରେ ଆଲୋଚନା ହୋଇଥିଲା । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କୋରାପୁଟ ଜିଲ୍ଲା ବହୁତ ଭଲ ପ୍ରଦର୍ଶନ କରିଛି ବୋଲି ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ । ରାଜସ୍ୱ ବିଭାଗର ବିଭିନ୍ନ ଯୋଜନା ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା । ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ପ୍ରତି ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯିବ । ଏନେଇ ବୈଠକରେ ପ୍ରତି ରାଜସ୍ୱ ଅଧିକାରୀଙ୍କୁ ଡିସେମ୍ବର ୨୦୨୧ ମଧ୍ୟରେ ଜିଲ୍ଲାରେ ଥିବା ପ୍ରତିଟି ପଡା ଗ୍ରାମର ଲୋକମାନଙ୍କ ପାଖରୁ ପ୍ରସ୍ତାବ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ଓ ପୋଷଣରେ ଆକାଂକ୍ଷା ଜିଲ୍ଲା ଡେଲଟା ରାକିଙ୍ଗରେ କୋରାପୁଟ ଜିଲ୍ଲା ୨୦୧୮ ଅପ୍ରେଲରେ ୮୨ତମ ସ୍ଥାନରେ ଥିବାବେଳେ ୨୦୨୧ ଜୁଲାଇ ମାସରେ ୪୬ ତମ ସ୍ଥାନରେ ରହିଛି । ଶିକ୍ଷାରେ ୨୦୧୮ ଅପ୍ରେଲରେ ୧୨ ତମ ସ୍ଥାନରେ ଥିଲା ମାତ୍ର ଜୁନ ମାସ ୨୦୨୧ ରେ ସମଗ୍ର ଭାରତରେ କୋରାପୁଟ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିଲା ହେଲେ ଜୁଲାଇ ୨୦୨୧ରେ ୧୫ତମ ସ୍ଥାନରେ ଅଛି । କୃଷି, ଜଳ ଉତ୍ସରେ ୨୦୧୮ ଅପ୍ରେଲରେ ୬୬ତମ ସ୍ଥାନରେ, ଜୁଲାଇ ୨୦୨୧ରେ ୨୧ ତମ ସ୍ଥାନରେ ରହିଛି । ଦକ୍ଷତା ବିକାଶ କ୍ଷେତ୍ରରେ ୨୦୧୮ ଅପ୍ରେଲରେ ୧୨ ତମ ସ୍ଥାନରେ, ଜୁଲାଇ ୨୦୨୧ରେ ୮୯ତମ ସ୍ଥାନରେ ରହିଛି । ମୌଳିକ ଭିତିଭୂମୀ ଉପରେ ୨୦୧୮ ଅପ୍ରେଲରେ ୮୯ ତମ ସ୍ଥାନରେ, ଜୁଲାଇ ୨୦୨୧ରେ ୩୩ ତମ ସ୍ଥାନରେ ରହିଥିବା ଜଣାପଡିଛି । ତୁଳନାତ୍ମକ ଅଭିବୃଦ୍ଧିକୁ ଦେଖିଲେ ୨୦୧୮ ଅପ୍ରେଲରେ କୋରାପୁଟ ଜିଲ୍ଲା ୩୮.୩ ଥିବାବେଳେ ଜୁଲାଇ ୨୦୨୧ରେ ୪୯.୭ ରହିଛି । ଏହି ୫ଟି କ୍ଷେତ୍ରରେ ଜିଲ୍ଲାରେ ତୁଳନାତ୍ମକ ଅଭିବୃଦ୍ଧି ଘଟିଥିବା ଜଣାପଡିଛି । ଜାନୁଆରୀ ୨୦୧୮ ମସିହାରୁ ଓଡିଶାର ୧୦ଟି ଜିଲ୍ଲାର ତୁଳନାତ୍ମକ ବିକାଶ କ୍ଷେତ୍ରରେ କୋରାପୁଟ ଜିଲ୍ଲା ସବୁଠୁ ଆଗରେ ରହିଛି ।