ETV Bharat / state

ଆଜିଠୁ ପୁରୀ ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ, ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା - Puri Lok Sabha constituency

author img

By ETV Bharat Odisha Team

Published : Apr 29, 2024, 10:15 AM IST

Puri Lok Sabha constituency
Puri Lok Sabha constituency

Puri Lok Sabha constituency: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି କ୍ରମରେ ପୁରୀ ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଆଜିଠୁ ନାମାଙ୍କନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Puri Lok Sabha constituency

ପୁରୀ: ଓଡିଶାରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ସମେତ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଏବଂ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ । ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିବେ । ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରାଯିବ । ୧୦୭ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ୧୦୮ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ୧୦୯ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ଏବଂ ୧୧୦ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଉପଜିଲାପାଳ ନୀଳ ମାଧବ ମାଝିଙ୍କ ନିକଟରେ ନାମାଙ୍କନ ଦାଖଲ କରାଯିବ । ଏହିସବୁ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମେ ୬ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ ଶେଷ ହେବାକୁ ଥିବା ବେଳେ ୭ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ନେଇ ସମୟ ରହିଛି । ମେ ୨୫ ତାରିଖରେ ମତଦାନ ହେବାକୁ ଥିବା ବେଳେ ଜୁନ ୪ରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳ ଘୋଷଣା କରାଯିବ ।

ଏହା ମଧ୍ଯ ପଢନ୍ତୁ: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଭରିବେ ପ୍ରାର୍ଥୀ, ମେ 25ରେ ପଡିବ ଭୋଟ୍ - Sixth Phase Lok Sabha Election

ଜୁନ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମେ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଦିନ ଠାରୁ ୧୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ । ୧୦୬ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟକଲ) ନୀଳ ମାଧବ ଭୋଇ ଏବଂ ୧୦୫ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରାଯିବ । ତେଣୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ବ୍ୟାରିକେଡ ନିର୍ମାଣ କରାଯାଇଛି । ପୁରୀ ପୌର ସଦନ ଛକ ଠାରୁ ଶୋଭାଯାତ୍ରା ଗୁଡିକୁ ଆଗକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । କେବଳ ପ୍ରାର୍ଥୀ, ପ୍ରସ୍ତାବକ ଓ ସମର୍ଥକମାନେ ନାମାଙ୍କନ ଦାଖଲ ପାଇଁ ଯାଇ ପାରିବେ । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ରଙ୍କ ସମେତ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା, ପୁରୀ ବିଧାନସଭା ପ୍ରାର୍ଥୀ ସୁନିଲ ମହାନ୍ତି ଏବଂ ବିଭିନ୍ନ ରାଜନୈତିକ ଦଳର ଆଉ କେତେକ ପ୍ରାର୍ଥୀ ସୋମବାର ପ୍ରାର୍ଥିପତ୍ର ଦାଖଲ କରିବେ ।

ଏହା ମଧ୍ୟ ପଢନ୍ତୁ: କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା: କଟକ-ବାରବାଟୀରୁ ଲଢିବେ ସୋଫିଆ ଫିରଦୋସ, ବଦଳିଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ - Congress Candidate List

ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପୋଲିସ ଆୟୁକ୍ତ ଅରୂପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ ମୋହନ ମହାନ୍ତିଙ୍କ କନ୍ୟା ସୁଚରିତା ମହାନ୍ତି କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ପୁଣିଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତେଣୁ ପ୍ରତିଦ୍ବନ୍ଦିତା ଏଥର ବେଶ୍ ରୋଚକ ହେବ । ସେହିପରି ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ସୁନିଲ କୁମାର ମହାନ୍ତି, ବିଜେପି ପକ୍ଷରୁ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, କଂଗ୍ରେସ ପକ୍ଷରୁ ସୁଜିତ କୁମାର ମହାପାତ୍ର ଏବଂ ଆମ୍ ଆଦମୀ ପାର୍ଟି ପକ୍ଷରୁ ଇଂ ସତ୍ୟଜିତ୍ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପାଇଁ ଉପାସନା ମହାପାତ୍ର ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ବିଜେଡି ଏବଂ ମିତ୍ରଭାନୁ ମହାପାତ୍ର ସେଠାରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା ବିଜେଡି, ଓମ ପ୍ରକାଶ ମିଶ୍ର ବିଜେପି ଏବଂ ମନୋଜ କୁମାର ରଥ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ।

ସେହିପରି ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ପୁଣି ଥରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ବିଜେପି ସେଠାରେ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସ ପକ୍ଷରୁ ଜ୍ଞାନ ରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ସେହିପରି ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଭାତୀ ପରିଡା ବିଜେପି, ଦିଲିପ ନାୟକ ବିଜେଡି ଏବଂ ସିଦ୍ଧାର୍ଥ ରାଉତରାୟ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ସେଠାରେ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ।



ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.